ଶ୍ରୀୟା ସଜାଇଛି ଘର

ଅର୍ଜୁନୀ ଚରଣ ବେହେରା

ଶ୍ରୀୟା ସଜାଇଛି ଘର
============
ଶୁକ୍ଳ ଦଶମୀରେ ଶ୍ରୀୟା ସଜାଇଛି ଘର l
ମାଆ ଆସିବେ ତାହାର ଦରିଦ୍ର କୁଟୀର ll
ସୂର୍ଯ୍ୟ,ଚନ୍ଦ୍ର,ତାରା ଦିଶେ ଭଙ୍ଗା ଚାଳଘର l
ଗୋମୟେ ଲିପି କରିଛି ଅତି ପରିଷ୍କାର ll
ଗୁରୁବାର ପ୍ରଭାତରୁ ସ୍ନାନ ଶୌଚ ହୋଇ l
ସାତ ସିଆଁ ଧୁଆଶାଢ଼ୀ ପିନ୍ଧିଛି ବେଢ଼େଇ ll
ଲକ୍ଷ୍ମୀ ପାଦ କାଟି ପକାଇଛି ଚିତା ଝୋଟି l
ନୈବେଦ୍ୟ କରିଛି ଛେନା ଗୁଡ଼କୁ ଚକଟି ll
ଅତି ଯତନରେ ଗୋଟେ ଖଟୁଳୀ ସଜାଇ l
ଧାନମେଣ୍ଟା ବସାଇଛି ବସ୍ତ୍ରରେ ଘୋଡ଼ାଇ ll
ଶ୍ରୀ ମହାଲକ୍ଷ୍ମୀ ପୁରାଣ ସୁ ସ୍ୱରରେ ଗାଇ l
ଭକ୍ତିଭରେ ପୁଜେ ଶ୍ରୀୟା ଝୁଣାଧୂପ ଦେଇ ll
ବଜାଇଲା ଶୁଭ ଶଙ୍ଖ ଶୁଭେ ଦିବ୍ୟ ଧ୍ୱନୀ l
ଏକାଳେ ପହଞ୍ଚି ଗଲେ ମାଆ କମଳିନୀ ll
ଝୋଟି ପଦ୍ମ ଫୁଲେ ବିଜେ ସାଗର ତନୁଜା l
ପାଦତଳେ ପଡ଼ି ଶ୍ରୀୟା କଲା ତାଙ୍କ ପୂଜା ll
ଏତେଦୟା ମା’ କରୁଣାମୟୀ ମୋହଠାରେ l
କି ଦେଇ ପୂଜିବି ମାଗୋ କିଛି ନାହିଁ ଘରେ ll
କିଛି ଲୋଡ଼ାନାହିଁ ଶୁଣ ଆଲୋ ତୁହି ଶ୍ରୀୟା l
ଲକ୍ଷ୍ମୀ ବୋଲନ୍ତି ତୁ ଅଟୁ ଭକ୍ତାଗ୍ରଣ୍ୟା ନାହା ll
ଧନ, ଧାନ୍ୟେ ପୂର୍ଣ୍ଣ କଲେ ଚଣ୍ଡାଳୁଣୀ ଘର l
ଆନନ୍ଦେ ଫେରିଆସିଲେ ମାଆ ଶ୍ରୀମନ୍ଦିର ll
ଚଣ୍ଡାଳ ସାହିକୁ ଯାଇ ଥିଲେ ବୋଲି ମାଆ l
ଶ୍ରୀମନ୍ଦିରୁ ତଡ଼ିଦେଲେ ପ୍ରଭୁ ଚୋଉବାହା ll
ଏହାପରେ କାହାଣୀ ତ ସର୍ବେ ଥିବ ଜାଣି l
ଜୟ ଜୟ ଜଗନ୍ମାତା ଲକ୍ଷ୍ମୀ ଠାକୁରାଣୀ ll
🙏🙏🙏
ଅର୍ଜୁନୀ
———–
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.