ବାଲେଶ୍ୱର, ୧/୫(କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ଖ୍ୟାତନାମା ସଂସ୍କୃତି ଗବେଷକ ତଥା ନାନୋ ବାସ୍ତୁବିଦ୍ ଇଂ ପ୍ରଦୀପ ପଟ୍ଟନାୟକଙ୍କୁ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ‘ବାସ୍ତୁ ଗୁରୁ’ ଉପାଧିରେ ସମ୍ମାନିତ କରିଛନ୍ତି।
ନିକଟରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ଇଣ୍ଡିଆନ ବାସ୍ତୁ ଏକାଡେମୀ ଆନୁକୂଲ୍ୟରେ ଅନୁଷ୍ଠିତ ୧୯ତମ ଆନ୍ତର୍ଜାତୀୟ ବାସ୍ତୁ ଓ ଜ୍ୟୋତିଷ ସମ୍ମିଳନୀରେ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଉକ୍ତ ଅନୁଷ୍ଠାନର ଅଧ୍ୟାପକ ଇଂ ପଟ୍ଟନାୟକ ବାସ୍ତୁଶାସ୍ତ୍ର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ମାନର ଅଧିକାରୀ ହୋଇଛନ୍ତି।
ଏହି ସମ୍ମିଳନୀରେ ଆଇନ ମନ୍ତ୍ରୀ ଶ୍ରୀ ପୃଥୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସର୍ବଭାରତୀୟ ଖ୍ୟାତିସମ୍ପନ୍ନ ଜ୍ୟୋତିର୍ବିଦ୍ ଆଚାର୍ଯ୍ୟ ଅନିଲ ବତ୍ସଙ୍କ ସମେତ ଦେଶ-ବିଦେଶର ବହୁ ବରେଣ୍ୟ ବାସ୍ତୁବିଦ୍ ଓ ଜ୍ୟୋତିଷ ଉପସ୍ଥିତ ଥିଲେ। ବାସ୍ତୁ ଓ ପ୍ରାଚ୍ୟ ଶାସ୍ତ୍ରକୁ ଲୋପ ପାଇବାରୁ ରକ୍ଷା କରି ଏହାର ପ୍ରଚାର ପ୍ରସାର ଉପରେ ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ।
ଉଲ୍ଲେଖଯୋଗ୍ୟ, ଇଂ ପଟ୍ଟନାୟକ ସମ୍ମିଳନୀରେ ‘ଇରାନ-ଇସ୍ରାଏଲ ଯୁଦ୍ଧ’ ଉପରେ ପ୍ରକୃତିର ପଞ୍ଚତତ୍ତ୍ଵ ଆଧାରରେ ବାସ୍ତୁ ସମୀକ୍ଷା କରି ଉପସ୍ଥିତ ବୁଦ୍ଧିଜୀବୀମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲେ।