ସୁସ୍ଥ ହେଲେ ଶ୍ରୀଜୀଉ : ଏ ସଂପର୍କ‌‌ରେ ଆଜି ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜଙ୍କୁ ଅବଗତ କରାଯାଇଛି।

0

ପୁରୀ : ମହାପ୍ରଭୁ ସୁସ୍ଥ ହୋଇଛନ୍ତି। ପବିତ୍ର ସ୍ନାନ ପୂର୍ଣ୍ଣିମାରେ ୧୦୮ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ବରରେ ପୀଡ଼ିତ ଶ୍ରୀଜୀଉମାନେ ସୁସ୍ଥ ହୋଇଛନ୍ତି। ଏ ସଂପର୍କ‌‌ରେ ଆଜି ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜଙ୍କୁ ଅବଗତ କରାଯାଇଛି। ରବିବାର ଦ୍ବାଦଶୀ ତିଥିରେ ସେବକମାନେ ମହାପ୍ରଭୁଙ୍କ ସୁସ୍ଥତାର ଖବର ଗଜପତିଙ୍କୁ ପ୍ରଦାନ କରିବାକୁ ରାଜପ୍ରାସାଦ ଯାଇଥିଲେ। ସେବକମାନେ ରୁପା ଥାଳିରେ ମହାପ୍ରଭୁଙ୍କ ଚନ୍ଦନ, କରାଳ ଓ ପାଟଡୋର ନେଇ ଶ୍ରୀମନ୍ଦିରରୁ ଶ୍ରୀନଅରକୁ ଯାଇଥିଲେ। ସେଠାରେ ପହଞ୍ଚି ଗଜପତି ମହାରାଜାଙ୍କୁ ମହାପ୍ରଭୁଙ୍କ ସୁସ୍ଥତାର ବାର୍ତ୍ତା ଦେଇଛନ୍ତି। ଏହାକୁ ରାଜପ୍ରସାଦ ବିଜେ ନୀତି କୁହାଯାଇଥାଏ।
ଶ୍ରୀଜୀଉମାନେ ଜ୍ୱରରେ ପୀଡ଼ିତ ହେବା ପରେ ଚିକିତ୍ସିତ ହେଉଛନ୍ତି। ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଦଇତାପତି ଓ ପତିମହାପାତ୍ର ଗୁପ୍ତ ସେବା କରୁଛନ୍ତି। ପର୍ଯ୍ୟାୟକ୍ରମେ ଅଣସରର ପଞ୍ଚମୀ ତିଥିରେ ବଡ଼ଓଡିଆ ମଠରୁ ଆସିଥିବା ଫୁଲୁରି ତେଲ ମହାପ୍ରଭୁ ଶ୍ରୀଅଙ୍ଗରେ ଲାଗି ହେବା ପରେ ଶୁଦ୍ଧସୁଆର
ସେବକମାନେ ଦେଇଥିବା ଓଷ ତିନିଦିନ ଧରି ଲାଗି ହୋଇଥିଲେ। ଦଶମ ତିଥିରେ ଶ୍ରୀବିଗ୍ରହମାନଙ୍କ ଚକାବିଜେ ନୀତି ସମ୍ପନ୍ନ ହୋଇଥିଲା। ଏକାଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କୁ ଖଳି ଲାଗି କରାଯିବା ସହ ତୁଳସୀ ଲାଗି କରାଯାଇଥିଲା। ଏଥିସହ ମହାପ୍ରଭୁଙ୍କୁ ଦଶମୂଳମୋଦକ ମଧ୍ୟ ଲାଗି ହୋଇଥିଲା। ଦଶମୂଳ ଲାଗି ହେବା ପରେ ଶ୍ରୀଜୀଉ ସୁସ୍ଥ ହୋଇଛନ୍ତି। ମହାପ୍ରଭୁଙ୍କ ଉକ୍ତ ନୀତି ନିମନ୍ତେ ଶ୍ରୀମନ୍ଦିର ପଟିଦିଅଁଙ୍କ ନିକଟରେ ମଧ୍ୟାହ୍ନ ଧୂପ ଏବଂ ଦକ୍ଷିଣୀ ଘର ଭୋଗ ବଢ଼ିବା ପରେ ଜୟବିଜୟ ଦ୍ୱାର ବନ୍ଦ ହୋଇ ବେହେରଣ ଦ୍ୱାରା ଖୋଲିଥିଲା। ଏହାପରେ ଅଣସର ଗୃହରେ ଦଇତାପତି ଏବଂ ପତି ମହାପାତ୍ର ପ୍ରବେଶ କରିଥିଲେ। ଅଣସର ଗୃହରେ ଥିବା ଦାରୁବିଗ୍ରହଙ୍କ ଅଣସର ନୀତି ଆରମ୍ଭ ହୋଇଥିଲା। ସେବକମାନେ ଦ୍ୱାଦଶୀରେ ମହାପ୍ରଭୁଙ୍କ ସୁସ୍ଥତାର ଖବର ଆଦ୍ୟସେବକ ଗଜପତିଙ୍କୁ ପ୍ରଦାନ କରିବାକୁ ରାଜପ୍ରସାଦ ଯାଇଥିଲେ। ଅପରପକ୍ଷେ, ଚଳିତବର୍ଷର ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଶ୍ରୀମନ୍ଦିର ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.