ସଂକୁଚିତ ଭାରତୀୟ ପରିବାର: କାରଣ ଓ ପ୍ରଭାବ

ସୁଜାତା ପ୍ରହରାଜ

ପୃଥିବୀର ଦ୍ୱିତୀୟ ଜନବହୁଳ ଦେଶ ଭାରତର ଜନସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । 2022 ମସିହା ଜୁଲାଇ ମାସରେ ମିଳିତ ଜାତିସଂଘର ରିପୋର୍ଟରେ କୁହାଯାଇଛି ଯେ 2050 ମସିହା ବେଳକୁ 166.8 କୋଟି ଲୋକଙ୍କୁ ନେଇ ଭାରତ ଚୀନକୁ (131.7 କୋଟି) ପଛରେ ପକେଇ ବିଶ୍ୱର ସର୍ବବୃହତ ଜନବହୁଳ ଦେଶ ହୋଇଥିବ। 1971 ମସିହାରେ 55.5 କୋଟିରୁ ଭାରତର ଜନସଂଖ୍ୟା 2020 ମସିହାରେ 138 କୋଟିରେ ପହଞ୍ଚିଛି। ଏସବୁ ଭିତରେ ସଂକୁଚିତ ଭାରତୀୟ ପରିବାର ଏକ ବିରୋଧାତ୍ମକ ପଦ ପରି ପ୍ରତୀୟମାନ ହୁଏ। ସତରେ କ’ଣ ଭାରତୀୟ ପରିବାରର ଆକାର ସମୟ ସହିତ କ୍ଷୁଦ୍ର ହୋଇଯାଉଛି? ମିଳିତ ଜାତିସଂଘର ପପୁଲେସନ୍ ଫଣ୍ଡ୍ 2018 ମସିହାରେ ଦେଇଥିବା ଏକ ରିପୋର୍ଟରେ ଦର୍ଶାଇଛନ୍ତି ଯେ ଭାରତୀୟ ପରିବାରର ଆକାର କ୍ରମାଗତ ଭାବରେ ହ୍ରାସ ପାଉଛି। ପଞ୍ଚମ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣର ତଥ୍ୟ ଅନୁସାରେ ଭାରତର ମୋଟ ପ୍ରଜନନ ହାର 1970 ମସିହାରେ 5.8 ଥିବାବେଳେ 2016 ମସିହାରେ 2.0 ହୋଇଛି। ମହତ୍ତ୍ୱପୂର୍ଣ୍ଣ ହେଉଛି ଏହି ହାର ପ୍ରତିସ୍ଥାପନ ପ୍ରଜନନ ହାର(ରିପ୍ଲେସ୍‌ମେଣ୍ଟ ଫର୍ଟିଲିଟି ରେଟ୍) 2.1 ଠାରୁ କମ୍। 2.1 ରିପ୍ଲେସ୍‌ମେଣ୍ଟ ଫର୍ଟିଲିଟି ରେଟ୍ ର ଅର୍ଥ ହେଉଛି ଯଦି ଜଣେ ମହିଳା ତାଙ୍କ ଜୀବନକାଳ ଭିତରେ 2.1 ପିଲାଙ୍କୁ ଜନ୍ମ ଦିଅନ୍ତି ଏବଂ ସେ ପିଲାମାନଙ୍କର ବିଦେଶରେ ଯାଇ ସବୁଦିନ ରହିଥିବାର ସମ୍ଭାବନାକୁ ବାଦ୍ ଦିଆଯାଏ ତାହେଲେ ଗୋଟିଏ ପିଢ଼ିରୁ ପର ପିଢ଼ିରେ ଜନସଂଖ୍ୟାରେ କୌଣସି ପରିବର୍ତ୍ତନ ହେବନି। ତେଣୁ ମୋଟ ପ୍ରଜନନ ହାର ଯେତେବେଳେ କମ୍ ରହୁଛି ଜନସଂଖ୍ୟା ବୃଦ୍ଧିହାରରେ ହ୍ରାସ ଘଟିବା ସ୍ୱଭାବିକ। ଏହାର ମାନେ ହେଉଛି ବିଗତ ପଚାଶ ବର୍ଷରେ ଭାରତର ମୋଟ ଜନସଂଖ୍ୟା ଅଢ଼େଇ ଗୁଣ ବଢ଼ିଛି।ଯଦି ରିପ୍ଲେସ୍‌ମେଣ୍ଟ ଫର୍ଟିଲିଟି ରେଟ୍ କମି ନ ଥାଆନ୍ତା ତେବେ ଭାରତର ମୋଟ ଜନସଂଖ୍ୟା ଆହୁରି ବେଶୀ ହୋଇଥାଆନ୍ତା।

ଏଥର ଆସନ୍ତୁ ଜାଣିବା ଏହାର କାରଣ କ’ଣ ଏବଂ ଭାରତୀୟ ସମାଜ ଓ ଅର୍ଥନୀତି ଉପରେ ଏହା କି ପ୍ରକାର ପ୍ରଭାବ ପକେଇବ । ସ୍ୱାଧୀନତା ପୂର୍ବ ଓ ପରବର୍ତ୍ତୀ ତିନିଦଶକ ଭାରତ ଜନସଂଖ୍ୟା ବିସ୍ଫୋରଣର ସମ୍ମୁଖୀନ ହୋଇଥିଲା। ଭାରତୀୟ ସମାଜ ଗ୍ରାମ୍ଯଭିତ୍ତିକ ଓ ଅର୍ଥନୀତି କୃଷିଭିତ୍ତିକ ଥିଲା। ଯୌଥପରିବାର ଭୂମିକା ଯଥେଷ୍ଟ ଥିଲା ।କୃଷି କ୍ଷେତ୍ରରେ କାମ କରିବା ପାଇଁ ପରିବାରରେ ଅଧିକ ସଂଖ୍ୟକ ସଦସ୍ୟଙ୍କ ଆବଶ୍ୟକତା ଉପଲବ୍ଧି ହେଉଥିଲା । ତା’ ଛଡ଼ା ଦୁର୍ବଳ ସ୍ୱାସ୍ଥ୍ୟସେବା ଯୋଗୁ ଶିଶୁମୃତ୍ୟୁହାର ଉଚ୍ଚ ରହୁଥିଲା। ଅଧିକ ଛୁଆ ଜନ୍ମ କରି ସନ୍ତାନହାନିଜନିତ କ୍ଷତିକୁ ଭରଣା କରିବାକୁ ଚେଷ୍ଟା କରାଯାଉଥିଲା। ଜନସଂଖ୍ୟାର ବେଲଗାମ ଘାତୀୟ ବୃଦ୍ଧିକୁ ରୋକିବା ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସମୟରେ 1966 ମସିହାରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନରେ ସ୍ୱତନ୍ତ୍ର ଭାବେ ପରିବାର ନିୟୋଜନ ବିଭାଗ ସୃଷ୍ଟି କରାଗଲା।1976 ମସିହାରେ ପରିବାର ନିୟନ୍ତ୍ରଣ ନୀତି ପ୍ରଣୟନ ହେଲା।”ଆମେ ଦୁଇ ଆମର ଦୁଇ’ ସ୍ଲୋଗାନ୍ ସହିତ ପରିବାର ନିୟନ୍ତ୍ରଣର ବିଭିନ୍ନ ଉପାୟ ସୃଷ୍ଟି କରାଯାଇ ଜନସଂଖ୍ୟାବୃଦ୍ଧିକୁ ରୋକିବାର ସମସ୍ତ ବ୍ୟବସ୍ଥା କରାଗଲା। ତା’ ସହିତ ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ଅନେକ କାର୍ଯ୍ୟକ୍ରମ ଆରମ୍ଭ କରାଗଲା।

ଆଧୁନିକ ଚିକିତ୍ସାପଦ୍ଧତି, ଉନ୍ନତ ସ୍ୱାସ୍ଥ୍ୟସେବା, ସମୟୋଚିତ ଟୀକାକରଣ ଏବଂ ନାରୀଶିକ୍ଷାର ପ୍ରଚାର ଓ ପ୍ରସାର ନିରାପଦ ମାତୃତ୍ବ ଓ ଉତ୍ତମ ଶିଶୁସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଛନ୍ତି।କେନ୍ଦ୍ର ଓ ରାଜ୍ୟ ସ୍ତରରେ ଜନନୀ ସୁରକ୍ଷା ଯୋଜନା,ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ବ ଯୋଜନା,ଲକ୍ଷ,ସୁମନ, ମମତା ଇତ୍ୟାଦି ଅନେକ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏହାଦ୍ବାରା ଅଳ୍ପ ସଂଖ୍ୟକ ସୁସ୍ଥଶିଶୁ ଜନ୍ମ ନେବା ଫଳରେ ଶିଶୁର ଲାଳନପାଳନ ସୁସ୍ଥ ପରିବେଶରେ ସହଜରେ କରାଯାଇପାରୁଛି। ଅନ୍ୟ ଏକ କାରଣ ହେଉଛି ଆନୁଷ୍ଠାନିକ ପ୍ରସବପ୍ରକ୍ରିୟା। ଆଗେ ପ୍ରସବପ୍ରକ୍ରିୟା ନିଜ ଘରେ ଅନଭିଜ୍ଞ ମହିଳାମାନଙ୍କ ଦ୍ଵାରା ସମ୍ପନ୍ନ କରାଯାଉଥିବା ବେଳେ ବର୍ତ୍ତମାନ ତାହା ସରକାରୀ ଡାକ୍ତରଖାନା ବା ଅଭିଜ୍ଞ ଡାକ୍ତରଙ୍କ ନିଜସ୍ୱ ଅନୁଷ୍ଠାନରେ କରାଯାଉଥିବାରୁ ଉଭୟ ମାତୃ ଓ ଶିଶୁ ମୃତ୍ୟୁ ହାର ଯଥେଷ୍ଟ ହ୍ରାସ ପାଇଛି। 2015 ଶିଶୁମୃତ୍ୟୁହାର ପ୍ରତି 1000 ଜୀବନ୍ତ ଶିଶୁରେ 37 ଥିବାବେଳେ 2019 ମସିହାରେ ତାହା 30 ହୋଇଛି ।

ପରିବାର ନିୟନ୍ତ୍ରଣ ଯୋଜନା, ଶିକ୍ଷାର ବିକାଶ, ଅର୍ଥନୈତିକ ଅଗ୍ରଗତି ଏବଂ ସାମାଜିକ ବ୍ୟବସ୍ଥା ଓ ଦୃଷ୍ଟିକୋଣରେ ପରିବର୍ତ୍ତନ- ଏସବୁର ଫଳ ସମୟକ୍ରମେ ଅନୁଭୂତ ହେଲା। ଜନସଂଖ୍ୟା ବୃଦ୍ଧି ହାରରେ ହ୍ରାସ ଘଟିବା ଆରମ୍ଭ ହେଲା। 1971 ମସିହାରେ ଯେତେବେଳେ ପରିବାରର ହାରାହାରି ଆକାର 7.2 ଏବଂ ପରିବାରର ହାରାହାରି ପିଲାସଂଖ୍ୟା 5.1 ଥିଲା 2016 ମସିହା ବେଳକୁ ତାହା ଯଥାକ୍ରମେ 4.2 ଓ 2.3 ହେଲା। ତେଣୁ ସମୟ ସହିତ ଭାରତୀୟ ପରିବାର ସଂକୁଚିତ ହେବାକୁ ଲାଗିଲା। ବର୍ତ୍ତମାନ ଯୁବସମାଜ ନିଜର ଶିକ୍ଷା ଓ କ୍ୟାରିଅର୍ ନେଇ ଅଧିକ ୟତ୍ନଶୀଳ ଓ ଆଶାବାଦୀ ଯେଉଁଥି ପାଇଁ ସେମାନେ ବିଳମ୍ବ ବିବାହ ଇଚ୍ଛା କରୁଛନ୍ତି। ଅନେକ ଅନୁଶୀଳନ ଦର୍ଶାଇଛନ୍ତି ଯେ ବହୁତ ଯୁବକଯୁବତୀ ବିବାହ କରିବାକୁ ଅନିଚ୍ଛୁକ। ଅନେକ ମହିଳା ଏକ ବା ଦୁଇଟି ସନ୍ତାନ ଜନ୍ମ ଦେବାର ମାନସିକତା ପାଳୁଛନ୍ତି। ଏହା ସହିତ ଶିକ୍ଷା, ସ୍ୱାସ୍ଥ୍ୟ ଓ ଅତ୍ୟାବଶ୍ୟକୀୟ ଦ୍ରବ୍ୟର ମୂଲ୍ୟ ଦିନକୁ ଦିନ ଯେଉଁ ହାରରେ ବଢ଼ୁଛି ପ୍ରଜନନ ହାର ଆଉ ବଢ଼ିବାର ପ୍ରଶ୍ନ ଉଠୁନି ।

ସାଧାରଣତଃ ଆମମାନଙ୍କ ଧାରଣା ଯେ ଛୋଟ ପରିବାର ଅର୍ଥନୈତିକ ବିକାଶ ଓ ଶିଶୁମାନଙ୍କର ଉପଯୁକ୍ତ ଲାଳନପାଳନ ପାଇଁ ଅନୁକୂଳ।ଭାରତର ମୁଣ୍ଡ ପିଛା ଆୟ ଯଥେଷ୍ଟ କମ୍ ଥିଲେ ମଧ୍ୟ ଛୋଟ ପରିବାର ଅର୍ଥନୈତିକ ବିକାଶର ଏକ ଅଂଶ ହୋଇପାରିଛନ୍ତି କାରଣ ପରିବାରର ଉପାର୍ଜନକ୍ଷମ ସଦସ୍ୟ ଓ ସେମାନଙ୍କ ଉପରେ ନିର୍ଭରଶୀଳ ସଦସ୍ୟଙ୍କ ସଂଖ୍ୟାର ଅନୁପାତରେ ହ୍ରାସ ଘଟୁଛି। କିନ୍ତୁ ଏହା ବିଷୟର ଗୋଟିଏ ଦିଗ। ବିଶେଷଜ୍ଞମାନଙ୍କ ମତରେ ଯଦିଓ ଆଗାମୀ କିଛି ବର୍ଷର ସମୟ ଭିତରେ ନୁହେଁ ତଥାପି ସଂକୁଚିତ ପରିବାର ଭାରତୀୟ ସମାଜ ଓ ଅର୍ଥନୀତି ଉପରେ ଏକ ଦୀର୍ଘକାଳୀନ ନକାରାତ୍ମକ ପ୍ରଭାବ ପକେଇବା ନିଶ୍ଚିତ।
ଭାରତ ଏକ ବିକାଶଶୀଳ ଦେଶ।ଏବେ ମଧ୍ୟ ଦେଶ ଅନେକ ସାମାଜିକ ଓ ଅର୍ଥନୈତିକ ବ୍ୟାଧିର ଶିକାର। ଏହାର ସର୍ବବିଧ ଉନ୍ନତି ପାଇଁ ଏକ ବୃହତ ମାନବସମ୍ବଳ ଓ ତା’ର ଉପଯୁକ୍ତ ବିନିଯୋଗ ଏକାନ୍ତ ଆବଶ୍ୟକ।ଯେ କୌଣସି ଦେଶ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହୋଇ ସମସ୍ତ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ପାଇବା ସମୟସାପେକ୍ଷ। ବର୍ତ୍ତମାନର ଭାରତ ଏକ ଯୁବ ଭାରତ, ଦେଶ ଜନସଂଖ୍ୟାର 31% ଲୋକ10-24 ବର୍ଷ ବୟସର।ଏକ ନିର୍ଦ୍ଦିଷ୍ଟ ସମୟ ପରେ ଜନସଂଖ୍ୟାର ଏହି ଅଂଶ ହ୍ରାସ ପାଇବ। ଏକ ବିକଶିତ ଦେଶ ହିସାବରେ ପାଦ ରଖିବା ବେଳକୁ ଭାରତ ଏକ ବୟସ୍କଦେଶରେ ପରିଣତ ହୋଇ ସାରିଥିବ । ଲୋକମାନଙ୍କର ଉତ୍ପାଦକତା ଧୀରେ ଧୀରେ କମିବ। ଏହାଛଡ଼ା ବୈଷୟିକ ଶିକ୍ଷାପ୍ରାପ୍ତ କୁଶଳୀ ଭାରତୀୟ ଯେଉଁମାନେ ବିଦେଶରେ ଚାକିରି କରି ଦେଶକୁ ବୈଦେଶିକ ମୁଦ୍ରା ପଠଉଛନ୍ତି ସେମାନଙ୍କ ସଂଖ୍ୟା କମିବା ଫଳରେ ବୈଦେଶିକ ମୁଦ୍ରା ଆଗମନରେ ମଧ୍ୟ ହ୍ରାସ ଘଟିବ। ବର୍ତ୍ତମାନ ଭାରତ ଏକ ଗମ୍ଭୀର ପ୍ରତିଭା ପଳାୟନ (ବ୍ରେନ୍ ଡ୍ରେନ୍)ର ଶିକାର ଯାହା ଆଗାମୀ ବର୍ଷମାନଙ୍କରେ ଅଧିକ ଗମ୍ଭୀର ହେବାକୁ ଯାଉଛି। ଦେଶର ସମ୍ବଳ ଯାହା ଅର୍ଥନୈତିକ ବିକାଶ ଓ ରୋଜଗାର ସୃଷ୍ଟିରେ ଖର୍ଚ୍ଚ ହୋଇଥାଆନ୍ତା ତାହା ବୃଦ୍ଧଲୋକଙ୍କର ସ୍ୱାସ୍ଥ୍ୟ ଓ ସୁରକ୍ଷାରେ ଖର୍ଚ୍ଚ ହେବ।ଚୀନ୍ ଓ ଜାପାନରେ ସେଇଆ ହୋଇଛି। ତେଣୁ ନିମ୍ନ ପ୍ରଜନନ ହାର ତିନି ଦଶନ୍ଧି ପରେ ଦେଶର ଅର୍ଥନୈତିକ କ୍ଷେତ୍ରକୁ ପ୍ରଭାବିତ କରିବ।

ପରିବାର ଭାରତୀୟ ସମାଜରେ ମୂଳପିଣ୍ଡ। ଯାବତୀୟ ଝଡ଼ଝଞ୍ଝା ସତ୍ତ୍ବେ ଭାରତୀୟ ସମାଜ ତିଷ୍ଠି ରହିପାରିଛି ପରିବାର ଓ ପାରିବାରିକ ଆବେଗ ଯୋଗୁ । ସଂକୁଚିତ ପରିବାର ଯେ କେବଳ ଭବିଷ୍ୟତରେ ଆର୍ଥିକ ବିକାଶ ପ୍ରଭାବିତ କରିବ ତା’ନୁହେଁ ।ଏହା ବ୍ୟକ୍ତିଗତ ଓ ପାରିବାରିକ ସମସ୍ୟା ସୃଷ୍ଟି କରିବ ଯାହାକୁ ସାମଗ୍ରିକ ଭାବରେ ସାମାଜିକ ବିଭ୍ରାଟ କୁହାଯାଇପାରିବ। ଏହା ଉଭୟ ସନ୍ତାନ ଓ ପିତାମାତାଙ୍କ କ୍ଷେତ୍ରରେ ପ୍ରତିଫଳିତ ହେଲାଣି। ଗୋଟିଏ ବା ଦୁଇଟି ସନ୍ତାନ ହେବା ଦ୍ୱାରା ପିଲାମାନେ ଏକୁଟିଆ ହୋଇ ଯାଉଛନ୍ତି। ସେମାନଙ୍କର ମସ୍ତିଷ୍କ ଠିକ୍ ଭାବରେ ବିକଶିତ ହୋଇ ପାରୁନି। ପାଠ ଛଡ଼ା ସେମାନେ ବ୍ୟାବହାରିକ ଜ୍ଞାନ ଲାଭ କରିପାରୁନାହାନ୍ତି ।ଏକଜିଦିଆ ହୋଇ ନିଜର ସମସ୍ତପ୍ରକାର ଅଯୌକ୍ତିକ ଇଚ୍ଛା ପୂରଣ କରିବାକୁ ପିତାମାତାଙ୍କୁ ବାଧ୍ୟ କରୁଛନ୍ତି ।ସେମାନଙ୍କର ସାମାଜିକ ପରିସର ସଂକୁଚିତ ହୋଇଯିବା ଫଳରେ ସେମାନେ ସମାଜରେ ଠିକ୍ ରୂପେ ଅନ୍ୟମାନଙ୍କ ସହିତ ମିଶି ପାରୁନାହାନ୍ତି କିମ୍ବା ଠିକ୍ ଭାବରେ ଭାବର ଆଦାନପ୍ରଦାନ କରି ପାରୁନାହାନ୍ତି। ମାନବିକଗୁଣ ଓ ଆବେଗ ଯଥା – ଦୟା,କ୍ଷମା, ସ୍ନେହ, ସୌହାର୍ଦ୍ଦ୍ୟ,ସହନଶୀଳତା,ସହାନୁଭୂତି, ସମ୍ବେଦନଶୀଳତା, ସମ୍ମାନବୋଧ ଇତ୍ୟାଦି ସେମାନଙ୍କ ଭିତରେ ସୃଷ୍ଟି ହେଉନି। ନିଜର ଏକ ଭିନ୍ନ ଦୁନିଆରେ ସେମାନେ ରହୁଛନ୍ତି ।ଏପରିକି ସେମାନେ ନିଜର ଅସୁବିଧା କାହାସହିତ ବାଣ୍ଟିବାକୁ ଚାହୁଁ ନାହାନ୍ତି। ସ୍ମାର୍ଟଫୋନ୍ ପରିସ୍ଥିତିକୁ ଆହୁରି ସଙ୍ଗୀନ କରିଛି। ଏସବୁର ପ୍ରଭାବରେ ସେମାନେ ଜୀବନର ସାମାନ୍ୟ ଦୁଃଖ ବା ଅସୁବିଧା ସହ୍ୟ କରିପାରୁନାହାନ୍ତି। ସେମାନଙ୍କ ଭିତରେ ସ୍ୱାର୍ଥପରତା,ଅହଂଭାବ, ନୈରାଶ୍ଯଭାବ,କ୍ରୋଧ, ଚିଡ଼ଚିଡ଼ାପଣ ଆଦି ନକାରାତ୍ମକଗୁଣ ବୃଦ୍ଧି ପାଉଛି।ଏଥିରୁ ସୃଷ୍ଟି ହେଉଛି ମାନସିକ ଅବସାଦ ଓ ଆତ୍ମହତ୍ୟାପ୍ରବଣତା ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହିସାବରେ ଭାରତ ପୃଥିବୀର ସବୁଠାରୁ ଅଧିକ ମାନସିକଅବସାଦଗ୍ରସ୍ତ ଦେଶ। କେବଳ ପିଲାମାନଙ୍କ କ୍ଷେତ୍ରରେ ନୁହେଁ, ସଂକୁଚିତ ପରିବାରର ପ୍ରଭାବ ପିତାମାତାଙ୍କ ଉପରେ ମଧ୍ୟ ଅନୁଭୂତ । ସେମାନେ ମଧ୍ୟ ଗଭୀର ମାନସିକ ଅବସାଦ ମଧ୍ୟରେ ଗତି କରୁଛନ୍ତି। ଗୋଟିଏ ଦୁଇଟି ସନ୍ତାନ ନିଜନିଜର ଜୀବନ ବାଛି ବାହାରକୁ ଚାଲିଯିବା ଫଳରେ ସେମାନେ ଅସହାୟତା ଓ ଏକାକୀତ୍ୱଭାବର କବଳିତ ହେଉଛନ୍ତି ଯାହାକୁ ଏମ୍ପ୍ଟି ନେଷ୍ଟ୍ ସିନଡ୍ରୋମ୍ ବୋଲି କୁହାଯାଉଛି। ଅନେକ ସମୟରେ ସେମାନଙ୍କର ମୃତ୍ୟୁର ଖବର ଘରୁ ଦୁର୍ଗନ୍ଧ ବାହାରିବା ପରେ ଆସୁଛି । ଏତଦ୍ ବ୍ୟତୀତ ଅନେକ ବୟୋଜ୍ଯେଷ୍ଠ ସେମାନଙ୍କର ସମ୍ପତ୍ତି ପାଇଁ ଅସାମାଜିକ ଲୋକଙ୍କର ଆକ୍ରୋଶ ଓ ଆକ୍ରମଣର ଶିକାର ହେଉଛନ୍ତି।ଯୌଥପରିବାରର ପତନ ଓ ଏକାନ୍ନବର୍ତ୍ତୀ ପରିବାରର ବିକାଶ ଫଳରେ ଦାଦା-ଖୁଡ଼ୀ, ପିଉସା-ପିଉସୀ, ମାମୁ-ମାଇଁ,ମଉସା- ମାଉସୀ ଇତ୍ୟାଦି ସଂପର୍କଗୁଡ଼ିକ ଇତିହାସ ହେବାକୁ ବସିଲେଣି। ଏପ୍ରକାର ପରିସ୍ଥିତିରେ ସରକାର ଜନସଂଖ୍ୟାବୃଦ୍ଧି ଓ ନିମ୍ନ ପ୍ରଜନନ ହାର ଭିତରେ ଏକ ଭାରସାମ୍ୟ ରଖିବା ନିମନ୍ତେ ଆଜିଠାରୁ ସୁଦୂରପ୍ରସାରୀ କାର୍ଯ୍ୟକ୍ରମ ଗ୍ରହଣ କରିବା ଉଚିତ ।

 

ସଚିବାଳୟ ଭୁବନେଶ୍ୱର

Comments are closed.