ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ’ର ଲୋକାର୍ପଣ ପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା

ପୁରୀ: ‘ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ’ର ଲୋକାର୍ପଣ ପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ଆଜି ମହାପ୍ରଭୁଙ୍କୁ ନିମନ୍ତ୍ରଣପତ୍ର ଦିଆଯିବା ପରେ ଏହି ପ୍ରକ୍ରିୟା ଆଗକୁ ବଢ଼ିଛି। ଶ୍ରୀମନ୍ଦିର ପ୍ରଶାସନ ସହ ସେବାୟତଙ୍କ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ନିମନ୍ତ୍ରଣପତ୍ର ବାଣ୍ଟିବା ପାଇଁ ୩୧ଟି ଦଳ ଗଠନ କରାଯାଇଛି। ଏହି ଦଳଗୁଡ଼ିକରେ ଥିବା ସଦସ୍ୟମାନେ ଆସନ୍ତାକାଲି (ଡିସେମ୍ବର ୨୨) ଠାରୁ ଦୁଇ ଭାଗରେ ବିଭକ୍ତ ହୋଇ ନିମନ୍ତ୍ରଣ ବାଣ୍ଟିବା ପାଇଁ ଯିବେ। ରାଜ୍ୟ ବାହାରକୁ ୧୭ଟି ଟିମ୍ ଓ ରାଜ୍ୟ ଭିତରେ ୧୪ଟି ଟିମ୍ ନିମନ୍ତ୍ରଣପତ୍ର ବାଣ୍ଟିବେ। ଡିସେମ୍ବର ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ ଦିଆଯିବା ପରେ ସେହି ଦିନ ଠାରୁ ଟିମ୍ କାର୍ଯ୍ୟ କରିବ।

ଆସନ୍ତା ଜାନୁଆରି ୧୭ ତାରିଖ ଦିନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବ। ଏଥି ପାଇଁ ଆଜି ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କୁ ନିମନ୍ତ୍ରଣ କରାଯାଇଛି। ମହାପ୍ରଭୁଙ୍କୁ ନିମନ୍ତ୍ରଣ ଦେବା ପାଇଁ ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ, ପରିଚାଳଚନା କମିଟିର ୫ ଜଣ ପ୍ରତିନିଧି, ବରିଷ୍ଠ ସେବାୟତ ପ୍ରମୁଖ ଥିଲେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ସମ୍ପର୍କିତ ନିମନ୍ତ୍ରଣ ପତ୍ର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ବାହାରି ଶ୍ରମନ୍ଦିର ଯାଇଥିଲା। ସେଠାରେ ମହାପ୍ରଭୁଙ୍କ ଶ୍ରୀଚରଣରେ ଅର୍ପଣ ହୋଇଛି। ପାଟ ପଟୁଆରରେ ଜଗନ୍ନାଥଙ୍କ ପାଖକୁ ଏହି ନିମନ୍ତ୍ରଣ ପତ୍ର ଯାଇଥିଲା। ମହାପ୍ରଭୁଙ୍କ ପରେ ପ୍ରଭୁ ନୃସିଂହ, ମା ବିମଳା, ମା ମଙ୍ଗଳା ଓ ଶେଷରେ ପଂଚୁ ପାଣ୍ଡବଙ୍କୁ ନିମନ୍ତ୍ରଣ ହୋଇଥିଲା।

ଦେଶ ବିଦେଶରେ ରହିଥିବା ଜଗନ୍ନାଥ ମନ୍ଦିର ଓ ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ କରାଯିବ। ଶ୍ରୀମନ୍ଦିର ସହ ଜଡ଼ିତ ନେପାଳ ରାଜାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ। ନିମନ୍ତ୍ରଣପତ୍ର ସହ ଏକ ସ୍ୱତନ୍ତ୍ର କିଟ୍ ମଧ୍ୟ ପ୍ରଦାନ କରାଯିବ। ନିମନ୍ତ୍ରଣପତ୍ର ସହ ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ତିନୋଟି ଭାଷାରେ ବ୍ରୋଚର ଦିଆଯିିବ, ଯେଉଁଥିରେ ପରିକ୍ରମା ପ୍ରକଳ୍ପ ସଂପର୍କିତ ତଥ୍ୟ ରହିବ। ବିଭିନ୍ନ ଧାର୍ମିକ ଅନୁଷ୍ଠାନକୁ ଏହି ନିମନ୍ତ୍ରଣପତ୍ର ପଠାଯିବ। ଏଥିପାଇଁ ଜିଲ୍ଲାୱାରି ତାଲିକା ପ୍ରସ୍ତୁତ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ୭୪୬ଟି ଜଗନ୍ନାଥ ମନ୍ଦିର, ୧୧୧ଟି ଅନ୍ୟ ମନ୍ଦିରକୁ ନିମନ୍ତ୍ରଣ ପତ୍ର ପଠାଯିବ।

Comments are closed.