ସ୍କୁଲ ଓ କଲେଜର କର୍ମଚାରୀ ପାଇବେ ସପ୍ତମ ବେତନ

ଭୁବନେଶ୍ୱର : ରାଜ୍ୟର ସ୍କୁଲ, କଲେଜର କର୍ମଚାରୀମାନେ ପାଇବେ ସପ୍ତମ ବେତନ । ଏନେଇ ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ଏକ ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ ଆଲୋଚନା କରିଛନ୍ତି । ତେବେ ସମସ୍ତଙ୍କୁ ସପ୍ତମ ବେତନ ପ୍ରଦାନ କରାଯିବା ନେଇ ନିଷ୍ପତ୍ତି ହୋଇଛି । ମାଧ୍ୟମିକ ସ୍କୁଲର ଯେଉଁ ଖେଳ, ସଂସ୍କୃତ ଓ ହିନ୍ଦି ଶିକ୍ଷକଙ୍କର ଗ୍ରେଡ୍ ପେ ୨୮୦୦ ଥିବ ସେମାନଙ୍କ ଉଚ୍ଚତର ଦରମାକୁ ପେ’ ପ୍ରୋଟେକ୍ସନ ଦିଆଯିବ ବୋଲି ସ୍ଥିର ହୋଇଥିବା ସମନ୍ୱୟ ସମିତିର ଆବାହକ କହିଛନ୍ତି । ନୂତନ ଅନୁଦାନପ୍ରାପ୍ତ ସ୍କୁଲ, କଲେଜକୁ ୨୦୧୮ ଜାନୁଆରୀ ୧ରୁ ହିସାବ କରି ୨୦୨୨ ଜାନୁଆରୀ ୧ରୁ ପ୍ରତ୍ୟେକ୍ଷ ଭାବେ ସପ୍ତମ ବେତନ ପ୍ରଦାନ କରିବାକୁ ପୂର୍ବରୁ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ ।

ମାତ୍ର ସପ୍ତମ ବେତନ ପ୍ରଦାନର ନିର୍ଦ୍ଧାରଣ ପଦ୍ଧତିରେ ହାଇସ୍କୁଲର ସମସ୍ତ ଶିକ୍ଷକ, କର୍ମଚାରୀ, ଉଚ୍ଚପ୍ରାଥମିକ, ମଦ୍ରାସା ସମେତ କଲେଜର ଡେମନଷ୍ଟ୍ରେଟର, କିରାଣି, ପିଅନ, ଖେଳ ଶିକ୍ଷକ ଓ କିଛି ଅଧ୍ୟାପକ ସମ୍ପୂର୍ଣ୍ଣ ଭାବେ କ୍ଷତି ସହିଥିଲେ । ଏହାକୁ ବିରୋଧ କରି ଶିକ୍ଷକମାନେ ବିଧାନସଭା ଆଗରେ ଧାରଣା ଦେଇଥିଲେ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇ ଉକ୍ତ ସମସ୍ୟା ସମାଧାନ କରାଯାଇଥିଲା । ୨୦୧୮ ଜାନୁଆରୀ ୧ ପରିବର୍ତ୍ତେ ୨୦୨୨ ଜାନୁଆରୀ ୧ରୁ ସେ ସମୟରେ ପ୍ରଚଳିତ ଥିବା ଷଷ୍ଠ ବେତନ ଅନୁଯାୟୀ ମହଙ୍ଗା ଭତ୍ତା ଆଧାରରେ ସପ୍ତମ ବେତନ କମିସନ ନିର୍ଦ୍ଧାରଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ୧୭୦୦ ଗ୍ରେଡ୍ ପେ ଅନୁଯାୟୀ ସପ୍ତମ ବେତନ ନିର୍ଦ୍ଧାରଣ ହେବ । ସେହିପରି ୧୦୦% ଓ ୭୫% ଦରମା ପାଉଥିବା କର୍ମଚାରୀଙ୍କୁ ଶତ ପ୍ରତିଶତ ଦରମା ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।

Comments are closed.