ନବ ଦାସ ହତ୍ୟାକାଣ୍ଡ ତଦନ୍ତରେ ଏଫବିଆଇର ସହାୟତା ନେବ କ୍ରାଇମବ୍ରାଞ୍ଚ

ଭୁବନେଶ୍ବର : ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ତଦନ୍ତ ଲାଗି ଆମେରିକୀୟ ଅନୁସନ୍ଧାନକାରୀ ଏଜେନ୍ସି ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ( ଏଫବିଆଇ)ର ସହାୟତା ନିଆଯିବ। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପୁଲିସ ଏଏସଆଇ ଗୋପାଳ ଦାସର ମାନସିକ ସ୍ଥିତିର ପୁଙ୍ଖାନୁପୁଙ୍ଖ ସମୀକ୍ଷା ଲାଗି ଏଫବିଆଇର ବୈଷୟିକ ସହାୟତା ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗୃହରେ ସୂଚନା ଦେଇଛନ୍ତି।

ନବ ଦାସ ହତ୍ୟାକାଣ୍ଡ ସଂକ୍ରାନ୍ତରେ ବିବୃତି ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅପରାଧର ଉଚିତ ତଦନ୍ତ ନିମନ୍ତେ ରାଜ୍ୟ କ୍ରାଇମବ୍ରାଞ୍ଚ ଏଫବିଆଇର ସହାୟତା ଲୋଡ଼ିଛି। କାରଣ ଏଭଳି ସମ୍ବେଦନଶୀଳ ଅପରାଧର ତଦନ୍ତ ଲାଗି ଅପରାଧୀର ବ୍ୟାବହାରିକ ବିଶ୍ଲେଷଣ ନିମନ୍ତେ ଯେଉଁ ପାରଦର୍ଶିତା ଲୋଡା ତାହା ଏଫବି୍ଆଇ ପାଖରେ ଉପଲବ୍ଧ। ଏଣୁ ମୁଖ୍ୟ ଅଭିଯୁକ୍ତର ମାନସିକ ସ୍ଥିତିର ପ୍ରକୃଷ୍ଟ ବିଶ୍ଲେଷଣ ଲାଗି  ଏଫବିଆଇର ବିହେଭି୍ଅରାଲ୍ ସପୋର୍ଟ ଟିମ୍ର ସହାୟତା ଆମକୁ ଯୋଗାଇଦେବା ଲାଗି ଆମେ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଅନୁରୋଧ କରିଛୁ।

ସୂଚନାଯୋଗ୍ୟ, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଜାନୁଆରି ୨୯ ତାରିଖ  ପ୍ରାୟ ସାଢ଼େ ୧୨ଟାରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରଠାରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିଲେ। ସେ ସେହି କାର୍ଯ୍ୟକ୍ରମସ୍ଥଳରେ ପହଞ୍ଚି ମଂଚାସୀନ ହେବା ପୂର୍ବରୁ ତାଙ୍କୁ ବ୍ରଜରାଜନଗର ଗାନ୍ଧିଛକ ଫାଣ୍ଡିରେ ମୁତୟନ ହୋଇଥିବା ପୁଲିସ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସ ଗୁଳି କରିଥିଲେ। ନବ ଦାସଙ୍କ ଛାତିରେ ଗୁଳି ବାଜିଥିବାରୁ ସେ ଘଟଣାସ୍ଥଳରେ ହିଁ ତଳେ ପଡ଼ିଯାଇଥିଲେ। ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବରକୁ ଏୟାରଲିଫ୍ଟ କରାଯାଇଥିଲା। ଭୁବନେଶ୍ବରସ୍ଥିତ ଆପଲୋ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା। ଏହି ଘଟଣାରେ ଅଭିଯୁକ୍ତ ଏଏଏସ୍‌ଆଇ ଗୋପାଳକୃଷ୍ଣଙ୍କୁ ପୁଲିସ ଗିରଫ କରିଛି। ଘଟଣାର ଉନ୍ମୋଚନ ପାଇଁ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଜାରି ରଖିଛି।

Comments are closed.