ବାଲେଶ୍ୱର, ୭ ଅକ୍ଟୋବର (କୃଷ୍ଣ କୁମାର ମହାନ୍ତି): ଯୋଗ୍ୟ ନାଗରିକମାନଙ୍କୁ ଭୋଟର ତାଲିକାରେ ସାମିଲ କରିବା ଏବଂ ଯୁବ ଭୋଟରଙ୍କ ପଞ୍ଜୀକରଣକୁ ସହଜ କରିବା ଉଦ୍ଦେଶ୍ୟରେ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ, ବାଲେଶ୍ୱର ପକ୍ଷରୁ ବୁଧବାର ଜିଲ୍ଲା ମୁଖ୍ୟାଳୟସ୍ଥିତ କଲେକ୍ଟରେଟ୍ ପରିସରରେ ଏକ ସ୍ୱତନ୍ତ୍ର ଭୋଟର ପଞ୍ଜୀକରଣ ଅଭିଯାନ ଆୟୋଜିତ ହୋଇଯାଇଛି।
ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଉଛି, ବର୍ତ୍ତମାନ ସୁଦ୍ଧା ଭୋଟର ତାଲିକାରେ ନାମ ସାମିଲ ହୋଇନଥିବା ଯୋଗ୍ୟ ନାଗରିକଙ୍କୁ ପଞ୍ଜୀକରଣର ସୁଯୋଗ ପ୍ରଦାନ କରିବା। ଏଥିସହିତ ଅକ୍ଟୋବର ୧, ୨୦୨୬ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରିଥିବା ଯୁବ ନାଗରିକମାନେ ମଧ୍ୟ ଏହି ସୁଯୋଗରେ ଭୋଟର ଭାବେ ପଞ୍ଜୀକରଣ କରିପାରିବେ।
‘ଆପଣଙ୍କ ଭୋଟ୍, ଆପଣଙ୍କ ସ୍ୱର, ଆମର ଭବିଷ୍ୟତ’ ବାର୍ତ୍ତାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନାଗରିକମାନଙ୍କୁ ଭୋଟର ପଞ୍ଜୀକରଣ ପାଇଁ ଆଗେଇ ଆସିବାକୁ ଆହ୍ୱାନ କରାଯାଇଛି। ଇଚ୍ଛୁକ ଯୋଗ୍ୟ ନାଗରିକମାନେ ଅକ୍ଟୋବର ୩୧, ୨୦୨୬ ପର୍ଯ୍ୟନ୍ତ ନିଜ ଅଞ୍ଚଳର ବୁଥ୍ ସ୍ତରୀୟ ଅଧିକାରୀ (BLO) କିମ୍ବା ସମ୍ପୃକ୍ତ ମତଦାନ କେନ୍ଦ୍ର ସହ ଯୋଗାଯୋଗ କରି ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ ପାଇଁ ଆବେଦନ କରିପାରିବେ।
ଅଭିଯାନରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ହେମନ୍ତ କୁମାର ସିଂହ, ଡେପୁଟି ଜିଲ୍ଲାପାଳ ସମୀକ୍ଷା ବେଉରା, ସହାୟକ ଜିଲ୍ଲାପାଳ ସୁବ୍ରତ କୁମାର ଘୋଷଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।