ଗୋପୀ ଚନ୍ଦନ

ଅର୍ଜୁନୀ ଚରଣ ବେହେରା

ଗୋପୀ ଚନ୍ଦନ
===========
ଭଗବାନ ଶ୍ରୀକୃଷ୍ଣଙ୍କର ଅତି ପ୍ରୀୟ ଚନ୍ଦନ l ଚନ୍ଦନ ମଧ୍ୟରେ, ପୁଣି ଗୋପୀ ଚନ୍ଦନ l ମନଲୋଭା ଚନ୍ଦନ ବେଶକୁ ଲକ୍ଷ କରି କବି ଭକ୍ତଚରଣ ଦାସ କହିଲେ, ‘ଚନ୍ଦନବେଶ ମୁଁ କରନ୍ତି ମୋର ହେଉଛି ମନ, ଚିତ୍ତ କେ ଧରିବ ଯୁବତୀ ଚାହିଁ ଚନ୍ଦ୍ରବଦନ’l ଏହି ଗୋପୀ
ଚନ୍ଦନ ଉଦ୍ଭବ ବିଷୟରେ ଏକ ସୁନ୍ଦର ପୌରାଣିକ କାହାଣୀ l
ଦ୍ଵାପର ଯୁଗର ଅନ୍ତଃ ସମୟ ଉପଗତ l ଭଗବାନ୍ ଶ୍ରୀକୃଷ୍ଣଙ୍କ ଅବତାର ଲୀଳା ସରି ଯାଇଛି l ବର୍ତ୍ତମାନ ପ୍ରଭୁ ସ୍ଵଧାମକୁ ବାହୁଡ଼ି ଯିବେ l ଅଭିଶପ୍ତ ଯଦୁବଂଶ ଧ୍ୱଂସ ପାଇ ଗଲା l ଆଗରୁ ବଳରାମ ଚାଲି ଗଲେ l ଶେଷକୁ ରହିଲେ, ଭଗବାନ୍ ଶ୍ରୀକୃଷ୍ଣ ଏବଂ ସାରଥି ଦାରୁକ l ମହାମନସ୍ତାପରେ ଶିଆଳୀ ଲତାକୁଞ୍ଜରେ ବିଶ୍ରାମ କରୁଥାନ୍ତି କେଶବ l ରକ୍ତବର୍ଣ୍ଣର ପାଦଦୁଇଟି ଲତାକୁଞ୍ଜ ବାହାରକୁ ଦେଖା ଯାଉଥିଲା ଏକ ମୃଗର ଦୁଇଟି କାନ ସଦୃଶ l ସେହି ବାଟ ଦେଇ ଯାଉଥିଲା ଜାରା ନାମକ ଜଣେ ଶବର l ପ୍ରଭୁଙ୍କ ପଦଯୁଗଳକୁ ମୃଗ କର୍ଣ୍ଣ ଭ୍ରମରେ ତୀକ୍ଷ୍ଣ ନାରାଚରେ ଆଘାତ କଲା ଜାରା l ସେହି ତୀକ୍ଷ୍ଣ ନାରାଚ ଥିଲା ଯଦୁବଂଶ ଧ୍ଵଂସ କାରୀ ୠଷି ଅଭିଶପ୍ତ ଲୌହମୁଷଳର ଅବଶିଷ୍ଟାଂଶ l ଏହାକୁ ସାଗରକୂଳରୁ ପାଇଥିଲା ଜାରା l
ଜାରା ଯେତେବେଳେ ଜାଣି ପାରିଲା, ମୁଁ ମୃଗ ନୁହେଁ ପ୍ରଭୁଙ୍କ ପାଦକୁ ଶରବିଦ୍ଧ କରିଛି, କାନ୍ଦି କାନ୍ଦି ପ୍ରଭୁଙ୍କ ପାଦଧରି କ୍ଷମା ଯାଚନା କଲା l ଝର ଝର ଲୁହ ଝରି ପଡୁଥାଏ ଜରା ଶବର ଚକ୍ଷୁରୁ l ପ୍ରଭୁ ଶାନ୍ତ୍ୱନା ଦେଇ ଶବରକୁ କହିଲେ,” ତୁମର କିଛି ଭୁଲ୍ ନାହିଁ ଜାରା ! ମର୍ତ୍ତ୍ୟ ମଣ୍ଡଳେ ଦେହ ବହି l ଦେବତା ହେଲେ ହେଁ ମରଇ l ଏ ସଂସାରର ଗତି ଏହିପରି l ତୁମେ ଦୁଃଖ କରନାହିଁ l ତୁମ ମନେନାହିଁ କିନ୍ତୁ ମୋର ମନେଅଛି ତୁମେ ଥିଲ ତ୍ରେତୟା ଯୁଗର ବାଳି l ତୁମକୁ ମୁଁ ଗଛ ଉହାଡ଼ରେ ଲୁଚିକରି ଅନ୍ୟାୟଭାବେ ବଧ କରିଥିଲି l ସେତିକି ବେଳେ ତୁମକୁ ମୁଁ ଯାହା ବର ଦେଇ ଥିଲି, ଏବେ ତାହା କାର୍ଯ୍ଯକାରୀ ହୋଇଛି l କୃତ କର୍ମଫଳ ପ୍ରାଣୀଙ୍କୁ ଅବଶ୍ୟ ଭୋଗକରିବାକୁ ପଡ଼ିଥାଏ l ତୁମେ ମୋର ପରମଭକ୍ତ l କଳି ଯୁଗରେ ବିଶ୍ୱାବସୁ ଶବର ହୋଇ, ତୁମେ ମୋତେ ଆରାଧନା କରିବ l ଆଉ ମୁଁ ହେବି ତୁମର ପରମ ଆରାଧ୍ୟ ଇନ୍ଦ୍ର ନୀଳମଣି ବିଗ୍ରହ ନୀଳମାଧବ l
ସେହି ସମୟର କଥା l ବ୍ରହ୍ମଶାପ ଗ୍ରସ୍ତ ସମସ୍ତ ଯଦୁ ବଂଶ ଧ୍ବଂସ ପାଇଯାଇଛି l ସାରଥୀ ଦାରୁକଙ୍କୁ ଡାକି ଭଗଵାନ ଶ୍ରୀକୃଷ୍ଣ କହିଲେ, ତୁମେ ଅତିଶୀଘ୍ର ଯାଇ ସଖା ଅର୍ଜୁନଙ୍କୁ ହସ୍ତିନାରେ ଏ ଖବର ଦିଅ ଓ ସଖା ଅର୍ଜୁନଙ୍କୁ ଶୀଘ୍ର ଆସିବାକୁ କୁହ l ଦାରୁକ ଆଦେଶ ପାଇ ହସ୍ତୀନା ଯାତ୍ରା କଲେ l ତାଙ୍କଠାରୁ ଯଦୁବଂଶ ଧ୍ଵଂସ ଖବର ପାଇ ଯୁଧିଷ୍ଠିର ଦୁଃଖରେ ଖୁବ୍ ଅଧୀର ହୋଇଉଠିଲେ ଓ ଅର୍ଜୁନଙ୍କୁ ଆଦେଶ ଦେଲେ ଶୀଘ୍ର ଦ୍ୱାରକା ଯାଇ କୃଷ୍ଣ ବଳରାମଙ୍କ କୁଶଳବାର୍ତ୍ତା ଘେନି ଆସିବା ପାଇଁ l ଅର୍ଜୁନ କାଳ ବିଳମ୍ବ ନକରି ବାହାରି ପଡ଼ିଲେ ଦ୍ୱାରିକା ଅଭିମୁଖେ l
ଯାତ୍ରା ପଥରେ ଅର୍ଜୁନଙ୍କର ଦେବର୍ଷି ନାରଦଙ୍କ ସହ ଭେଟହେଲା l ଦେବର୍ଷି ତାଙ୍କୁ ସତର୍କ କରାଇ ଦେଇ କହିଲେ, ହେ ଅର୍ଜ୍ଜୁନ ! ତୁମେ ଦ୍ୱାରକା ଯାଉଛ ଭଲ ହେଲା, କିନ୍ତୁ ମନେରଖ ତୁମେ ଭଗବାନ୍ ଶ୍ରୀକୃଷ୍ଣଙ୍କୁ କୌଣସି ପରିସ୍ଥିତିରେ ମଧ୍ୟ ସ୍ପର୍ଶକରିବନାହିଁ l ଅର୍ଜୁନ ଏକଥାର ମର୍ମ କିଛି ବୁଝି ପାରିଲେନାହିଁ l ସେ ଯାଇ ଦ୍ୱାରକାରେ ପହଞ୍ଚି ଶୁଣିଲେ ସଖା ଶ୍ରୀକୃଷ୍ଣ ଶରବିଦ୍ଧ ହୋଇ ମୂମୁର୍ଷୁଅବସ୍ଥାରେ ଶିଆଳି ଲତାକୁଞ୍ଜରେ ପଡ଼ି ରହିଛନ୍ତି l ଅଧୈର୍ଯ୍ୟ ହୋଇ ଅର୍ଜ୍ଜୁନ ଯାଇ ଶ୍ରୀକୃଷ୍ଣଙ୍କ ନିକଟରେ ପହଁଚିଲେ, ଚକ୍ଷୁରୁ ଧାର ଧାର ଲୁହ ବହି ଯାଉଥାଏ l ଅର୍ଜୁନଙ୍କୁ ଦେଖି ପ୍ରଭୁ ଆନନ୍ଦ ଗଦଗଦ ହୋଇ ଆଲିଙ୍ଗନ ମୁଦ୍ରାରେ କହିଲେ, ଆସ ପାର୍ଥ !!!ଆସ ମୋର ପ୍ରିୟସଖା ! ଅର୍ଜୁନଙ୍କ ଦେବର୍ଷିଙ୍କ କଥା ସ୍ମରଣ ହେଉଥାଏ l ତାଙ୍କ ଦ୍ୱିଧା ଭାବକୁ ଲକ୍ଷ୍ୟ କରି ଶ୍ରୀକୃଷ୍ଣ କହିଲେ, ପାଦରେ ମୋର ଅସହ୍ୟ ଯନ୍ତ୍ରଣା ହେଉଛି l ତୁମେ ତୀର ମୁନରେ ଟିକିଏ କ୍ଷତ ଗୁଡ଼ିକୁ ଆଉଁଶି ଦିଅ l ସଖାଙ୍କ କଷ୍ଟରେ ବ୍ୟତିବ୍ୟସ୍ତ ଅର୍ଜୁନ ନାରଦଙ୍କ ବାଣୀ ଭୁଲି ଗଲେ l ସେ ତତ୍କ୍ଷଣାତ ତାଙ୍କ ଗାଣ୍ଡୀବଧନୁଟି ଶ୍ରୀକୃଷ୍ଣଙ୍କ ଆଡ଼କୁ ବଢ଼ାଇ ଦେଲେ l କୃଷ୍ଣ ଗାଣ୍ଡୀବ ସ୍ପର୍ଶ କରିବା ମାତ୍ରେ ଅର୍ଜୁନ ଅନୁଭବ କଲେ ସେ କିପରି ନିର୍ବଳ ହୋଇପଡ଼ିଛନ୍ତି l ତାଙ୍କର ଧନୁଟିକୁ ଉଠାଇବାକୁ ମଧ୍ୟ ଶକ୍ତି ନାହିଁ l ତାଙ୍କ କଳା ହରଣ କରିନେଲେ ପ୍ରଭୁ l କାରଣ ପ୍ରଭୁଙ୍କ ଲୀଳାର ସମାପ୍ତି ସହ, ଅର୍ଜ୍ଜୁନଙ୍କ କାର୍ଯ୍ୟ ମଧ୍ୟ ସମାପ୍ତ ହୋଇ ଯାଇଥିଲା l କଥା ରହିଗଲା,’ଯେଉଁ ଗାଣ୍ଡିବ ହାତେ ସେହି ଗାଣ୍ଡୀବ ମାଥେ ‘ l
ପ୍ରଭୁ କ୍ଷୀଣକଣ୍ଠରେ କହିଲେ,ମୁଁ ଏବେ ଏ ଧରାଧାମ ଛାଡ଼ିବି l ଯଦୁବଂଶ ଧ୍ଵଂସହୋଇଛି l ଏବେ ଦ୍ୱାରକା ମଧ୍ୟ ଜଳମଗ୍ନ ହେବ l ତୁମେ ଦ୍ୱାରକାପୁରରୁ ସମସ୍ତ ରମଣୀ ମାନଙ୍କୁ ଘେନି ହସ୍ତିନା ଚାଲିଯାଅ l
ଅର୍ଜୁନ ଦ୍ୱାରକାର ସବୁ ପୁରନାରୀମାନଙ୍କୁ ସଙ୍ଗରେ ଘେନି ହସ୍ତିନା ଚାଲିଲେ l କିଛି ପଥ ଅତିକ୍ରମ କଲା ପରେ ହଠାତ୍ କୁଆଡୁ କେତେକ ବଳଶାଳୀ ଲୋକ ବର୍ଚ୍ଛା, ତୀର, ଛୁରୀ,କଟାରୀ ଆଦି ନାନା ମାରଣାସ୍ତ୍ର ଧରି ତାଙ୍କ ଉପରେ ଆକ୍ରମଣ କରିଦେଲେ ଓ ନାରୀ ମାନଙ୍କ ସବୁ ଗହଣା ଓ ଅଳଙ୍କାର ଛଡ଼ାଇନେଲେ l ମହାଭାରତର ମହାବୀର ଗାଣ୍ଡିବୀ ଅର୍ଜୁନ ଉପସ୍ଥିତ ଥାଇମଧ୍ୟ କୌଣସି ପ୍ରତିରୋଧ କରିପାରିଲେ ନାହିଁ l ଆକ୍ରମଣକାରୀ ସମସ୍ତ ଡାକୁ ଥିଲେ ଭିଲ ଜନଜାତି ଲୋକେ l ଏହା ଥିଲା ମହାକାଳର ଖେଳ l ଏହାକୁ ଲକ୍ଷ୍ୟକରି ସନ୍ଥ ତୁଳସୀଦାସ କହିଲେ:-
ତୁଳସୀ ନରକା କ୍ୟା ବଡ଼ା
ସମୟ ବଡ଼ା ବଳବାନ୍ l
ଭୀଲା ଲୁଟି ଗୋପୀଆଁ
ୱହି ଅର୍ଜୁନ ୱହି ବାଣ ll
ଅର୍ଜୁନଙ୍କ ସାଥିରେ ଥିବା ଗୋପୀ ମାନେ ଭୟଭୀତ ହୋଇ ପାଖରେଥିବା ଏକ ପୁଷ୍କରିଣୀରେ ବୁଡ଼ି ଆତ୍ମ ଗୋପନ କଲେ l ସେହି ପୁଷ୍କରଣୀଟିର ସ୍ମୃତି ବହନ କରୁଛି ପ୍ରଭାସ ତୀର୍ଥ ନିକଟବର୍ତ୍ତୀ ଗୋପୀ ତଲାବ l ଏଠାରେ ମିଳୁ ଥିବା ଚନ୍ଦନ ମୃତ୍ତିକା ଗୋପୀ ଚନ୍ଦନ ନାମରେ ପ୍ରସିଦ୍ଧ ଯାହା ଭଗବାନ୍ ଶ୍ରୀକୃଷ୍ଣଙ୍କର ଅତି ପ୍ରୀୟ l ବୈଷ୍ଣବମାନେ ଗୋପୀ ଚନ୍ଦନରେ ତୀଳକ ଚିତା, ଧାରଣ କରିଥାନ୍ତି l ଗୋପୀ ଚନ୍ଦନର ମହତ୍ତ୍ଵ ପ୍ରତିପାଦନ କରି ଗର୍ଗ ସଂହିତାରେ ମହାମୁନି ଗର୍ଗ କହିଛନ୍ତି:-
ନିତ୍ୟମ୍ କରୋତି ଯୋ ପାପୀ
ଗୋପୀଚନ୍ଦନ ଧାରଣମ୍ l
ସ ପ୍ରାପତି ହରେର୍ଧାମ ଗୋଲକ
ପ୍ରକୀର୍ତ୍ତ୍ୟେ ପରମ୍ ll
!!! ଓଁ ଗୋପୀଜନ ବଲ୍ଲଭାୟ ନମଃ !!!
🙏🙏🙏
ଅର୍ଜୁନୀ
—————-
ଅର୍ଜୁନୀ ଚରଣ ବେହେରା
ମୋ – 7693091971

Comments are closed.