ଭୁବନେଶ୍ୱର :ସେୟାର ମାର୍କେଟର ଟିକିନିଖି ହାଲଚାଲ ବୁଝିବା ଏଣିକି ହେବ ସହଜ। ବେଶୀ କଷ୍ଟ ନୁହେଁ, ସିଧା କଲେଜରେ ମିଳିବ ନଲେଜ୍।
ସରକାରୀ ପିଜି ଏବଂ ଯୁକ୍ତ ତିନି କଲେଜଗୁଡ଼ିିକରେ ଏହାକୁ ଆରମ୍ଭ କରିବାକୁ ଯାଉଛି ଉଚ୍ଚଶିକ୍ଷା ବିଭାଗ। ସେୟାର ମାର୍କେଟର ଖବର, ମ୍ୟୁଚାଲ ଫଣ୍ଡରେ ଇନଭେଷ୍ଟ, ଫାଇଦା ଓ କ୍ଷତି କେମିତି ଜାଣିବେ ସେ ସବୁ ବିଷୟରେ ଗୋଟି ଗୋଟି କରି ତାଲିମ ମିଳିବ। ଏନେଇ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ଇଣ୍ଡିଆ ଲିମିଟେଡ୍ ସହ ହୋଇଛି ଏମଓୟୁ। ପ୍ରଥମ ପର୍ଯ୍ୟାରେ ଭୁବନେଶ୍ୱର, ବ୍ରହ୍ମପୁର, ଭଦ୍ରକ, ଢେଙ୍କାନାଳ, ଜୟପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ରାଉରକେଲା ଏବଂ ସମ୍ବଲପୁର ଭଳି ୯ଟି ବଡ଼ ବଡ଼ ସହରର ୯୭ଟି କଲେଜ ଓ ବିଶ୍ବବିଦ୍ୟାଳୟକୁ ଚିହ୍ନଟ କରାଯାଇଛି। ପ୍ରତି କଲେଜରେ ଏଥିପାଇଁ ଜଣେ ଜଣେ ନୋଡାଲ୍ ଅଧିକାରୀ ନିଯୁକ୍ତ ହେବେ। ଏଥିସହ ସମସ୍ତ ଆନୁସାଙ୍ଗିକ ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ବି.କମ୍, ବିବିଏ, ବିଏମଏସ ଏବଂ ଅର୍ଥନୀତି ଅନର୍ସ ଥିବା ଛାତ୍ରଛାତ୍ରୀମାନେ ଏହି ଟ୍ରେନିଂରେ ସାମିଲ ହୋଇପାରିବେ। ପ୍ରତି କଲେଜରେ ୬୦ ଜଣ ପିଲାଙ୍କୁ ନେଇ ବ୍ୟାଚ୍ ହେବ। ଇଣ୍ଡିଆନ କ୍ୟାପିଟାଲ ମାର୍କେଟ, ସେୟାର ମାର୍କେଟ, ମ୍ୟୁଚୁଆଲ ଫଣ୍ଡ ବାବଦରେ ୩୦ ଘଣ୍ଟାର ବ୍ୟବସାୟିକ ମ୍ୟୁଚୁଆଲ ଫଣ୍ଡ ସାର୍ଟିଫିକେଟ୍ କୋର୍ସ ମିଳିବ। ଚିରାଚରିତ ପାଠ୍ୟ ଖସଡ଼ା ସହ କ୍ୟାରିୟର ଗଢ଼ିବା କ୍ଷେତ୍ରରେ ବଡ଼ ସହାୟତ ହେବ ବୋଲି କହିଛନ୍ତି।
ଫାଇନାନସିଆଲ୍ କୋର୍ସ ପାଇଁ ଉଚ୍ଚଶିକ୍ଷା ପରେ ବାଟ ଖୋଜିଥାନ୍ତି ଛାତ୍ରଛାତ୍ରୀ। ଯଦି, କଲେଜରେ ହିଁ ଏହି ବ୍ୟବସ୍ଥା ହୁଏ ତାହେଲେ ପିଲାଙ୍କ ଭବିଷ୍ୟତକୁ ମିଳିପାରେ ବୁଷ୍ଟ।