ନଭେମ୍ବର ୨୦ରୁ ଆରମ୍ଭ ହେବ ବାଲେଶ୍ୱର ଜିଲ୍ଲା ବ୍ୟାଡ୍‌ମିଣ୍ଟନ ଲିଗ୍‌ର ତୃତୀୟ ସିଜିନ୍

•୧୦ ଫ୍ରାଞ୍ଚାଇଜ୍‌, ୧୫୦ରୁ ଅଧିକ ଖେଳାଳି; ଶେଷ ହେଲା ମେଗା ନିଲାମ

0
ବାଲେଶ୍ୱର, ୨୬/୧୦ (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲା ବ୍ୟାଡ୍‌ମିଣ୍ଟନ ଲିଗ୍‌ର ପ୍ରଥମ ଦୁଇଟି ସିଜିନ୍‌ର ସଫଳତା ପରେ ଜିଲ୍ଲା ବ୍ୟାଡ୍‌ମିଣ୍ଟନ ଆସୋସିଏସନ୍ ପକ୍ଷରୁ ତୃତୀୟ ସିଜିନ୍ ଆୟୋଜନ କରାଯିବ। ଆସନ୍ତା ନଭେମ୍ବର ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ବିଜୁ ପଟ୍ଟନାୟକ ଇନ୍‌ଡୋର୍ ଷ୍ଟାଡିୟମ୍‌ରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ।
ଚଳିତ ବର୍ଷର ଲିଗ୍‌ରେ ଅଂଶଗ୍ରହଣ ପାଇଁ ୧୦ଟି ଫ୍ରାଞ୍ଚାଇଜ୍‌ ପଞ୍ଜୀକରଣ କରିଛନ୍ତି। ଜିଲ୍ଲାର ୧୫୦ରୁ ଅଧିକ ଖେଳାଳି ନିଲାମ ପ୍ରକ୍ରିୟାରେ ସାମିଲ ହେବା ପାଇଁ ନାମ ପଞ୍ଜୀକରଣ କରିଥିଲେ। ଏହି ପରିପ୍ରେକ୍ଷୀରେ ଉଦ୍ୟୋଗ ଭବନରେ ମେଗା ଖେଳାଳି ନିଲାମ ଅନୁଷ୍ଠିତ ହୋଇଯାଇଛି।
ନିଲାମ କାର୍ଯ୍ୟକ୍ରମରେ ପ୍ରିମିୟର ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ଶିବୁ ପୋଦାର, ଏସ୍‌ଭିପିଏସ୍‌ର ଅଧ୍ୟକ୍ଷ ସୁଧାଂଶୁ ପଣ୍ଡା, ଜିଲ୍ଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ଏମ୍‌ପିଏସ୍‌ର ଯୁଗ୍ମ ନିର୍ଦ୍ଦେଶକ ସଞ୍ଜୟ ଦାସ, ରାଜେନ୍ଦ୍ର ରାଉତଙ୍କ ସମେତ ବାଲେଶ୍ୱର ଜିଲ୍ଲା ବ୍ୟାଡ୍‌ମିଣ୍ଟନ ଆସୋସିଏସନ୍‌ର ସଭାପତି ଚିନ୍ମୟ କାନ୍ତି ବିଶ୍ୱାଳ ଓ ସମ୍ପାଦକ ମନୋରଞ୍ଜନ ପଣ୍ଡା ଯୋଗ ଦେଇଥିଲେ।
ନିଲାମ ପ୍ରକ୍ରିୟାରେ ପ୍ରତ୍ୟେକ ଫ୍ରାଞ୍ଚାଇଜ୍‌କୁ ନିଜ ପସନ୍ଦର ୧୩ ଜଣ ଖେଳାଳିଙ୍କୁ ଚୟନ କରିବା ପାଇଁ ବିଡ୍‌ କରିବାକୁ ପଡ଼ିଥିଲା। ଖେଳାଳିମାନଙ୍କୁ ପାଞ୍ଚଟି ଇଭେଣ୍ଟରେ ଅଂଶଗ୍ରହଣ ପାଇଁ ଚୟନ କରାଯିବ। ଏଥିରେ ସିନିୟର ପୁରୁଷ ଡବଲ୍ସ, ୩୫ ବର୍ଷରୁ ଊର୍ଦ୍ଧ୍ୱ ପୁରୁଷ ଡବଲ୍ସ, ସିନିୟର ମିକ୍ସଡ୍ ଡବଲ୍ସ ଏବଂ ଭେଟେରାନ୍ ଡବଲ୍ସ ଭଳି ବିଭାଗ ରହିଛି। ଭେଟେରାନ୍ ଡବଲ୍ସରେ ଜଣେ ୪୫ ବର୍ଷରୁ ଊର୍ଦ୍ଧ୍ୱ ଖେଳାଳିଙ୍କ ସହ ଜଣେ ୫୦ ବର୍ଷରୁ ଊର୍ଦ୍ଧ୍ୱ ଖେଳାଳି ଯୋଡ଼ି ହୋଇ ଖେଳିବେ।
ଜିଲ୍ଲାରେ ବ୍ୟାଡ୍‌ମିଣ୍ଟନ ଖେଳର ପ୍ରସାର, ଖେଳାଳିଙ୍କ ପ୍ରତିଭାର ବିକାଶ ଏବଂ ସେମାନଙ୍କୁ ଏକ ପ୍ରତିଯୋଗିତାମୂଳକ ମଞ୍ଚ ଯୋଗାଇଦେବା ଦିଗରେ ଏହି ଲିଗ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି କ୍ରୀଡ଼ାପ୍ରେମୀ ଆଶା ପ୍ରକାଶ କରିଛନ୍ତି।
Leave A Reply

Your email address will not be published.