ଶ୍ମସାନବାସୀ ପ୍ରଭୁ ଭଷ୍ମ ଭୂଷଣ

ଅର୍ଜୁନୀ ଚରଣ ବେହେରା

ଏକଦା ମହାଯୋଗୀ ଭୋଳାନାଥ ନିଶ୍ଚଳ ଭାବେ ଏକା ଏକା ବସି ଶୂନ୍ୟେ ଶୂନ୍ୟେ କାହାକୁ ପ୍ରଣାମ କରୁଥାନ୍ତି l ମାଆ ପାର୍ବତୀ ଆଶ୍ଚର୍ଯ୍ୟ ହୋଇ ଯାଇ ସ୍ୱାମୀଙ୍କ ପାଖରେ ପହଞ୍ଚି ପଚାରିଲେ,’ହେ ସ୍ୱାମୀ ଆପଣ ତ ଏ ତ୍ରୈଲୋକ୍ୟବନ୍ଦ୍ୟ ପ୍ରଭୁ, ସମସ୍ତେ ତ ଆପଣଙ୍କୁ ନମସ୍କାର କରି ଥାନ୍ତି l ଆପଣଙ୍କ ଠାରୁ ଏ ଜଗତରେ କେହି ମଧ୍ୟ ବଡ଼ ନାହିଁ, ପୁଣି କେଉଁ ଦେବତାଙ୍କୁ ଆପଣ ପ୍ରଣାମ କରୁଛନ୍ତି l ସଦାଶିବ ସ୍ମିତହାସ୍ୟ କରି କହିଲେ,ହେ ଉମା ଯେଉଁ ବ୍ୟକ୍ତି, ଥରେ ମାତ୍ର, ରାମ ନାମ ଉଚ୍ଚାରଣ କରିଥାଏ, ମୁଁ ତାକୁ ତିନି ବାର ପ୍ରଣାମ କରିଥାଏ l
ପୁଣି ପାର୍ବତୀ କହିଲେ,ସ୍ୱାମୀ ମୋ ମନରେ ଆଉ ଗୋଟିଏ ପ୍ରଶ୍ନ କେବେଠାରୁ ଉଙ୍କି ମାରୁଛି, ଆପଣ ଅଭୟ ଦେଲେ ପଚାରନ୍ତି l ମହାଦେବ ହସି ହସି କହିଲେ, ଅମ୍ବିକେ ! ତୁମେ ନିର୍ଦ୍ବନ୍ଦରେ ତୁମ ଶଙ୍କା ମୋଚନ ପାଇଁ ପଚାରି ପାର l ପାର୍ବତୀ କହିଲେ, ପ୍ରଭୁ ! ଆପଣ କେଉଁଥିପାଇଁ ଶ୍ମସାନକୁ ଯାଇଥାନ୍ତି ଓ ଚିତା ଭଷ୍ମ ଦେହରେ ବୋଳି ହୋଇ ଫେରନ୍ତି l
ସେହି ସମୟରେ,ଶ୍ମସାନ ଆଡ଼କୁ ଲୋକ ମାନେ ଏକ ଶବ ଧରି ‘ରାମନାମ ସତ୍ୟ ହେ,ରାମ ନାମ ସତ୍ୟ ହେ’ କହିକହି ଚାଲିଥାନ୍ତି l ପାର୍ବତୀଙ୍କୁ ମୋ ପଛରେ ଆସ କହି ଶିବ ସେମାନଙ୍କ ପଛେ ପଛେ ଚାଲିଲେ l
ଶବଟିର ଦାହ ସଂସ୍କାର କରି ଲୋକ ମାନେ ଚାଲି ଗଲେ l ସେମାନେ ଚାଲିଗଲା ପରେ ଭୋଳାନାଥ ମୁଠା ମୁଠା ଭଷ୍ମ ଆଣି ଦେହରେ ବୋଳି ହେବାକୁ ଲାଗିଲେ ଓ ମୃଦୁହାସ୍ୟ କରି ପାର୍ବତୀଙ୍କୁ କହିଲେ, ଦେବୀ,ଏଥର ବୁଝିପାରୁଛ ତ ମୁଁ କାହିଁକି ଏ ମହା ଶ୍ମସାନକୁ ଆସେ l ଆଉ କହୁଛି ଭଷ୍ମ ବୋଳି ହୁଏ କାହିଁକି l ଶବ ଯାତ୍ରା ଆସିଲା ବେଳେ ତୁମେ ଶୁଣି ଥିବ ଏ ଲୋକମାନେ କହି କହି ଆସୁଥିଲେ, ରାମ ନାମ ସତ୍ୟ ହେ l ମୋର ସେହି ପ୍ରୀୟ ରାମ ନାମ ଶୁଣି ମୁଁ ତାଙ୍କ ପଛେ ପଛେ ଗୋଡ଼ାଇ ଆସୁଥିଲି l ଆଉ ଏତେଗୁଡ଼ିଏ ଲୋକଙ୍କ ମୁଖରେ ରାମ ନାମ ଉଚ୍ଚାରଣ କରାଉ ଥିବା ଏ ଶବଟି କେତେ ପବିତ୍ର ନ ହୋଇଥିବ l ଏଥିପାଇଁ ମୁଁ ଏହି ଶବକୁ ସମ୍ମାନ କରେ ଓ ପ୍ରଣାମ କରେ ଏବଂ ତାର ପବିତ୍ର ଚିତା ଭଷ୍ମକୁ ଦେହରେ ବୋଳି ହୋଇଥାଏ l ଏହି ରାମ ନାମ ମୋର ଅତି ପ୍ରୀୟ l ମୋକ୍ଷଦାୟୀ ରାମନାମ ଉଚ୍ଚାରଣ କରୁଥିବା ବ୍ୟକ୍ତି ମୋର ସମ୍ମାନନୀୟ l
ଆଉଦିନେ କୈଳାଶରେ ମା’ ପାର୍ବତୀ ସ୍ନାନସାରି ବିଷ୍ଣୁ ସହସ୍ର ନାମ ଜପ କରୁଥାନ୍ତି l ଶଙ୍କର ପହଞ୍ଚି ଭୋଜନ ଦେବାକୁ କହିଲେ l ପାର୍ବତୀ ନାମ ଜପ ସରି ନଥିବାରୁ ଟିକିଏ ଅପେକ୍ଷା କରିବାପାଇଁ କହି ନାମ ଜପରେ ଲାଗିପଡ଼ିଲେ l ଶିବ ଟିକିଏ ବିରକ୍ତ ହୋଇ କହିଲେ,ତୁମର ଏହି ନାମ ଜପ ତ ବହୁତ ଶ୍ରମ ଏବଂ ସମୟ ସାପେକ୍ଷ l ତୁମେ ସନ୍ଥ ମାନଙ୍କ ପରି ଏହାକୁ ଟିକିଏ ଛୋଟ କରି ଦେଉନା ! ମାଆ କହିଲେ,’ତାହା କିପରି’ ? ପାର୍ବତୀ କହିଲେ :-
“କେନୋପାୟେନ ଲଘୁନା ବିଷ୍ଣୋର୍ନାମ ସହସ୍ରକଂ ପଠ୍ୟତେ ପଣ୍ଡିତୈର୍ନିତ୍ୟମ୍ ଶ୍ରୋତୁମ୍ ଇଚ୍ଛାମ୍ୟହଂ ପ୍ରଭୋ l”
ଶଙ୍କର କହିଲେ, ତୁମେ କେବଳ ଦୁଇଟି ଅକ୍ଷର ‘ରାମ’ ଜପକର,ଏହାହିଁ ତୁମର ସହସ୍ରନାମ ଜପ କରିବାର ଫଳ ପ୍ରଦାନ କରିବା ନିମନ୍ତେ ସମର୍ଥ l ଶିବ କହିଲେ,”ଶ୍ରୀ ରାମ ରାମ ରାମେତି, ରମେ ରାମେ ମନୋରମେ,ସହସ୍ରନାମ ତତ୍ତୁଲ୍ୟମ୍ ରାମ ନାମ ବରାନନେ l” ଏହି ରାମ ନାମ ସର୍ବ ସଙ୍କଟ ହରଣକାରୀ, ସର୍ବ ସୁଖଦାୟୀ, ସାରା ସଂସାରକୁ ମୋକ୍ଷ ପ୍ରଦାନକାରୀ ଅଟେ l ସେଥିପାଇଁ ମୁଁ ଏହି ନାମ ଜପକରେ ଓ ପ୍ରଭୁ ଶ୍ରୀରାମ ତଥା ରାମନାମ ଜପକାରୀ ଉଭୟଙ୍କୁ ବାର ବାର ପ୍ରଣାମ କରେ l ଭଗବାନ ଶଙ୍କର କହିଲେ,’ଆପଦାମପହର୍ତ୍ତାରମ୍ ଦାତାରମ୍ ସର୍ବ ସମ୍ପଦାମ୍, ଲୋକାଭିରାମମ୍ ଶ୍ରୀ ରାମମ୍ ଭୂୟୋ ଭୁୟୋ ନମାମ୍ୟହମ୍ l’
ରାମ ନାମ ଏ ଭଵସାଗରର ସମସ୍ତ ଦୁଃଖ ହରଣ କାରୀ, ସୁଖ ସମ୍ପଦ ଅର୍ଜନ କାରୀ ଓ ମୃତ୍ୟୁ ଭୟ ଭଞ୍ଜନ କାରୀ l ଶିବ ପୁରାଣ ଭାଷାରେ :- ଭର୍ଜନମ୍ ଭଵବିଜାନାମ୍,ଅର୍ଜନମ୍ ସୁଖସମ୍ପଦାମ୍ l
ତର୍ଜନମ୍ ଯମଦୂତାନାମ୍ ରାମରାମେତି ଗର୍ଜନମ୍ l
ଈଶ୍ୱରପାର୍ବତୀଙ୍କ ଏହି କଥୋପକଥନର ନିଷ୍କର୍ଷ ଏହି ଯେ ସମସ୍ତେ ରାମନାମ ଜପ କରିବା ଉଚିତ ଓ ଯଥା ଶକ୍ତି ଅନ୍ୟକୁ ଏଥିପାଇଁ ପ୍ରେରିତ କରିବା ଉଚିତ l ପ୍ରତ୍ୟକ ମନୁଷ୍ୟକୁ ଭଗବତ ଅଭିମୁଖୀ ହେବା ପାଇଁ ସୁନ୍ଦର ଏହି ଆଖ୍ୟାନ l ସେଥିପାଇଁ ଆମେ କାହାକୁ ସମ୍ଭାଷଣ ସମୟରେ ‘ରାମ ରାମ ଭାଇ’ ବୋଲି କହିଥାଉଁ l ଗୋସ୍ୱାମୀ ତୁଳସୀଦାସ ତେଣୁ ଗାଇଲେ :-
ଭଜମନ ରାମ ଚରଣ ସୁଖଦାୟୀ l
ଜିହ୍ନି ଚରନସେ ନିକଲି ସୁରସରି,
ଶଙ୍କର ଜଟାମେ ସମାଇ ll
🙏🙏🙏
ଅର୍ଜୁନୀ
———–
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.