ଜୟ ଭଗବତୀ

ଅର୍ଜୁନୀ ଚରଣ ବେହେରା

ଜୟ ଭଗବତୀ
==========
ଜୟ ଭଗବତୀ ମାଆଲୋ ଭାରତୀ
ଜୟ ଲୋ ମଙ୍ଗଳମୟୀ l
ଉତ୍କଳ ଭୂମିରେ ବିଜେ କଲୁ ମାଆ
କେତେ କେତେ ନାମ ବହି ll
ଝଙ୍କଡ଼େ ଶାରଳା ଶ୍ରୀକ୍ଷେତ୍ରେ ବିମଳା
ବାଙ୍କିରେ ଚର୍ଚ୍ଚିକା ତୁହି l
ପ୍ରାଚୀ ତଟେ ମାଆ ମଙ୍ଗଳା ରହିଲୁ
ଦଇତାଙ୍କୁ ଦାରୁ କହି ll
ବାଟେ ବାସ ବାଟମଙ୍ଗଳା ବୋଲାଉ
ବାଟ ଦେଉଛୁ ବତାଇ l
ଶ୍ରୀକ୍ଷେତ୍ର ପଥରେ ବସିଛୁ ମାଆ ଲୋ
ପଥିକେ କଲ୍ୟାଣଦାୟୀ ll
ଋଷିକୂଲ୍ୟା ତଟେ ମା’ ତାରା ତାରିଣୀ
ଚିଲିକାରେ କାଳିଜାଇ l
ଘଟ ଗାଁ ତାରିଣୀ ମାଆ ଶାଳବଣି
ଯାଜପୁରେ ବିରଜାଇ ll
ଭଦ୍ରକରେ ମାଆ ଭଦ୍ରାକାଳି ତୁହି
ତାଳଚେରେ ହିଙ୍ଗୁଳାଇ l
ବାଣପୁରେ ଭଗବତୀ ମା’ ବୋଲାଉ
ଖୋରଧାରେ ବରୁଣାଇ ll
କଳାପାହାଡ଼କୁ କୋଣାର୍କେ ଭଣ୍ଡିଲୁ
ରାମଚଣ୍ଡୀ ମହାମାୟୀ l
ବାଲୁବନ୍ତ ପରେ ବିଜେ କଲୁ ମାଆ
ବାଲି ହରଚଣ୍ଡୀ ହୋଇ ll
ହାଟକ ଗୋଉରୀ କଟକ ଚଣ୍ଡୀ ମା
ସମ୍ଲପୁରେ ସମଲେଇ l
ଚଣ୍ଡୀଖୋଲେ ଚଣ୍ଡୀ ମା’ ସିନ୍ଦୁରମୁଣ୍ଡି
ବାରବାଟି ଗଡ଼େ ଥାଇ ll
ଭବାନୀ ପାଟଣା ମାଣିକେଶ୍ଵରୀ ମା
ଏକାମ୍ରରେ ଗୌରୀ ତୁହି l
ବଇତ୍ରଣୀ ମୁଖେ ବିଜେ କଲୁ ସୁଖେ
ମାଆ ତୁହି ଧାମରାଇ ll
କୁଲାଡ଼ ଗଡ଼ରେ ମାଆ ବ୍ୟାଘ୍ରଦେବୀ
ବାରିପଦା ଅମ୍ବିକାଇ l
ଭାଲେରି ପାହାଡ଼େ ବାସକଲୁ ମାଆ
ନାରାୟଣୀ ନାମ ବହି ll
ରଣପୁରେ ମାଆ ମଣିନାଗେଶ୍ଵରୀ
ପର୍ବତ ନନ୍ଦିନୀ ତୁହି l
ଦୁର୍ଗତି ନାଶିନୀ କେତେ ପିଠେ ମାଆ
ନାମ ବହୁ ଜାଗୁଳାଇ ll
ତୁହି ମା’ ଅମ୍ବିକା କରାଳୀ କାଳିକା
ଜଗତ ଜନନୀ ତୁହି l
ନମଃ ନାରାୟଣୀ ମନ୍ଦାର ମାଳିନୀ
ଦୟାକର ଦୟାମୟୀ ll
🙏🙏🙏
ଅର୍ଜୁନୀ
————
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧

Comments are closed.