ଶୀତକାଳ

ଅର୍ଜୁନୀ ଚରଣ ବେହେରା

ଶୀତକାଳ
========
ହେମନ୍ତ ଶେଷ ଧରା ପ୍ରବେଶ
ଦାରୁଣ ଶୀତ କାଳ l
ପଉଷ ମାଘ ବାଘୁଆ ଜାଡ଼
ଟାଙ୍କୁରୀ ଉଠେ ବାଳ ll
ହେମନ୍ତ ୠତୁ ପ୍ରଣତି ଘେନି
ବିଷ୍ଣୁଘରଣୀ ଗଲେ l
ବୈକୁଣ୍ଠ ପୁରୁ ଶିକର ଶୀତ
ଧରାକୁ ପେଷିଦେଲେ ll
ଥରିଲା ଧରା ବରଡ଼ା ପରା
ଥରଇ ହାଡ଼ ଗୋଡ଼ l
ପାଣିକୁ ଦେଖି ମାଡ଼ଇ ଡର
ଜୀବ ପାଲଟେ ଜଡ଼ ll
ଦିବସ ଛୋଟ ରାତିଟି ମୋଟ
କାଟୁନି ଆଉ ଖରା l
ଧବଳ ଫୁଲ ଅତି ଅମୁଲ
ଫୁଟିଲା ଗେଣ୍ଡୁ ପରା ll
ଶୀତବାସକୁ ଘୋଡ଼ି ହୋଇଲେ
ପୀତବାସ ମୋ ପ୍ରଭୁ l
କଷଣ ପାଇ ବସନ ନାହିଁ
ଗରିବ ଲୋକ ସବୁ ll
ଅନ୍ଧକୁ ଭାଇ ନଦିଶେ ପନ୍ଥା
ଗରିବେ ନାହିଁ କନ୍ଥା l
ଏ ଶୀତକାଳେ ବରଗଡ଼ରେ
ହରିଙ୍କ ଧନୁଯାତ୍ରା ll
ଚୋରଙ୍କ ପାଇଁ ଚାନ୍ଦିନୀ ରାତି
ମାତି ଉଠିଲେ ଖଣ୍ଟେ l
ଗ୍ରାମ ଦାଣ୍ଡରେ ଶ୍ଵାନ ପ୍ରହରୀ
ଡାକଇ ବଡ଼ ଆଣ୍ଟେ ll
ଫସଲ କାଟି କୃଷକ ମାତି
କ୍ଷେତକୁ କଲେ ପଦା l
ପଲାରେ ଶୋଇ ଖଳା ଜଗନ୍ତି
ମାରି କଳେଇ ଗଦା ll
ଗାଇ ସଙ୍ଗୀତ ଯିବ ଏ ଶୀତ
କାଳଆବର୍ତ୍ତେ ପରା l
ଦିନଟି ବଡ଼, ରାତି ନିଉନ
ଟାଣ ହୋଇବ ଖରା ll
ଏକ ମାଘକେ ନଯାଏ ଶୀତ
ପୁଣି ଆସିବ ଭାଇ l
ଛଅଟି ୠତୁ ପରକୁ ପର
ସଙ୍ଗୀତ ଗାଇ ଗାଇ ll
ବିଶ୍ୱ ବିନ୍ଧାଣି ବିଶ୍ୱ କରତା
ଧନ୍ୟ ତୁମର ସୃଷ୍ଟି l
ୠତୁ ଚକରେ ଧରା ଧାମରେ
କାଳ ଦେଇଛ ବାଣ୍ଟି ll
ମାଘର ଶେଷେ ଟଳିବ ଶୀତ
ମିତ ମୋ ଥାଅ ଜାଣି l
ବସନ୍ତ ବାର୍ତ୍ତା ଘେନି ଆସିବେ
ବାସନ୍ତୀ ବୀଣାପାଣି ll
🙏🙏🙏
ଅର୍ଜୁନୀ
————–
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.