ସିଦ୍ଧାନ୍ତ ଦର୍ପଣ ହେବନାହିଁ ଲୟ

ଅର୍ଜୁନୀ ଚରଣ ବେହେରା

ସିଦ୍ଧାନ୍ତ ଦର୍ପଣ ହେବନାହିଁ ଲୟ
=================
ଆମରି ଓଡ଼ିଶା ରାଇଜର ମଣିଷ l ଯେତେବେଳେ ସେ ଖୁବ୍ ଛୋଟଥିଲା ଓ ତା’ ବୟସର ପିଲାମାନେ ଖେଳକୁଦରେ ମସଗୁଲ ରହୁଥିଲେ, ସେତେବେଳେ ଆକାଶକୁ ଚାହିଁ ସେ ଭାବୁଥିଲା ରାତିର ଢ଼ଙ୍କା ଥିବା ସରଗର ତାରା ଚାନ୍ଦୁଆଟି, ଦିନ ହେଲେ, ଉଭେଇ ଯାଉଛି କିଆଁ l ସନ୍ଧ୍ୟା ହେଲା ମାତ୍ରେ ହିଁ ସେ ଯାଇ ଆକାଶରେ ଗ୍ରହ ନକ୍ଷତ୍ରାଦିଙ୍କ ଗତି ବିଧିକୁ ପ୍ରଶ୍ନୀଳ ଦୃଷ୍ଟିରେ ଚାହିଁ ରହୁଥିଲେ l ବାଉଁଶ ନଳୀ ଓ କାଠି ଦୁଇଖଣ୍ଡ ଧରି ନକ୍ଷତ୍ର ମାନଙ୍କ ଦୂରତା ମାପିବାପାଇଁ ପ୍ରୟାସ କରୁଥିଲା l ସେ ଚାଳରେ କଣା କରି ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କ ଛାୟାକୁ ନୀରିକ୍ଷଣ କରୁଥିଲା l କ୍ରମେ ଏହା ତାଙ୍କର ନିଶାରେ ପରିଣତ ହୋଇଯାଇଥିଲା l ଏ ସହଜାତ ଅଲୌକିକପ୍ରତିଭା ବ‌ଳରେ ଦିନେ ସେ ଜ୍ୟୋତିର୍ବିଜ୍ଞାନ ପାଣ୍ଡିତ୍ୟରେ, ସମଗ୍ର ବିଶ୍ବକୁ ଚକିତ କରିଦେଇ ଥିଲେ l ସେ ଆଉ କେହି ନୁହଁନ୍ତି l ତାଙ୍କୁ ଆମେ ଜାଣିଥାଉଁ ମହା ମହୋପାଧ୍ୟାୟ ସାମନ୍ତ ଚନ୍ଦ୍ର ଶେଖର ହରି ଚନ୍ଦନ ମହାପାତ୍ର ନାମରେ l
ଏହି ମହା ମନିଷୀଙ୍କ ଜନ୍ମ ହୋଇଥି ଲା, ଗଡଜାତ ରାଜ୍ୟ ଖଣ୍ଡପଡ଼ାରେ l ଅଧୁନା ମହାକାଶ ବିଜ୍ଞାନର ବହୁ ଅଗ୍ରଗତି ହୋଇଛି,ମାତ୍ର ପଠାଣି ସାମନ୍ତ ଆଜି ବି ବିଜ୍ଞାନାକାଶରେ ଏକ ବିସ୍ମୟ ହୋଇ ରହିଛନ୍ତି l ଆଜି ସେହି ଯୋଗ ଜନ୍ମାଙ୍କ ଜନ୍ମଦିନ l
ପଠାଣି ସାମନ୍ତ ଖଣ୍ଡପଡ଼ାର ଖୁଂଟ ପଡ଼ାରେ ତେର ଡ଼ିସେମ୍ବର 1835, ପୌଷ କୃଷ୍ଣଅଷ୍ଟମୀରେ ଭୂମିଷ୍ଠ ହୋଇ ଥିଲେ l ମହା ମହୋପାଧ୍ୟାୟ, ତାଙ୍କର ନିଜ ଉପାଧି, ସାମନ୍ତହରିଚନ୍ଦନ ତାଙ୍କ ରାଜଦତ୍ତ ଉପାଧି l ତାଙ୍କ ପିତା ଥିଲେ ଶ୍ୟାମବନ୍ଧୁ ଓ ମାଆ ଧରାକୋଟ ରାଜଜେମା ବିଷ୍ଣୁମାଳି l ତାଙ୍କ ପିତାମାତାଙ୍କର ନଅ କନ୍ୟା ଓ ଗୋଟିଏ ପୁଅ ଥିଲା l ଦୁଇକନ୍ୟା ଓ ଏକ ମାତ୍ର ପୁଅର ଅକାଳ ମୃତ୍ୟୁ ହେଲାପରେ ସେମାନେ ରାମେଶ୍ୱର ବା ଚନ୍ଦ୍ର ଶେଖର ମହାଦେବଙ୍କ କୃପାରୁ ପଠାଣିଙ୍କୁ ପୁତ୍ର ଭାବେ ଲାଭ କରି ନାମ ରଖିଥିଲେ ଚନ୍ଦ୍ର ଶେଖର l ଅକାଳ ମୃତ୍ୟୁ ମୁଖରେ ପିଲା ମାନେ ପଡୁ ଥିବାରୁ ବାପାମାଆ ତାଙ୍କୁ ପଠାଣ ଘରକୁ ବିକ୍ରି କରି ଦେଇଥିଲେ l ସେପାଇଁ ତାଙ୍କ ନାମ ରଖାଯାଇ ଥିଲା ପଠାଣି l ତାଙ୍କ ପିତା ଜ୍ୟୋତିଷ ଶାସ୍ତ୍ର ପଣ୍ଡିତ ଥିବାରୁ ପଠାଣି ପିଲାବେଳୁ ଏ ବିଦ୍ୟା ପ୍ରତି ଆକୃଷ୍ଟ ହୋଇ ଯାଇ ଥିଲେ l ସେ ସ୍ୱଭାବରେ ଥିଲେ, ନମ୍ର, ଭଦ୍ର ଏବଂ ମେଧାବୀ,ମାତ୍ର ଦଶବର୍ଷ ବୟସ ହେବା ବେଳକୁ ସେ ବିବାହ ମେଳକ, ରାଶି ଗଣନା, କର କପାଳ, କୋଷ୍ଠୀ ଦେଖି,ଭବିଷ୍ୟତ କଥାକୁ ଜାଣିବା ସବୁରେ ପାରଙ୍ଗମ ହୋଇଯାଇଥିଲେ l ପନ୍ଦର ବର୍ଷ ବୟସ ହେଲାବେଳକୁ ସେ ନକ୍ଷତ୍ରପରିଚୟ ଜାତକ ଅଳଙ୍କାର ଜ୍ୟୋତିଷଚ ନ୍ଦ୍ରୋଦୟ ସର୍ବାର୍ଥ ଚିନ୍ତାମଣି ଜ୍ୟୋତିଷଅର୍ଣ୍ଣବ ଆଦି ଜ୍ୟୋତିଷଶାସ୍ତ୍ରରେ ପାଣ୍ଡିତ୍ୟ ହାସଲ କରି ସାରିଥିଲେ l ଜ୍ୟୋତିଷ ଦୁଇ ପ୍ରକାର l ଗଣିତ ଜ୍ୟୋତିଷ ଏବଂ ଫଳିତ ଜ୍ୟୋତିଷ l ଗଣିତ ଜ୍ୟୋତିଷଶାସ୍ତ୍ରରେ ଗ୍ରହନକ୍ଷତ୍ରଙ୍କ ସ୍ଥିତି ଏବଂ ଚଳନ ବିଷୟରେ ଗଣନା କରାଯାଉଥିଲା ବେଳେ ଫଳିତ ଜ୍ୟୋତିଷରେ ରାଶି ଚକ୍ରର ଅବସ୍ଥାନ ଏବଂ ଏହାର ଫଳାଫଳ ନିରୂପଣ କରାଯାଏ l ପଠାଣିସାମନ୍ତଙ୍କ ଗଣିତ ଜ୍ୟୋତିଷରେ ଅସାଧାରଣ ପାଣ୍ଡିତ୍ୟ ଯୋଗୁଁ ଗଜପତି ମହାରାଜା, ତାଙ୍କୁ ହରି ଚନ୍ଦନ ମହାପାତ୍ର ଉପାଧି ପ୍ରଦାନ କରିଥିଲେ l
ପଠାଣିସାମନ୍ତ ସ୍ବଶିକ୍ଷିତ ଜ୍ୟୋତିର୍ବିଜ୍ଞାନୀ l ସେ ଏକ ସମ୍ଭାନ୍ତ ରାଜ ପରିବାରରେ ଜନ୍ମ ଲାଭ କରି ଥିଲେ l ଛୋଟ ବୟସରୁ ପଠାଣି ରାଜବାଟୀ ପାଠାଗାରରୁ ବିଭିନ୍ନ ପୁସ୍ତକମାନ ଆଣି ପଠନ କରୁଥିଲେ l ଏହା ପରେ ବିଭିନ୍ନ କାଠ ଓ ବାଉଁଶ ଆଣି ନିଜପାଇଁ ଯନ୍ତ୍ର ପାତି ତିଆରି କରୁ ଥିଲେ l ରାତି ରାତି ଅନିହ୍ରା ରହି ସେ ନିଜେ ତିଆରି କରିଥିବା ପାରମ୍ପରିକ ଯନ୍ତ୍ରଦ୍ବାରା ଆକାଶରେ ଗ୍ରହ ତାରାଙ୍କ ଗତିକୁ ଲକ୍ଷ୍ୟ କରୁଥିଲେ l ଗଣିତ ଓ ପାରମ୍ପରିକ ଜ୍ୟୋତିର୍ବିଜ୍ଞାନ ପଢ଼ିବାପରେ ସେ ବିଭିନ୍ନ ଭାରତୀୟ ଗଣିତଜ୍ଞ ଓ ଜ୍ୟୋତିର୍ବିଜ୍ଞାନୀ ଯଥା ଆର୍ଯ୍ୟଭଟ୍ଟ, ବରାହ ମିହିର, ବ୍ରହ୍ମଗୁପ୍ତ ଆଦିଙ୍କ ଗଣନା ସହିତ ନିଜ ଗଣନାକୁ ମିଶାଇବାକୁ ଚେଷ୍ଟା କରୁଥିଲେ l ଗୋଟିଏ ବାଉଁଶ ନଳୀ ଓ ଦୁଇଗୋଟି ବାଉଁଶ କାଠି ସାହାଯ୍ୟରେ, ସେ ଅନ୍ତରୀକ୍ଷର ଗ୍ରହ ନକ୍ଷତ୍ର ମାନଙ୍କ ଗତିବିଧି ଉପରେ ଗବେଷଣା କରି ଗଣନା, ଗବେଷଣା ଏବଂ ସିଦ୍ଧାନ୍ତକୁ ସେ ” ସିଦ୍ଧାନ୍ତ ଦର୍ପଣ” ନାମକ ଗ୍ରନ୍ଥରେ ଲିପିବଦ୍ଧ କରିଯାଇଛନ୍ତି l ଏଥିରେ ରହିଛି, ତାଙ୍କ ଦୀର୍ଘ କୋଡ଼ିଏ ବର୍ଷ ବ୍ୟାପି ଜ୍ୟୋତିର୍ବିଦ୍ୟା ବିଷୟକ ଗବେଷଣାଲବ୍ଧ ତଥ୍ୟ ଓ ସିଦ୍ଧାନ୍ତ l ଏ ସିଦ୍ଧାନ୍ତକୁ ସେ 2500 ଟି ଶ୍ଳୋକରେ ସିଦ୍ଧାନ୍ତ ଦର୍ପଣରେ ଲିପିବଦ୍ଧ କରିଛନ୍ତି l ସେ ନିଜେ 2284 ଶ୍ଳୋକ ରଚନା କରିଛନ୍ତି ଏବଂ 216 ଟିକୁ ଅନ୍ୟ ଗ୍ରନ୍ଥରୁ ଉଦ୍ଧାର କରି ସନ୍ନିବେଶିତ କରିଛନ୍ତି l ସିଦ୍ଧାନ୍ତଦର୍ପଣକୁ ଛାଡ଼ି ସେ ଆହୁରି ଦୁଇଟି ଅମୁଲ୍ୟ ଜ୍ୟୋତିଷଗ୍ରନ୍ଥ ରଚନାକରିଛନ୍ତି ସଂସ୍କୃତରେ ଦର୍ପଣ ଦୀପିକା, ଓଡ଼ିଆରେ ଦର୍ପଣ ସାର l ସିଦ୍ଧାନ୍ତ ଦର୍ପଣ ଲେଖା ସରିଲା l ଏହା ଅପ୍ରକାଶିତ ହୋଇ ରହିଲା l ରେଭେନ୍ସା କଲେଜରେ କାର୍ଯ୍ୟରତ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଯୋଗେଶ ଚନ୍ଦ୍ର ରାୟ ପଠାଣି ସାମନ୍ତଙ୍କ ପ୍ରତିଭା ଏବଂ ତାଙ୍କର ଏହି ଅମୁଲ୍ୟ ଗ୍ରନ୍ଥର ସନ୍ଧାନ ପାଇ ଏହାକୁ ପ୍ରକାଶ କରାଇଥିଲେ l
ପଠାଣିଙ୍କ ପ୍ରତିଭା ଦେଖି, ପାଶ୍ଚାତ୍ୟର ଜ୍ୟୋତିର୍ବିତ ଥିବଟ ସାହେବ କହିଥିଲେ, ସେ ତାଙ୍କ ଜୀବନରେ କେଉଁଠାରେ ଏଭଳି ପ୍ରତିଭାଧାରୀ ଜ୍ୟୋତିର୍ବିଜ୍ଞାନୀ ଦେଖି ନାହାଁନ୍ତି l
ସେ ୧୮୯୦ ମସିହାରେ ପୃଥିବୀ ସୂର୍ଯ୍ୟଙ୍କ ମଧ୍ୟ‌ରେ ଥିବା ଦୂରତା, ଗଣନା କରିଥିଲେ l ଭୁବନେଶ୍ୱରସ୍ଥ ପଠାଣିସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କୁହନ୍ତି, “ଆଧୁନିକ ବିଜ୍ଞାନ, ସୂର୍ଯ୍ୟ ଚାରିପାଖେ ପୃଥିବୀ ଘୂରିବା ଏଵଂ ଏହି ଦୁଇ ମହାଜାଗତୀୟ ବସ୍ତୁ ମଧ୍ୟରେ ଦୂରତା ମାପି ସାରି ଥିଲେ ମଧ୍ୟ ପଠାଣି ସାମନ୍ତ ନିଜ ପାରମ୍ପରିକ ଯନ୍ତ୍ର ପାତି ଓ ଖାଲି ଆଖିରେ ଯେଉଁ ଗଣନା କରି ଥିଲେ ତାହା ଆଶ୍ଚର୍ଯ୍ୟଜନକ ଥିଲା l ଦୁଇ ଶତାବ୍ଦୀ ତଳର ତାଙ୍କ ନିର୍ଭୁଲଗଣନା ଆଜିର ଅତ୍ୟାଧୁନିକ ଯୁଗରେ ମଧ୍ୟ ଏହାର ପ୍ରାସଙ୍ଗିକତାକୁ ଦୃଢ଼ ଭାବେ ବଜାୟ ରଖିଛି l”
ପଠାଣିଙ୍କ ଖ୍ୟାତି ସମଗ୍ର ଦେଶ ଏବଂ ବିଦେଶରେ ବ୍ୟାପି ଯାଇଥିଲା l ସମ୍ମାନପ୍ରଦାନ ପାଇଁ ୧୮୯୩ ମସିହା ଅଗଷ୍ଟ ୮ତାରିଖରେ ବଙ୍ଗସରକାର ତାଙ୍କୁ ଚିଠି ଲେଖିଥିଲେ କଲିକତା ଦରବାରରେ ଯୋଗ ଦେବାପାଇଁ,କିନ୍ତୁ ନିଜ କାର୍ଯ୍ୟରେ କାଳେ ବ୍ୟାଘାତ ହେବ ଭାବି ସେ ସେଠାକୁ ଯାଇ ନଥିଲେ l ପରେ ବଙ୍ଗ ବଡ଼ ଲାଟଙ୍କ ନିର୍ଦ୍ଦେଶ କ୍ରମେ କଟକ ଠାରେ ଗୋଟିଏ ଦରବାର କରାଇ ତାଙ୍କୁ ସମ୍ମାନିତ କରା ଯାଇଥିଲା l ରାଜା ମହାରାଜା ଏବଂ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ, ତାଙ୍କୁ ମହା ମହୋପାଧ୍ୟାୟ ଉପାଧି ପ୍ରଦାନ କରା ଯାଇଥିଲା l ତାଙ୍କୁ କୌଣସି ରାଜ ଅନୁଗ୍ରହ ମିଳି ନଥିଲା l ରାଜା ମାନେ ତାଙ୍କୁ ଇର୍ଷା କରୁଥିଲେ l କିନ୍ତୁ ପ୍ରଚଣ୍ଡ ସ୍ୱାଭିମାନୀ ପଠାଣି କାହା ଆଗରେ ମଥାନତ କରି ନଥିଲେ l
ଦିନକର ଘଟଣା,ସେ ଗୋଟିଏ ବିବାହ ଉତ୍ସବ‌ରେ ପାରିକୁଦ ଗଡ଼କୁ ଯାଇ ଥିଲେ l ସେଠି ମଞ୍ଜୁଷାର ରାଜା ଶ୍ରୀଜଗନ୍ନାଥ ରାଜମଣି ଦେଓଙ୍କ ସହ ତାଙ୍କ ସାକ୍ଷାତହେଲା l ରାଜା ପଠାଣିଙ୍କୁ ମଞ୍ଜୁଷାରେ ଥିବା ମହେନ୍ଦ୍ର ପର୍ବତର ଉଚ୍ଚତା ନିର୍ଣ୍ଣୟ କରିଦେବା ପାଇଁ କହିଲେ l ସେ ତାଙ୍କ ବାଉଁଶ ନଳୀ ଦ୍ଵାରା ମହେନ୍ଦ୍ର ପର୍ବତର ଉଚ୍ଚତା ନିର୍ଣ୍ଣୟ କରିଦେଲେ ଯାହା ପୂର୍ବେ ନିର୍ଦ୍ଧାରିତ ଉଚ୍ଚତା ସହ ସମାନ ଥିଲା l ସେଠାରେ ଥିବା ସମସ୍ତ ସଭାସଦ ଚକିତ ହୋଇ ଯାଇଥିଲେ l ଏଥିରେ ଖୁସୀ ହୋଇ ରାଜା ତାଙ୍କୁ ଦୁଇଶହ ଟଙ୍କା ଦେଇ ପୁରସ୍କୃତ କରିଥିଲେ ଯାହା ସେ ସମୟରେ ଏକ ବଡ଼ ରାଶି ଥିଲା l
ପଠାଣି ଥରେ ଇଂଲଣ୍ଡରେ କେବେ ସୂର୍ଯ୍ୟ ପରାଗ ହେବ ଆଗୁଆ ସୂଚାଇ ଦେଇ ଥିଲେ l ମଞ୍ଜୁଷାର ରାଜା ଏକଥା ମାନ୍ଦ୍ରାଜର ଲାଟଙ୍କୁ ଜଣାଇଥିଲେ l ମାନ୍ଦ୍ରାଜର ତତ୍କାଳୀନ ଲାଟ୍‌,ଇଂଲଣ୍ଡକୁ ଏ ଖବର ଦେଇ ଦେଲେ l ସେଠାକାର ଜ୍ୟୋତିର୍ବିଦ ମାନେ ଉତ୍କଣ୍ଠାର ସହିତ ସେହି ସମୟକୁ ଅପେକ୍ଷା କରି ରହିଲେ l ପଠାଣିଙ୍କ କହିବା ଅନୁସାରେ ନିର୍ଦ୍ଦିଷ୍ଟ ସମୟରେ ସୂର୍ଯ୍ୟୋପରାଗ ହେଲା l ଠିକ୍‌ ସେମିତି ଥରେ ଆମେରିକାରେ ଚନ୍ଦ୍ର ଗ୍ରହଣ ନିର୍ଦ୍ଦିଷ୍ଟ ସମୟ ସୂଚାଇ ସେ ସେତେବେଳେ ରେଭେନ୍‌ସା କଲେଜ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଯୋଗେଶ ଚନ୍ଦ୍ର ରାୟଙ୍କୁ ପତ୍ର ଦ୍ବାରା ଜଣାଇଥିଲେ l ତାଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟଠାରୁ ମାତ୍ର ଦୁଇ ସେକେଣ୍ଡ ବିଳମ୍ବରେ ଚନ୍ଦ୍ର ଗ୍ରହଣ ଦୃଶ୍ୟ ‌ହୋଇଥିଲା ଓ ଏହା ସେ ସମୟର ଜ୍ୟୋତିର୍ବିଜ୍ଞାନୀ ମାନଙ୍କୁ ଚକିତ କରିଦେଇଥିଲା l ଥରେ ତତ୍କାଳୀନ ଓଡ଼ିଶାର ଇଂରେଜ କମିଶନର ତାଙ୍କୁ ସପ୍ତଶଯ୍ୟା ପର୍ବତର ଉଚ୍ଚତା କେତେବୋଲି ନିରୂପଣ କରିବାକୁ କହିଲେ l ସେ ତାଙ୍କର ସେହି ବାଉଁଶ ନଳୀ ଓ ଦୁଇ ଗୋଟି କାଠି ସାହାଯ୍ୟରେ ଉଚ୍ଚତା ନିର୍ଭୁଲ ଭାବେ 1178 ହାତ, 16 ଅଙ୍ଗୁଳ ବୋଲି କହିଥିଲେ l କମିଶନର ସାହେବ ତାଙ୍କର ଦେଶୀୟ ମାପ ଯନ୍ତ୍ରଟିକୁ ନେଇ ମୁଣ୍ଡରେ ଲଗାଇ ସମ୍ମାନ ଜଣାଇ ଥିଲେ l
ଦୀର୍ଘ ଦୁଇ ଶହ ବର୍ଷରୁ ଅଧିକ ବର୍ଷ ସମୟ ଧରି ଓଡ଼ିଶାରେ ପଞ୍ଜିକା ପ୍ରସ୍ତୁତିରେ ପଠାଣି ସାମନ୍ତଙ୍କ ଅଭ୍ରାନ୍ତ ଗଣନା ବ୍ୟବହୃତ ହୋଇ ଆସୁଛି l ତାଙ୍କ ଗଣନା ଅତ୍ୟନ୍ତ ସଠିକ୍‌ ଥିବାରୁ ଆଗକୁ ମଧ୍ୟ ଏହି ଗଣନାକୁ ନେଇ ପାଞ୍ଜି ପ୍ରସ୍ତୁତ ହେଉଥିବ ବୋଲି ଜ୍ୟୋତିର୍ବିଜ୍ଞାନୀ ସୁଦର୍ଶନ ତ୍ରିପାଠୀ କହନ୍ତି l ଆମ ଓଡ଼ିଶାର କୋହିନୂରପ୍ରେସ, ଭାଗ୍ୟଜ୍ୟୋତି, ରାଧା ରମଣ, ଧର୍ମଗ୍ରନ୍ଥ ଷ୍ଟୋରର ପାଞ୍ଜି ଆଦି ସାମନ୍ତଙ୍କ ଗଣନା‌କୁ କେନ୍ଦ୍ର କରି ପ୍ରସ୍ତୁତ କରା ଯାଉଛି l
ପଠାଣିଙ୍କ ଶେଷ ଜୀବନ ବହୁ ଦୁଃଖରେ କଟିଛି l ସେ ଶେଷ ଜୀବନରେ ଘୋର ଦାରିଦ୍ର୍ୟ ମଧ୍ୟରେ ଘରର ଗହଣା ବନ୍ଧା ପକାଇ, ଗୁଜରାଣ ମେଣ୍ଟାଉ ଥିଲେ l ରାତିରାତି ଅନିଦ୍ରା ରହି ଗ୍ରହନକ୍ଷତ୍ରଙ୍କ ଗତି ବିଧି ଦେଖିଦେଖି ସେ ରୋଗାକ୍ରାନ୍ତ ହୋଇପଡ଼ିଲେ l ତାଙ୍କର ଇଚ୍ଛା ଥିଲା,ଜଗନ୍ନାଥ ଧାମରେ ଦେହତ୍ୟାଗ କରିବେ l ସେ ନିଜର ଆୟୁଷ ଗଣନା କରି ମୃତ୍ୟୁ ସମୟ ଜାଣି ପାରିଥିଲେ l ମୃତ୍ୟୁ କିଛିଦିନ ଆଗରୁ ପୁତ୍ର ଗଦାଧରଙ୍କ ସହିତ ସବାରିରେ ପୁରୀ ଯାତ୍ରା କଲେ l ପହଞ୍ଚି ଗରୁଡ଼ ସ୍ତମ୍ଭ ପାଖରେ ଜଗନ୍ନାଥଙ୍କୁ ଦର୍ଶନ ‌କଲେ ଓ ମନ୍ଦିର ବେଢ଼ାକୁ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ସ୍ତୁତି ପାଠ କଲେ l ତା’ ପରେ ଯାଇ ପୁରୀ ମାର୍କଣ୍ଡ ସାହି ସ୍ଥିତ ପାରିକୁଦ ରାଜାଙ୍କ ଘରେ ରହିଲେ l ଦେହ ଅତି ଖରାପହେଲା l ଜ୍ବର ଛାଡ଼ିଲା ନାହିଁ, ୧୯୦୪ ମସିହା ଜୁନ୍‌ ୧୧ତାରିଖ ପୂର୍ବାହ୍ନରେ ଜଗନ୍ନାଥଙ୍କ ନାମ ଉଚ୍ଚାରଣ କରୁ କରୁ ତାଙ୍କ ପ୍ରାଣ ବାୟୁ ଉଡ଼ିଗଲା l
ପ୍ରଥିତ ଯଶା ଉତ୍କଳ ଭାସ୍କର ପଠାଣି ସାମନ୍ତଙ୍କର ସ୍ମୃତି ରକ୍ଷା ନିମନ୍ତେ ଖଣ୍ଡପଡ଼ାରେ ରହିଛି ପଠାଣି ସାମନ୍ତ ମ୍ୟୁଜିୟମ l ଏଠାରେ ତାଙ୍କ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଘଟଣା କ୍ରମକୁ ଓ ଅନ୍ୟାନ୍ୟ କଥା କଳାକୃତି ମାଧ୍ୟମରେ ପ୍ରଦର୍ଶନ କରାଯାଇଛି l ତାଙ୍କ ବିଜ୍ଞାନ ସମ୍ମତ ବିଭିନ୍ନ ସିଦ୍ଧାନ୍ତର ବର୍ଣ୍ଣନା ରହିଛି l ବ୍ୟବହାର କରୁଥିବା ତାଙ୍କ ମାନଯନ୍ତ୍ର, ଖେଳୁଥିବା କାର୍ଡ ଆଦି ସଂଗୃହିତ ହୋଇ ରହିଛି l
ଖଣ୍ଡପଡ଼ା ଦାଣ୍ଡ ସାହି ଅବସ୍ଥିତ ପଠାଣି ସାମନ୍ତଙ୍କ ବାସଭବନ ଏବେ ବି ତାଙ୍କ ସ୍ମୃତି ବହନ କରୁଛି l ରାତିସାରା ଅନ୍ତରୀକ୍ଷକୁ ଅନୁଧ୍ୟାନକରି ବିଭିନ୍ନ କଥା ଘରର ମାଟିକାନ୍ଥରେ ଲେଖୁଥିଲେ ପଠାଣି l ସକାଳୁ ନିଜର ପର୍ଯ୍ୟବେକ୍ଷଣକୁ ସେ ତାଳ ପତ୍ରରେ ଲେଖି ଦେଉଥିଲେ l ପରଦିନ ସେ କାନ୍ଥକୁ ପୁଣି ଗୋବର ମାଟିରେ ଲିପି ଦେଉଥିଲେ l ସେ ପୁରୁଣା ଘରଟି ଭାଙ୍ଗିଯାଇଛି କିନ୍ତୁ ଏହି ମାଟି କାନ୍ଥଟିକୁ ସଂରକ୍ଷିତ କରି ରଖା ଯାଇଛି l
ପଠାଣୀ ସାମନ୍ତଙ୍କଦ୍ବାରା ନିର୍ମିତ ଏବଂ ବ୍ୟବହାର କରା ହେଉଥିବା ସୂର୍ଯ୍ୟ ଘଡ଼ି, ରାଜ୍ୟର ଚାରୋଟି ସ୍ଥାନରେ ରଖା ହୋଇଛି l ଖଣ୍ଡପଡ଼ାର ତହସିଲ ଛକ, ରେଭେନ୍ସା ବିଶ୍ବବିଦ୍ୟାଳୟ, ଗଞ୍ଜାମର ବଡ଼ ଗଡ଼, କଟକର ବଡ଼ମ୍ବାରେ ଏହି ସୂର୍ଯ୍ୟଘଡ଼ି ଗୁଡିକୁ ଲଗା ଯାଇଛି l ସେ ବ୍ୟବହାର କରୁଥିବା ତାଳପତ୍ର, ବାଉଁଶନଳୀ,ବାଉଁଶକାଠି,ଆକାଶ ନୀରିକ୍ଷଣ ପାଇଁ ଗୋଳ ଯନ୍ତ୍ର, ସମୟ ଜାଣିବା ପାଇଁ ଉଲ୍ଲମୀ ଯନ୍ତ୍ର ଇତ୍ୟାଦିକୁ ସଂଗ୍ରହାଳୟରେ ରଖାଯାଇଛି l ଭୁବନେଶ୍ୱରରେ ତାଙ୍କ ସ୍ମୃତିରେ ପ୍ରତିଷ୍ଠା ହୋଇଛି ପଠାଣିସାମନ୍ତ ପ୍ଲାନେଟୋରିଅମ l ପୁରୀରେ ସ୍ଥିତ ସରକାରି କଲେଜକୁ ତାଙ୍କ ନାମରେ ନାମିତ କରା ଯାଇଛି l
କବିବର ରାଧାନାଥ ରାୟ ଉତ୍କଳ ଜନନୀଙ୍କ ଏହି ଯୋଗ୍ୟ ପୁତ୍ରଙ୍କୁ ଯଥାର୍ଥ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଲେଖି ଥିଲେ :-
ଉତ୍କଳ ଉଦୟ ଅଚଳେ ଭାସ୍କର l
ହେଲ ଭାରତର ଦ୍ୱିତୀୟଭାସ୍କର ll
ସିଦ୍ଧାନ୍ତ ଦର୍ପଣ ହେବ ନାହିଁ ଲୟ l
ନରଦେହେ ଥିବ ଯାବତ ହୃଦୟ ll
🙏🙏🙏
ଅର୍ଜୁନୀ
————-
ଅର୍ଜୁନୀ ଚରଣ ବେହେରା
ମୋ – 7693091971

Comments are closed.