ସୋନାଲିଙ୍କ ପାନୀୟରେ କିଛି ମିଶାଇ ଜବରଦସ୍ତ ପିଆଇ ଦିଆଯାଇଥିଲା: ପୁଲିସ

ପାଣାଜୀ :ବିଜେପି ନେତ୍ରୀ ତଥା ସୋସିଆଲ ମିଡିଆ ତାରକା ସୋନାଲି ଫୋଗାଟଙ୍କ ମୃତ୍ୟୁ ମାମଲାରେ ପୁଲିସ ଏକ ବଡ ଖୁଲାସା କରିଛି। ସୋନାଲି ଫୋଗାଟଙ୍କ ପାନୀୟରେ କିଛି ମିଶ୍ରିତ କରାଯାଇଥିଲା ବୋଲି ଗୋଆ ପୁଲିସ ଦାବି କରିଛି। କେବଳ ଏତିକି ନୁହେଁ, ପୁଲିସ କହିଛି ଯେ, ଏପରି କରିଥିବା ଦୁଇ ଜଣଙ୍କୁ ଶୀଘ୍ର ଗିରଫ କରାଯିବ। ଗୋଆ ଆଇଜି ଓମବୀର ସିଂ ବିଷ୍ଣୋଇ କହିଛନ୍ତି ଯେ ସିସିଟିଭି ଫୁଟେଜରେ ସୋନାଲି ଫୋଗାଟଙ୍କ ସହ ତାଙ୍କ ସହଯୋଗୀ ସୁଧୀର ସାଙ୍ଗୱାନ ଓ ସୁଖବିନ୍ଦର ସିଂ ଏକ କ୍ଲବରେ ପାର୍ଟି କରୁଥିବା ଦେଖାଯାଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଦୁଇ ଜଣଙ୍କ ମଧ୍ୟରୁ ଜଣେ ସୋନାଲି ଫୋଗାଟଙ୍କୁ ଏହି ପାନୀୟ ପିଇବାକୁ ବାଧ୍ୟ କରିଥିଲେ।

ଗଣମାଧ୍ୟମକୁ ସୂଚନା ଦେଇ ବିଷ୍ଣୋଇ କହିଛନ୍ତି ଯେ ପଚରାଉଚରା ବେଳେ ସୁଧୀର ସାଙ୍ଗୱାନ ଏବଂ ସୁଖବିନ୍ଦର ସିଂ ସ୍ୱୀକାର କରିଛନ୍ତି ଯେ ସେମାନେ ଫୋଗାଟଙ୍କ ପାନୀୟରେ ଏକ ରାସାୟନିକ ମିଶ୍ରଣ କରିଛନ୍ତି। ଏହା ପରେ ପାନୀୟ ତାଙ୍କୁ ଜବରଦସ୍ତ ପିଇବାକୁ ଦିଆଯାଇଥିଲା। ସୋନାଲି ଫୋଗାଟଙ୍କୁ ଅଗଷ୍ଟ ୨୩ରେ ସେଣ୍ଟ ଆନ୍ଥୋନି ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ସେଠାରେ ଥିବା ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରଥମେ କୁହାଯାଇଥିଲା ଯେ ହୃଦଘାତରେ ସୋନାଲି ଫୋଗାଟଙ୍କ ମୃତ୍ୟୁ ଘଟିଛି।

କିନ୍ତୁ କିଛି ଘଣ୍ଟା ପରେ ତାଙ୍କ ପରିବାର ସଦସ୍ୟ କହିଥିଲେ ଯେ ସେ ସମ୍ପୂର୍ଣ୍ଣ ଫିଟ୍ ଥିଲେ ଏବଂ ହୃଦଘାତ ହୋଇ ନ ପାରେ | ତାଙ୍କ ସହଯୋଗୀମାନେ ଏହି ହତ୍ୟାକାଣ୍ଡ କରିଥିବା ଅଭିଯୋଗ କରିଥିଲେ । ସୋନାଲିଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ପରେ ହିଁ ହତ୍ୟା ମାମଲା ପଞ୍ଜିକରଣ କରି ପୁଲିସ ଏକ ନୂଆ ଦିଗରୁ ଅନୁସନ୍ଧାନ କରୁଛି। ସୂଚନା ଥାଉ କି ଯେ ସୋନାଲି ଫୋଗାଟଙ୍କ ସ୍ୱାମୀଙ୍କର ମଧ୍ୟ କିଛି ବର୍ଷ ପୂର୍ବରୁ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା |

Comments are closed.