ଉତ୍କଳ ବିଶ୍ବବିଦ୍ୟାଳୟରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୩ତମ ଜୟନ୍ତୀ

ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟ ମହାରାଜା ଶ୍ରୀରାମଚନ୍ଦ୍ର ମୁଦ୍ରଣାଳୟରେ ଉତ୍କଳମାତାର ସୁଯୋଗ୍ୟ ସନ୍ତାନ ତଥା ଉତ୍କଳ ସମ୍ମିଳନୀର ପ୍ରତିଷ୍ଠାତା ସଭାପତି ମୟୂରଭଞ୍ଜର ପ୍ରଜାବତ୍ସଳ ଆଦର୍ଶ ଶାସକ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୩ତମ ଜୟନ୍ତୀ ପାଳିତ ହୋଇଯାଇଛି। ଉତ୍କଳ ବିଶ୍ବବିଦ୍ୟାଳୟ ମହାରାଜା ଶ୍ରୀରାମଚନ୍ଦ୍ର ମୁଦ୍ରଣାଳୟର ଭାରପ୍ରାପ୍ତ ଅଧିକାରୀ ଡ. ଡ.ବ୍ରଜକିଶୋର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରୀକ୍ଷା ନିୟନ୍ତ୍ରକ ଡ. ଶରତ କୁମାର ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ବିନ୍ଧାଣୀ ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ସ୍ମୃତିଚାରଣ କରିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ସହ ଓଡ଼ିଶାର ସର୍ବାଙ୍ଗୀଣ ବିକାଶ ପାଇଁ ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ଅବଦାନ ଅବିସ୍ମରଣୀୟ ବୋଲି କହିଥିଲେ।

ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡ.ହରେକୃଷ୍ଣ ମହତାବଙ୍କ ପରାମର୍ଶକ୍ରମେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ରାୟବାହାଦୁର ଚିନ୍ତାମଣି ଆଚାର୍ଯ୍ୟଙ୍କ ଅନୁରୋଧ ରକ୍ଷା କରି ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ତାଙ୍କର ଷ୍ଟେଟ ମୁଦ୍ରଣାଳୟକୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଦାନ କରିଥିଲେ। ଏଥିପାଇଁ ବିଶ୍ବବିଦ୍ୟାଳୟ ତାଙ୍କ ନିକଟରେ କୃତଜ୍ଞ ବୋଲି ପରୀକ୍ଷା ନିୟନ୍ତ୍ରକ ଡ. ମାଝୀ ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ବବିଦ୍ୟାଳୟ ମହାରାଜା ଶ୍ରୀରାମଚନ୍ଦ୍ର ମୁଦ୍ରଣାଳୟର କର୍ମଚାରୀ ଉପେନ୍ଦ୍ର କୁମାର ମଲ୍ଲିକ, ଉମାକାନ୍ତ ବେହେରା, ଅଶୋକ କୁମାର ଭୋଇ, ଅଭିନ୍ନ ଚନ୍ଦ୍ର ମଲ୍ଲ, ମନୋରଞ୍ଜନ ପଣ୍ଡା, ମହେଶ୍ବର ସାହୁ, ରୁକଣ୍ମୀ ପାଢ଼ୀ, ଗିରିଜା ପ୍ରସାଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.