ଶିମିଳିଗୁଡ଼ା ରାଜ୍ୟର ସବୁଠାରୁ ଥଣ୍ଡା ଜାଗା, ୯ଟି ସହରର ତାପମାତ୍ରା ୧୪ ଡିଗ୍ରି ତଳେ

ଭୁବନେଶ୍ବର: ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଆରମ୍ଭ ହୋଇଯାଇଥିବା ବେଳେ ଆଜି ରାଜ୍ୟର ୯ଟି ସହରର ତାପମାତ୍ରା ୧୪ ଡିଗ୍ରି ତଳେ ରହିଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା କୋରାପୁଟ ଜିଲ୍ଲାର ଶିମିଳିଗୁଡ଼ାଠାରେ ରେକର୍ଡ ହୋଇଛି। ଏଠାରେ ତାପମାନ ୭.୬ ଡିଗ୍ରି ରେକର୍ଡ କରାଯାଇଛି। ଏହାଛଡ଼ା ସର୍ବନିମ୍ନ ତାପମାତ୍ରା ଜି. ଉଦୟଗିରିରେ ୮.୨ ଡିଗ୍ରି ଓ  ଦାରିଙ୍ଗବାଡ଼ି ୧୦ ଡିଗ୍ରି ରେକର୍ଡ ହୋଇଛି।

ଅପରପକ୍ଷରେ କୋରାପୁଟ ଜିଲ୍ଲା ସେମିଳିଗୁଡ଼ାରେ ୧୦.୫ ଡିଗ୍ରି, ଫୁଲବାଣୀ‌ରେ ୧୧, ଭବାନୀପାଟଣାରେ ୧୨, ସୁନ୍ଦରଗଡ଼ ଜିଲ୍ଲା କିରେଇରେ ୧୨ ଡିଗ୍ରି, ସମ୍ବଲପୁର ଜିଲ୍ଲା ଚିପିଲିମାରେ ୧୩.୨ ଡିଗ୍ରି ଓ ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୩.୬ ଡିଗ୍ରି ସେଲସିୟଅସ୍ ରେକର୍ଡ ହୋଇଛି। କଟକ-ଭୁବନେଶ୍ବରର ତାପମାତ୍ରା ମଧ୍ୟ ୧୭ ଡିଗ୍ରିକୁ ଖସିଛି। ଗତ ରାତିରେ କଟକର ରାତି ତାପମାତ୍ରା ୧୬.୬ ଡିଗ୍ରି ରହିଥିବା ବେଳେ ଭୁବନେଶ୍ବରର ୧୬.୫ ଡିଗ୍ରି ରହିଥିଲା।

ଏଣେ ରାଜ୍ୟରେ ଶୁଖିଲା ପାଗ ଜାରି ରହିବ  ଏବଂ ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତ ଆଗାମୀ ୪ ରୁ ୫ ଦିନ ଯାଏଁ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ରାତ୍ରି ତାପମାତ୍ରା ଆଗାମୀ ୪ ରୁ ୫ ଦିନ ଯାଏଁ ସ୍ୱାଭାବିକ ତାପମାତ୍ରା ଠାରୁ ୨ ରୁ ୪ ଡ଼ିଗ୍ରୀ ଯାଏଁ କମ୍ ରହିବାର ସମ୍ଭାବନା ରହିଛି ବୋଲି ଆକଳନ କରାଯାଇଛି। |

Comments are closed.