ଶ୍ରେଷ୍ଠ ଧନୁର୍ଦ୍ଧର ଅର୍ଜୁନ

ଅର୍ଜୁନୀ ଚରଣ ବେହେରା

ଶ୍ରେଷ୍ଠ ଧନୁର୍ଦ୍ଧର ଅର୍ଜୁନ
=============
ଦ୍ରୋଣାଚାର୍ଯ୍ୟ କୁରୁକୂଳର ଆଚାର୍ଯ୍ୟ ନିଯୁକ୍ତହୋଇ ଧୃତରାଷ୍ଟ୍ର ଓ ପାଣ୍ଡୁପୁତ୍ର ମାନଙ୍କୁ ଶିକ୍ଷା ଦେଉଥାନ୍ତି l ତାଙ୍କ ଶିକ୍ଷା ଫଳରେ ଭୀମ ଓ ଦୁର୍ଯ୍ୟୋଧନ ଗଦା ଯୁଦ୍ଧରେ, ନକୁଳ ଓ ସହଦେବ ଅସୀ ଚାଳନାରେ, ଯୁଧିଷ୍ଠିର ରଥ ଚାଳନାରେ, ଅର୍ଜୁନ ଶୌର୍ଯ୍ୟ, ବଳ, ବୁଦ୍ଧି ତଥା ସମସ୍ତ ଅସ୍ତ୍ର ଚାଳନାରେ ଶ୍ରେଷ୍ଠ ବୋଲି ବିବେଚିତ ହେଲେ, କିନ୍ତୁ ଭୀମ ଅର୍ଜୁନଙ୍କ ପ୍ରଶଂସା ଧୃତରାଷ୍ଟ୍ରଙ୍କ ପୁତ୍ରମାନେ ସହିପାରିଲେ ନାହିଁ l
ଦିନେ ଆଚାର୍ଯ୍ୟ ଦ୍ରୋଣ ଶିଷ୍ୟ ମାନଙ୍କ ଏକାଗ୍ରତା ପରୀକ୍ଷା ନେବାପାଇଁ ଚିନ୍ତାକଲେ l ଶିଷ୍ୟ ମାନଙ୍କ ଅଜ୍ଞାତ ସାରରେ ସେ ଗୋଟିଏ କୁତ୍ରିମ ନୀଳବର୍ଣ୍ଣ ପକ୍ଷୀ ତିଆରିକରି ଗଛ ଉପରେ ବସାଇ ଦେଲେ l ସେ ସମସ୍ତଙ୍କୁ ପାଖକୁ ଡାକି କହିଲେ, ତୁମମାନଙ୍କୁ ଏହି ପକ୍ଷୀର ଚକ୍ଷୁକୁ ବିଦ୍ଧ କରିବାକୁ ହେବ l
ସେ ପ୍ରଥମେ ଯୁଧିଷ୍ଠିରଙ୍କୁ ପଚାରିଲେ, ତୁମେ କ’ଣ ଦେଖି ପାରୁଛ l ଯୁଧିଷ୍ଠିର କହିଲେ, ମୁଁ ଆପଣଙ୍କୁ, ମୋର ଭାଇମାନଙ୍କୁ ଏବଂ ଗଛ ଊପରେ ବସିଥିବା ପକ୍ଷୀଟିକୁ ଦେଖି ପାରୁଛି l ଦ୍ରୋଣ ବିରକ୍ତ ହୋଇ କହିଲେ, ତୁମେ ଲକ୍ଷ୍ୟ ଭେଦ କରିପାରିବ ନାହିଁ l ସେ ଦୁର୍ଯୋଧନ ଆଦି ଅନ୍ୟ ରାଜକୁମାର ମାନଙ୍କୁ ସେହି ପ୍ରଶ୍ନ ପଚାରିଲେ l ସମସ୍ତେ କହିଲେ ଆମେ ସବୁ ଦେଖି ପାରୁଛୁ l
ଶେଷରେ ସେ ଅର୍ଜୁନଙ୍କୁ ସେହି ପ୍ରଶ୍ନ ପଚାରିବାରୁ ଅର୍ଜୁନ କହିଲେ, ମୁଁ କେବଳ ସେହି ପକ୍ଷୀର ଚକ୍ଷୁକୁ ଦେଖିପାରୁଛି l ଗୁରୁ ଅତି ଆନନ୍ଦିତହୋଇ କହିଲେ, ଏଥର ତୁମେ ଶର ସନ୍ଧାନ କର l କାଳ ବିଳମ୍ବ ନ କରି ଅର୍ଜୁନ ଶର ସନ୍ଧାନ କଲେ ଓ ସେ ପକ୍ଷୀଟିର ଚକ୍ଷୁକୁ ବିଦ୍ଧ କଲେ l
ଆଉ ଦିନେ ଦ୍ରୋଣ ଶିଷ୍ୟ ପରିବୃତ୍ତ ହୋଇ ଗଙ୍ଗା ସ୍ନାନ ପାଇଁ ଗଲେ l ଜଳ ଭିତରେ ପଶିବା ମାତ୍ରେ ଗୋଟିଏ କୁମ୍ଭୀର କୁଆଡୁ ଆସି ତାଙ୍କର ଗୋଡ଼କୁ ଧରି ପକାଇଲା l ସେ ଶିଷ୍ୟମାନଙ୍କ ଆଡ଼କୁ ଚାହିଁ ଚିତ୍କାର କଲେ, ” ମୋତେ ବଞ୍ଚାଅ, ମୋତେ ରକ୍ଷା କର” l ଅର୍ଜୁନ ତତ୍କ୍ଷଣାତ୍ ପାଞ୍ଚଟି ତୀକ୍ଷ୍ଣଶର ମାରି କୁମ୍ଭୀରଟିକୁ ଖଣ୍ଡ ଖଣ୍ଡ କରିଦେଲେ l ଅନ୍ୟମାନେ ସ୍ତମ୍ଭୀଭୂତ ହୋଇ ଠିଆ ହୋଇ ଥିଲେ l
ଦ୍ରୋଣ ସନ୍ତୁଷ୍ଟ ହୋଇ, ଅର୍ଜୁନଙ୍କୁ ବ୍ରହ୍ମଶର ନାମକ ଏକ ଶ୍ରେଷ୍ଠ ଅସ୍ତ୍ର ପ୍ରଦାନକରି କହିଲେ, ଏ ଅସ୍ତ୍ରକୁ ତୁମେ କେବେ, ମନୁଷ୍ୟଙ୍କ ପ୍ରତି ପ୍ରୟୋଗ କରିବ ନାହିଁ,କେହି ଯଦି ତୁମକୁ ବଧ କରିବା ପାଇଁ ଅନ୍ୟ ଦିବ୍ୟାସ୍ତ୍ର ପ୍ରୟୋଗ କରେ ସେତେ ବେଳେ ତୁମେ ଏହି ଅସ୍ତ୍ରକୁ ମୋଚନ କରିପାରିବ l ଅର୍ଜୁନ ସେହି ଶରକୁ ସାଇତି ରଖିଥିଲେ ଓ ପରବର୍ତ୍ତୀ କାଳରେ ଦ୍ରୋଣ ପୁତ୍ର ଅସ୍ଵତ୍ଥାମାଙ୍କ ବ୍ରହ୍ମଶିର ଅସ୍ତ୍ର ପ୍ରତିହତ କରିବା ପାଇଁ ପ୍ରୟୋଗ କରିଥିଲେ l
🙏🙏🙏
ଅର୍ଜୁନୀ
———–
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.