ଶିବରାତ୍ରୀର ପୌରାଣିକ ପୃଷ୍ଠଭୂମି

ଅର୍ଜୁନୀ ଚରଣ ବେହେରା

ଶିବ ମଙ୍ଗଳମୟ, ଆଶୁତୋଷ, ଅଳ୍ପପୂଜାରେ ସେ ସନ୍ତୁଷ୍ଟ ହୁଅନ୍ତି l ସନତ୍ କୁମାରଙ୍କ ମତ ଅନୁଯାୟୀ ଶିବଙ୍କୁ ପ୍ରସନ୍ନ କରିବାପାଇଁ ଦଶଗୋଟି ବ୍ରତ ଅଛିl ତନ୍ମମଧ୍ୟରୁ ଶିବରାତ୍ରି ବ୍ରତ ସର୍ବଶ୍ରେଷ୍ଠ ଓ ସର୍ବସିଦ୍ଧି ପ୍ରଦାୟକ l ଜାବାଳିଙ୍କ ଶ୍ରୁତି ମଧ୍ୟ ଏହା କହିଥାଏ l କେତେକ ଶ୍ରୁତିରେ ମାଘ କୃଷ୍ଣଚତୁର୍ଦ୍ଦଶୀ ତିଥି ଶିବ ରାତ୍ରିବୋଲି ବର୍ଣ୍ଣନା ରହିଛି l କିନ୍ତୁ ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ତିଥିହିଁ ଶିବରାତ୍ରି ବୋଲି ସାଧାରଣରେ ବିଦିତ l ଭାରତର ବିଭିନ୍ନ ସ୍ଥାନରେ ଥିବା ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ କ୍ଷେତ୍ର ସମେତ ଏହା ଦେଶର ସବୁ ଶୈବପୀଠରେ ଭକ୍ତି ଏବଂ ଶ୍ରଦ୍ଧାର ସହ ପାଳିତ ହୋଇଥାଏ l
ପୌରାଣିକ ତଥ୍ୟାବଳୀରୁ ଜଣାଯାଏ ଦେବଦେବ ମହାଦେବଙ୍କ ଦ୍ୱାରା ଏହି ଦିନ ଏ ସଂସାର ପ୍ରକଟ ହୋଇଥିଲା l ଦେବତା,ଦାନଵଙ୍କ ଦ୍ୱାରା ସଙ୍ଘଟିତ ହୋଇଥବା ସାଗର ମନ୍ଥନରୁ ସଂସାର ନାଶକାରୀ ଯେଉଁ ହଳାହଳ କାଳ କୂଟ ଗରଳ ଉତ୍ପନ୍ନ ହୋଇ ଥିଲା ତାହାକୁ ଶିବ ପାନ କରି ସମଗ୍ର ସଂସାରକୁ ଧ୍ବଂସ ମୁଖରୁ ବଞ୍ଚାଇଥିଲେ l ବିଷପାନ ପରେ ସେ ବିଷ ଜ୍ୱାଳାରେ ମୂର୍ଛିତ ହୋଇଯାଇ ଥିଲେ l ତାଙ୍କ ସଂଜ୍ଞା ଫେରିବା ପର୍ଯ୍ୟନ୍ତ ଦେବ ଗଣ ଓ ଶିବଗଣ ଅଖଣ୍ଡ ପ୍ରଦୀପ ଜାଳି ଉଜାଗରରେ ବସି ଥିଲେ l ଏ ଘଟଣାର ସ୍ମୃତି ସ୍ୱରୂପ ମହା ଶିବରାତ୍ରି ପାଳିତ ହୁଏ l ପୁଣି ଫାଲଗୁନ କୃଷ୍ଣଚତୁର୍ଦ୍ଦଶୀ ଦିନ ଶଙ୍କର ଲିଙ୍ଗ ଭାବରେ ପ୍ରକଟ ହୋଇ ଥିବାରୁ ଏହି ଦିନକୁ ମହା ଶିବରାତ୍ରି ଭାବରେ ପାଳନ କରାଯାଏ l
ମହାଭାରତର ଶାନ୍ତି ପର୍ବରେ କଥିତ ଅଛି, ଭୀଷ୍ମ ଶରଶଯ୍ୟାରେ ଶାୟିତଥାଇ ଧର୍ମରାଜ ଯୁଧିଷ୍ଠିରଙ୍କୁ ଧର୍ମ ଉପଦେଶ ପ୍ରଦାନ ଛଳରେ ମହା ଶିବରାତ୍ରି ପାଳନ ସମ୍ପର୍କରେ ଇକ୍ଷାକୁବଂଶ ରାଜା ମହାରାଜ ଚିତ୍ରଭାନୁଙ୍କ କାହାଣୀ କହିଥିଲେ l ଏହି କାହାଣୀ ଅନୁସାରେ ଥରେ ଜମ୍ବୁଦ୍ୱୀପର ରାଜା ଚିତ୍ରଭାନୁଙ୍କ ରାଣୀ ଶିବରାତ୍ରି ଉପବାସ ପାଳନ କଲେ l ଏହି ସମୟରେ ମହାକୋପି ଅଷ୍ଟବକ୍ର ଋଷି ତାଙ୍କ ରାଜ ଦରବାରକୁ ଆସି ରାଜାଙ୍କୁ ଶିବରାତ୍ରୀ ପାଳନର କାରଣ ଜିଜ୍ଞାସା କଲେ l ରାଜା ଜାତସ୍ମର ଥିବାରୁ ନିଜ ପୂର୍ବଜନ୍ମର କାହାଣୀ ବର୍ଣ୍ଣନା କରି କହିଲେ, “ପୂର୍ବଜନ୍ମରେ ସେ ସୁସ୍ୱର ନାମରେ ଜଣେ ବ୍ୟାଧ ଥିଲେ l ଶିକାର ନିମନ୍ତେ ଏକଦା ସେ ଜଙ୍ଗଲରେ ବୁଲୁ ବୁଲୁ ସନ୍ଧ୍ୟା ହୋଇ ଯିବାରୁ ନିଜ କୁଟୀରକୁ ଫେରି ନ ପାରି ରାତିରେ ହିଂସ୍ର ଜନ୍ତୁଙ୍କ କବଳରୁ ରକ୍ଷାର୍ଥେ ନିକଟରେ ଥିବା ଗୋଟିଏ ବେଲ ବୃକ୍ଷ ଉପରେ ଆଶ୍ରୟ ନେଲେ l ରାତିସାରା ବେଲପତ୍ର ତୋଳି ତଳକୁ ପକାଇବା ସହ ସେ ନିଜ ପରିବାର କଥା ମନେ ପକାଇ ଅଶ୍ରୁ ଝରାଇବାକୁ ଲାଗିଲେ l ତାଙ୍କ ଅଜାଣତରେ ନୟନରୁ ଝରି ପଡୁଥିବା ଅଶ୍ରୁ ଓ ବେଲ ପତ୍ର ବିଲ୍ୱ ବୃକ୍ଷର ପାଦ ଦେଶରେ ଥିବା ଏକ ଶିବଲିଙ୍ଗ ଉପରେ ପଡୁଥାଏ l ଏମିତି ରାତ୍ରି ପାହିଗଲା ଓ ସେ ଶିକାରଧରି ଘରକୁ ଫେରିଲେ l ପ୍ରଥମେ ଜଣେ ଭିକ୍ଷୁକକୁ କିଛି ଖାଦ୍ୟ ଦାନ କରି ନିଜେ ଭୋଜନ କଲେ l କିଛିବର୍ଷ ପରେ ତାଙ୍କର ମୃତ୍ୟୁ ହେବାରୁ ସେ ଶୈବ ଲୋକ ପ୍ରାପ୍ତ ହେଲେ l ଅଜ୍ଞାତରେ ମଧ୍ୟ ସେ ଶିବରାତ୍ରିରେ ଉପବାସ ରହି ଶିବଲିଙ୍ଗ ଉପରେ ବେଲପତ୍ର ଓ ଲୋତକ ଅର୍ପଣ କରି ଥିବାରୁ ସେ ସଦାଶିବଙ୍କ କରୁଣା ଲାଭ କରି ଶିବଲୋକ ପ୍ରାପ୍ତ ହୋଇଥିଲେ l ଏହାହିଁ ଶିବରାତ୍ରି ପାଳନର ପୌରାଣିକ ପୃଷ୍ଠଭୂମି l
ଶିବ ମଙ୍ଗଳମୟ l ସେ ସମସ୍ତ ଜଗତର କଲ୍ୟାଣ ପାଇଁ ଗରଳ ପାନ କରିପାରନ୍ତି ଅର୍ଥାତ ସଂସାରରୁ ସମସ୍ତ କଳୁଷ ନାଶ କରି ପାରନ୍ତି l ସଂସାରର ତ୍ରି ତାପ ହରଣ କରିବାକୁ ପ୍ରଭୁ ଭୋଳାନାଥ ଶିବ ହିଁ ସମର୍ଥ l ଏଣୁ ଭାଗବତରେ କୁହାଯାଇଛି :-
ଜଳଧି ମନ୍ଥନର ବିଷ l
ରୁଦ୍ର ହୁଁ ଆନେ ନାହିଁ ଗ୍ରାସ ll
ସଦାଶିବ ସମସ୍ତ ଦେବ,ଯକ୍ଷ,ରକ୍ଷ,ନର,କିନ୍ନରଙ୍କୁ ଐଶ୍ୱର୍ଯ୍ୟ ପ୍ରଦାନ କରି ନିଜେ ବିଷ ଭକ୍ଷଣ କରନ୍ତି l ସେଥିପାଇଁ ସେ ହୋଇଛନ୍ତି ନୀଳକଣ୍ଠ l ଯିଏ ଶିବ ସିଏ ସତ୍ୟ ଓ ସୁନ୍ଦର l ସେ ସ୍ମଶାନ ବାସୀ l ଭସ୍ମ ବିଲେପିତ ଶରୀର ତାଙ୍କର ସୂଚନା ଦିଏ ପ୍ରାଣୀର ଅନ୍ତିମ ଆଶ୍ରୟ ସ୍ମଶାନ l ପରମ ଯୋଗୀ ହୋଇ ସେ ଇଙ୍ଗିତ କରନ୍ତି ଅନିତ୍ୟ ସଂସାର ପ୍ରତି l ତାଙ୍କ ତୃତୀୟ ନୟନ ଜ୍ଞାନ ଚକ୍ଷୁ,ବ୍ରହ୍ମ ଚକ୍ଷୁ,ବିଶ୍ୱ ଦର୍ଶନ ଚକ୍ଷୁ,ପୁଣି ସେ କୋପକଲେ ଏହା ସଂହାର ଚକ୍ଷୁ l ତାଙ୍କର ତ୍ରିନେତ୍ର ସ୍ବପ୍ନ,ଜାଗୃତି ଓ ସୁଷୁପ୍ତି ତିନୋଟି ଅବସ୍ଥାକୁ ସୂଚିତ କରି ଥାଏ l
• ଶିବଙ୍କ ଲଲାଟରେ ଭସ୍ମର ତିନି ରେଖା ଲୋକ ବାସନା, ଦେହ ବାସନା,ଶାସ୍ତ୍ର ବାସନା ନିଃଶେଷ କରିବାର ସଙ୍କେତ ଦିଏ l ଅନ୍ୟ ଅର୍ଥରେ,ଭକ୍ତକୁ ହିଂସା, ବାସନା ଏବଂ ମାୟା ତ୍ୟାଗ ପାଇଁ ଏହା ନିର୍ଦ୍ଧେଶ ଦିଏ l
• ତାଙ୍କର ଜଟାଜୁଟ ପରମ ବୈରାଗ୍ୟର ସୂଚନା l
• ସେ ଭଗବତୀ ଗଙ୍ଗାଙ୍କୁ ମସ୍ତକରେ ଧାରଣ କରି ଏ ତ୍ରିଜଗତର କଲ୍ୟାଣ ସାଧନ କରୁଛନ୍ତି l ଗଙ୍ଗା ଶାନ୍ତି ଓ ପବିତ୍ରତାର ପ୍ରତୀକ l
• ତାଙ୍କ ମସ୍ତକରେ ଥିବା ଅର୍ଦ୍ଧଚନ୍ଦ୍ର ମାନସିକ ବୁଦ୍ଧି ବିକାଶ ଏବଂ ସର୍ବଦା ଶାନ୍ତ ରହିବାର ପ୍ରତୀକ l
• ତାଙ୍କର ବସ୍ତ୍ର ମୃଗ ଚର୍ମ ତୀବ୍ରତାର ପ୍ରତୀକ l
• ବ୍ୟାଘ୍ରଚର୍ମ ଆସନ ଅହଂକାର ଦମନକୁ ସୁଚାଇ ଦେଇଥାଏ l
• ତାଙ୍କ ଦିଗମ୍ବର ଭୂଷଣ ପରମସନ୍ନ୍ୟାସ ସୂଚକ l
• ତାଙ୍କ ସର୍ପ ଭୂଷଣ ସତର୍କତା, ଜାଗ୍ରତ, ଆଧାର
ଯୁକ୍ତ ତଥ୍ୟ ଗ୍ରହଣକୁ ନିର୍ଦ୍ଧେଶ କରେ l
• ତାଙ୍କର ଡମ୍ବରୁ ନାଦ ଶବ୍ଦବ୍ରହ୍ମ ଓ ସକଳନାଦର
ପ୍ରତୀକ l
• ପଞ୍ଚମୁଖ ସୂଚିତ କରେ ସୃଷ୍ଟି, ସ୍ଥିତି, ସଂହାର,
ତୀରୋଭାବ ଓ ଅନୁଗ୍ରହ ଆଦି ପଞ୍ଚ କୃତ୍ୟକୁ l
• ବୃଷଭ ବାହନ ପବିତ୍ରତାର ପ୍ରତୀକ l
• ତାଙ୍କର ତ୍ରିଶୂଳ ଆୟୁଧ ତ୍ରିଶକ୍ତି,ତ୍ରିଦେବ ଓ ତିନି
ଭୁବନକୁ ସୂଚାଇ ଥାଏ l
ଶିବ ବ୍ରହ୍ମଜ୍ଞାନୀ,ସର୍ବଶାସ୍ତ୍ର ଜ୍ଞାତା ମହାଜ୍ଞାନୀ l ସେ କଳା, ସାହିତ୍ୟ, ନୃତ୍ୟ ଓ ସଙ୍ଗୀତର ଆଦିଦେବ l ସଦାଶିବ ନିତ୍ୟ ଧ୍ୟେୟ, ଜ୍ଞାନ, ବୈରାଗ୍ୟ, ତତ୍ତ୍ୱ ଓ ଦର୍ଶନର ସ୍ୱୟଂସମ୍ପୂର୍ଣ୍ଣ ବିଗ୍ରହ l ତେଣୁ ସେ ଦେବ ଦେବ ମହାଦେବ l
ଓଁ
ଓଁକାର ବିନ୍ଦୁ ସଂଯୁକ୍ତେ ନିତ୍ୟ ଧ୍ୟାୟନ୍ତି ଯୋଗୀନଃ
କାମଦଂ ମୋକ୍ଷଦଂ ଦେବ ଓଁକାରାୟ
ନମୋନମଃ !
ଓଁ ନମଃ ଶିବାୟଃ
🙏🙏🙏
ଅର୍ଜୁନୀ
———–
ମୋ – 7693091971

Comments are closed.