ଶିବଭକ୍ତ ମହର୍ଷି ମାର୍କଣ୍ଡେୟ

ଅର୍ଜୁନୀ ଚରଣ ବେହେରା

ପୂର୍ବକାଳରେ ଆମ ଆର୍ଯ୍ୟାବର୍ତ୍ତରେ ମୄକଣ୍ଡ ବୋଲି ଜଣେ ମହାନ୍ ଋଷି ବାସକରୁଥିଲେ l ତାଙ୍କ ପତ୍ନୀ ଥିଲେ ମରୁଦ୍ଵତୀ l ସୁଖରେ ସେମାନଙ୍କ ଦାମ୍ପତ୍ୟ ଜୀବନ କଟୁଥିଲା, ମାତ୍ର ତାଙ୍କର ଗୋଟିଏ ଦୁଃଖ ଥିଲା ତାଙ୍କର କୌଣସି ସନ୍ତାନ ସନ୍ତତି ନ ଥିଲେ l
ମହର୍ଷି ମୄକଣ୍ଡ ଥିଲେ ଶିବ ଭକ୍ତ l ତେଣୁ ଭଗବାନ ଶଙ୍କରଙ୍କୁ ସେ ପୁତ୍ର ପ୍ରାପ୍ତି ପାଇଁ ତପସ୍ୟା କରନ୍ତି l ଦିନେ ତାଙ୍କ ପ୍ରାର୍ଥନାରେ ପ୍ରସନ୍ନହୋଇ ମହାଦେବ ଆସି ଉଭା ହୋଇ କହିଲେ,ବତ୍ସ ! ମୁଁ ତୁମକୁ ପୁତ୍ର ବର ଦେବାକୁ ଆସିଛି l ତୁମେ କୁହ, ଦୀର୍ଘ ଜୀବୀ ଅଥଚ ମୂର୍ଖ ଏକଶହ ପୁତ୍ର ନେବ,ନା ଜଣେ ମାତ୍ର ମହାଜ୍ଞାନୀ ପୁତ୍ର ନେବ l ତୁମର ସେହି ମହାଜ୍ଞାନୀ ପୁତ୍ରର ଆୟୁ ମାତ୍ର ଷୋଳ ବର୍ଷ ରହିବ l ଶାସ୍ତ୍ରରେ କୁହାଯାଇଛି :-
ବରମେକ ଗୁଣିପୁତ୍ରଃ ନ ଚ ମୂର୍ଖା ଶତାନ୍ୟପି l ଏକଶ୍ଚନ୍ଦ୍ରନମୋହନ୍ତି ନ ଚ ତାରା ଗନୈରପି ll
ଅର୍ଥାତ୍, “ଶହେ ମୁରୁଖରୁ ଭଲ ଏକ ଗୁଣି ପୁଅ l
ଏକ ଚନ୍ଦ୍ର କରେ ଦେଖ ଆକାଶ ଆଲୁଅ l”ତେଣୁ ମୄକଣ୍ଡ ଭଗବାନ ଶଙ୍କରଙ୍କୁ ସେହି ସ୍ୱଳ୍ପାୟୁ ପୁଅଟି ଦେବା ପାଇଁ କହିଲେ l କିଛିଦିନ ଗତେ ଭଗବାନ ଭୋଳାନାଥଙ୍କ ପ୍ରାସାଦରୁ,ଋଷିପତ୍ନୀ ମରୁଦ୍ଵତୀଙ୍କ ଗର୍ଭରୁ ଏକ ତେଜୋବନ୍ତ ସନ୍ତାନ ଭୂମିଷ୍ଠ ହେଲା l ମହର୍ଷି ମୄକଣ୍ଡଙ୍କ ପୁତ୍ର ହୋଇଥିବାରୁ ପୁତ୍ରର ନାମ ରଖା ଗଲା ମାର୍କଣ୍ଡେୟ l ମାର୍କଣ୍ଡେୟ କାଳ କ୍ରମେ ପିତାଙ୍କଠାରୁ ଶିକ୍ଷା ଗ୍ରହଣକରି ସର୍ବଶାସ୍ତ୍ର ଜ୍ଞାତା ଓ ସର୍ବ ବିଦ୍ୟା ପାରଙ୍ଗମ ହେଲେ l
କ୍ରମେ ମାର୍କଣ୍ଡେୟଙ୍କ ଷୋଳବର୍ଷ ବୟସ ପାଖେଇ ଆସିବାରୁ ମୄକଣ୍ଡ ଚିନ୍ତିତ ହୋଇପଡ଼ିଲେ l ବିଷର୍ଣ୍ଣ ପିତାଙ୍କୁ ଲକ୍ଷ୍ୟ କରି ମାର୍କଣ୍ଡେୟ କହିଲେ, କୁହନ୍ତୁ ପିତା ଆପଣଙ୍କର ଦୁଃଖର କାରଣ କଅଣ ? ଖୁବ ମନସ୍ତାପରେ ମୄକଣ୍ଡ କହିଲେ, ଶିବଙ୍କୁ ଆରାଧନା କରି ମୁଁ ତୋତେ ପାଇଥିଲି,ମାତ୍ର ସେହି ଶିବ ବର ଅନୁଯାୟୀ, ତୋ ଆୟୁ ସମାପ୍ତ ହେବାକୁ ଯାଉଛି l ମାର୍କଣ୍ଡେୟ କହିଲେ, ଶିବ ତ ମଙ୍ଗଳମୟ, ତାଙ୍କୁ ଭଜନ କଲେ ଅକାଳମୃତ୍ୟୁ ଭୟ ଅପସରି ଯାଏ l ମୁଁ ତାଙ୍କର ପୂଜାର୍ଚ୍ଚନା କରିବି,ସେ ନିଶ୍ଚୟ ମୋତେ ରକ୍ଷା କରିବେ l ପୁଅର କଥା ଶୁଣି ମହର୍ଷି ମୄକଣ୍ଡ ଅତ୍ୟନ୍ତ ପ୍ରୀତ ହୋଇ ପୁଅର ପୂଜାପାଇଁ ଗୋଟିଏ ଶିବଲିଙ୍ଗ ଗଢ଼ିଦେଲେ l ମାର୍କଣ୍ଡେୟ ଶିବଲିଙ୍ଗଙ୍କୁ ପୂଜା କରିବାରେ ଲାଗିଲେ l
ଯେଉଁଦିନ ତାଙ୍କ ଆୟୁ ସମାପ୍ତ ହୋଇଗଲା ସେହି ଦିନ ତାଙ୍କ ନିକଟରେ ଯମ ରାଜ ପହଞ୍ଚି କହିଲେ, ତୁମର ଆୟୁ ସମାପ୍ତ ହୋଇଯାଇଛି l ତୁମକୁ ମୋ ସହିତ ସଂଜମନୀପୁରକୁ ଯିବାକୁହେବ ଯେଉଁଠିକି ସମସ୍ତ ପ୍ରାଣୀ ମାନେ ଯାଇଥାନ୍ତି l କାଳଦଣ୍ଡ ଧାରୀ ମୃତ୍ୟୁ ଦେବତା ମୁଁ ଧର୍ମରାଜ ଯମ l
ମାର୍କଣ୍ଡେୟ ଯମଙ୍କୁ ଭୟ ନ କରି, ପୂଜା କରୁଥିବା ଶିବ ଲିଙ୍ଗକୁ ଜାବୁଡ଼ିଧରିଲେ l ଯମ ବିରକ୍ତହୋଇ ତାଙ୍କର ଦଣ୍ଡଟିକୁ ପକାଇ ମାର୍କଣ୍ଡେୟଙ୍କୁ ଆକର୍ଷଣ କରିବାରୁ ଶିବ ଲିଙ୍ଗ ମଧ୍ୟରୁ ମହାଦେବ ଆବିର୍ଭୁତ ହୋଇ ଯମଙ୍କୁ ପଦାଘାତ କଲେ ଏବଂ ସେ ସ୍ଥାନ ଛାଡ଼ି ଚାଲିଯିବାକୁ କହିଲେ l ମାର୍କଣ୍ଡେୟ ଶିବଙ୍କୁ ପରେ କଠୋର ତପସ୍ୟା କରି, କଳ୍ପଜୀବି ରହିବା ବର ପ୍ରାପ୍ତ ହେଲେ l
ଏକଦା ଏକ କଳ୍ପଅନ୍ତେ ପ୍ରଳୟ ଉପସ୍ଥିତ ହେଲା l ସମଗ୍ର ସଂସାର ପ୍ରଳୟ ଜଳରେ ବିଲୀନ ହେବାକୁ ଲାଗିଲା l ସମସ୍ତ ସଂସାର ପ୍ରଳୟ ବାରି ମଧ୍ୟରେ ବୁଡ଼ି ରହିଥାଏ, ମାତ୍ର କଳ୍ପଜୀବି ମାର୍କଣ୍ଡେୟ ମୁନି ପ୍ରଳୟ ବାରିରେ ଭାସି ବୁଲୁ ଥାନ୍ତି l କେଉଁ ଠାରେ ହେଲେ ଆଶ୍ରୟ ନ ପାଇ ସେ ଦକ୍ଷିଣ ଦିଗକୁ ଭାସି ଯାଇ ଏକ ସ୍ଥାନରେ ଏକ ବଟ ବୃକ୍ଷକୁ ଦେଖିଲେ l ପ୍ରଳୟ ବାରିରେ ସବୁ କିଛି ନିମଜ୍ଜିତ ହୋଇଯାଇ ଥିଲାବେଳେ ସେହି ବଟବୃକ୍ଷଟି ଅକ୍ଷତ ଅବସ୍ଥାରେ ବିଦ୍ୟମାନ ଥିଲା l କ୍ଲାନ୍ତ ଶ୍ରାନ୍ତ ମହର୍ଷି ମାର୍କଣ୍ଡେୟ ଖୁବ ଆଶ୍ଚର୍ଯ୍ୟ ହେଲେ ଏବଂ ସେହି ବଟ ବୃକ୍ଷରେ ଆଶ୍ରୟ ନେବା ନିମନ୍ତେ ପାଖକୁ ଆସି ଏକ ଅଦ୍ଭୁତ ଦୃଶ୍ୟ ଦେଖି ଚକିତ ହୋଇଗଲେ l ସେ ଦେଖିଲେ ସେହି ବଟବୃକ୍ଷର ଏକ ପତ୍ର ଉପରେ ବାଳକଟିଏ ଶୟନ କରିଛି l ବାଳକର ଦେହରୁ ଦିବ୍ୟ ଜ୍ୟୋତି ବାହାରୁଛି, ତା’ ମୁଖ ଚତୁର୍ଦ୍ଧିଗକୁ ବିସ୍ତାରିତ ହୋଇ ରହିଛି l ପ୍ରଳୟ ବିପଦରେ ତ୍ରସ୍ତ ମୁନି ମାର୍କଣ୍ଡେୟ ଆଶ୍ରୟ ନିମନ୍ତେ ସେହି ବାଳକର ମୁଖ ଗହ୍ୱରରେ ପ୍ରବେଶକରି ତାଙ୍କ ଗର୍ଭମଧ୍ୟରେ ପହଞ୍ଚି ଦେଖିଲେ ସମସ୍ତ ବିଶ୍ୱ ବ୍ରହ୍ମାଣ୍ଡ ତା’ ଉଦରରେ ପୁରି ରହିଛି l ସେ ତାହା ମଧ୍ୟରେ ଭ୍ରମିଭ୍ରମି କୌଣସି ଆଦି ଅନ୍ତ ପାଇଲେ ନାହିଁ l ଜଗନ୍ନାଥ ପୁରାଣ ଅନୁସାରେ :-
ସେହି ଉଦର ଅଟଇ ଅତି ଯେ ବିସ୍ତାର l
କଳି ନ ହୁଇ ଆଦି ଅନ୍ତଃ ନାହିଁ ତା’ର ll
ଚାରିଆଡ଼େ ଭ୍ରମି ମୁନି ଆଶ୍ଚର୍ଯ୍ୟ ହୋଇଲେ l
ସେ ଉଦର ମଧ୍ୟେ କିଛି ଅନ୍ତ ନପାଇଲେ ll
କ୍ଷୁଦ୍ର ବାଳକର ଅନନ୍ତ ଗର୍ଭରେ ଥଳକୂଳ ନ ପାଇ ସେ ବାହାରକୁ ବାହାରିଆସି ସେହି ବାଳକକୁ ସ୍ତୁତି କରି କହିଲେ,”ହେ ଅନନ୍ତ,ଯେତେ ଚେଷ୍ଟା କଲେ ମଧ୍ୟ ମୁଁ ତୁମକୁ ଜାଣି ପାରୁ ନାହିଁ l ସଦୟ ହୋଇ ମୋତେ ଆପଣଙ୍କ ପରିଚୟ ଦିଅନ୍ତୁ l ମୋର ମନ ପ୍ରାଣକୁ ଶାନ୍ତ କରାନ୍ତୁ”l
ମାର୍କଣ୍ଡେୟମୁନିଙ୍କ କାତର ପ୍ରାର୍ଥନା ଶୁଣି ବଟପତ୍ର ଶାୟୀ ବାଳକ କହିଲେ,ମୁଁ ହେଉଛି ପୁରୁଷୋତ୍ତମ ଜଗନ୍ନାଥ l ଏହି କ୍ଷେତ୍ର ହେଉଛି ଶ୍ରୀପୁରୁଷୋତ୍ତମ କ୍ଷେତ୍ର ନୀଳାଚଳଧାମ l ବର୍ତ୍ତମାନ ମୁଁ ବାଳମୁକୁନ୍ଦ ରୂପରେ ବଟ ପତ୍ର ଉପରେ ଶୟନ କରୁଛି l ଏହି ବଟବୃକ୍ଷ କଳ୍ପବଟ l ପ୍ରଳୟ କାଳରେ ସମସ୍ତ ବସ୍ତୁ ଧ୍ବଂସ ହେଲେ ମଧ୍ୟ ଏହା ଅକ୍ଷୟରହେ l ଏ କ୍ଷେତ୍ର ମୋର ନିତ୍ୟ ଲୀଳାସ୍ଥଳୀ ହୋଇ ଥିବାରୁ ଏହାକୁ ମୁଁ କେବେ ପରିତ୍ୟାଗ କରେ ନାହିଁ l ପ୍ରଳୟ ଜଳ ମଧ୍ୟରେ ସମସ୍ତ ବସ୍ତୁ ଲୀନହୋଇଛି l ତେଣୁ ଏହି ଅକ୍ଷୟ ବଟର ପତ୍ରରେ ମୁଁ ଶୟନ କରୁଛି l ପୁନଃ ସୃଷ୍ଟି ସଂରଚନା ହେଲେ ମୁଁ ମୋର ସିଂହାସନରେ ବିଜେ କରିବି l”
ମହର୍ଷି ମାର୍କଣ୍ଡେୟ ବାଳ ମୁକୁନ୍ଦଙ୍କ ଠାରୁ କ୍ଷେତ୍ରର ମାହାତ୍ମ୍ୟ ଶ୍ରବଣ କରି କହିଲେ, ହେ ପ୍ରଭୁ ମୁଁ ଏହି ପରମ ପାବନ କ୍ଷେତ୍ରରେ ରହିବାକୁ ଇଚ୍ଛା କରୁଛି, ଦୟାକରି ମୋତେ ଆପଣ ଏହି ଅନୁଗ୍ରହ କରନ୍ତୁ l
ମହାପ୍ରଭୁ କହିଲେ,ହେ ମାର୍କଣ୍ଡେୟ, ତୁମର ଇଚ୍ଛା ମୁଁ ଅବଶ୍ୟ ପୂରଣକରିବି l ପ୍ରଳୟ ଶେଷରେ ସୃଷ୍ଟି ରଚନାହେଲେ ତୁମ ନିମନ୍ତେ ଏହି କ୍ଷେତ୍ରରେ ଏକ ବାସ ସ୍ଥାନ ରହିବ l ସେହି ସ୍ଥାନରେ ତୁମେ ବାସ କରି, ମୋର ଦ୍ୱିତୀୟ ତନୁ ମୃତ୍ୟୁଞ୍ଜୟ ଶଙ୍କରଙ୍କୁ ପୂଜା ଆରାଧନା କରି ମୃତ୍ୟୁଞ୍ଜୟୀ ହୋଇ ମୋର ପରମ ଭକ୍ତ ବୋଲାଇବ l
ପ୍ରଳୟପରେ ସୃଷ୍ଟିରଚନା ହେଲା l ମହାପ୍ରଭୁ ମୁନି ମାର୍କଣ୍ଡେୟଙ୍କୁ ପ୍ରଦତ୍ତ ପ୍ରତିଶୃତି ଅନୁଯାୟୀ ଅକ୍ଷୟ ବଟର ବାୟୁ କୋଣରେ ଚକ୍ରାଘାତ କରି ଗୋଟିଏ ଗର୍ତ୍ତ ସୃଷ୍ଟି କଲେ ଓ ସେହି ଗର୍ତ୍ତ ପାର୍ଶ୍ୱରେ ମହର୍ଷି ମାର୍କଣ୍ଡେୟଙ୍କ ପାଇଁ ବାସ ସ୍ଥାନ ନିରୂପଣ କଲେ l ସେହିଠାରେ ରହି ମାର୍କଣ୍ଡେୟ ଶିବଙ୍କୁ ଆରାଧନା କରି ମୃତ୍ୟଞ୍ଜୟୀ ହେଲେ l
ଏବେ ଶ୍ରୀକ୍ଷେତ୍ରରେ ଶ୍ରୀବିଷ୍ଣୁଙ୍କ ଚକ୍ରାଘାତରୁ ସୃଷ୍ଟ ଗର୍ତ୍ତ ମାର୍କଣ୍ଡେୟ ପୁଷ୍କରିଣୀ ନାମରେ ବିଦ୍ୟମାନ ଅଛି ଓ ମହର୍ଷି ମାର୍କଣ୍ଡେୟଙ୍କ ସ୍ଥାପିତ ଶିବ ଲିଙ୍ଗ ଶ୍ରୀମାର୍କଣ୍ଡେଶ୍ୱର ନାମରେ ବିଦିତ l ବିଶ୍ୱାସ କରା ଯାଏ,ମାର୍କଣ୍ଡେଶ୍ୱର ପୁଷ୍କରିଣୀରେ ସ୍ନାନକରି ପ୍ରଭୁ ମାର୍କଣ୍ଡଶ୍ୱରଙ୍କୁ ଦର୍ଶନ କଲେ ଅଶ୍ୱମେଧ ଯଜ୍ଞଫଳ ପ୍ରାପ୍ତ ହୋଇଥାଏ l ଶ୍ରୀଜଗନ୍ନାଥଙ୍କ ପ୍ରଳୟ ଜଳରୁ ମାର୍କଣ୍ଡେୟ ମୁନୀଙ୍କ ଉଦ୍ଧାରକୁ ବର୍ଣ୍ଣନା କରି କବି ସମ୍ରାଟ ଗାଇଛନ୍ତି :-
ମାରକଣ୍ଡ ଋଷି ଯାଉଥିଲେ ଭାସି
ଉଦ୍ଧରି ଧରିଲ ବାହୁବଳେ l
କିଷ୍କିନ୍ଧ୍ୟାକୁ ଗଲ ବାଳି ବିନାଶିଲ
ବନ୍ଧ ଯେ ବାନ୍ଧିଲ ସିନ୍ଧୁ ଜଳେ ll
!!! ଜୟ ଜଗନ୍ନାଥ !!!
🙏🙏🙏
ଅର୍ଜୁନୀ
————–
ମୋ -7693091971

Comments are closed.