ଉଦ୍ଧବ ଗୀତା

ଅର୍ଜୁନୀ ଚରଣ ବେହେରା

ଉଦ୍ଧବ ଗୀତା
=========
ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାପର ଲୀଳା ଏବେ ଶେଷ ହୋଇଛି l ପ୍ରଭୁଙ୍କ ବୈକୁଣ୍ଠ ଫେରିଯିବାର ସମୟ ଉପଗତ l ଏହିସମୟରେ ପ୍ରଭୁ ଦିନେ ପରମଭକ୍ତ ଉଦ୍ଧବଙ୍କୁ ଡାକି କହିଲେ, ଉଦ୍ଧବ ! ମୋ ଅବତାର ଲୀଳା ଏବେ ଶେଷ ହୋଇଛି l ଏହି ଅବତାରରେ ମୁଁ କେତେ ଲୋକଙ୍କର କେତେ କେତେ ଉପକାର କଲି l କେତେଲୋକ କେତେ ବର ମାଗିନେଲେ l ଅଥଚ ତୁମେ ମୋର ଏତେ ଅନ୍ତରଙ୍କ ହୋଇ ମଧ୍ୟ କେବେ କିଛି ମାଗିନାହଁ l ଏବେ ମଧ୍ୟ ସମୟ ଅଛି, ମୋ ଯିବା ପୂର୍ବରୁ ଯାହା ଚାହୁଁଛ ମାଗି ନିଅ l
ଉଦ୍ଧବ କାନ୍ଦକାନ୍ଦ ହୋଇ ଚକ୍ଷୁ ମଳିମଳି କହିଲେ, ପ୍ରଭୁ ! ଆପଣଙ୍କ ସହ ମୁଁ ପିଲାଟି ଦିନରୁ ରହିଛି l ଆପଣଙ୍କ ଲୀଳା ଖେଳା ସବୁ ନିକଟରୁ ଦେଖିଛି l ତାହାହିଁ ମୋର ପ୍ରାପ୍ତି l ଆଉ ମୁଁ ଆପଣଙ୍କୁ କଅଣ ମାଗିବି l କିନ୍ତୁ ବେଳେ ବେଳେ ଆପଣଙ୍କର କଥା ଓ କାର୍ଯ୍ୟ ମୋତେ ବିସ୍ମିତ କରେ l ଏ ନେଇ ବହୁ ଦିନରୁ ମୋ ମନରେ କେତେ ପ୍ରଶ୍ନ ଉଙ୍କି ମାରୁଛି l ଆପଣ ଦୟାକଲେ ମୋର ସଂଶୟ ଦୂରପାଇଁ ମୁଁ ସେହି ପ୍ରଶ୍ନ ଗୁଡ଼ିକ, ପଚାରନ୍ତି l ଶ୍ରୀକୃଷ୍ଣ କହିଲେ, ନିଶ୍ଚୟ, ଏଥର ତୁମର ପ୍ରଶ୍ନ କ’ଣ ପଚାର l
ଉଦ୍ଧବ ପ୍ରଶ୍ନପଚାରିବାକୁ ଲାଗିଲେ l ସେ ପ୍ରଥମେ ପଚାରିଲେ, ପ୍ରଭୁ ! ମୁଁ ଦେଖୁଛି ଆପଣ ସମସ୍ତଙ୍କୁ ଜୀବନ ଜିଇଁବାପାଇଁ ଗୋଟିଏ ଉପଦେଶ ଦିଅନ୍ତି ଅଥଚ ଆପଣଙ୍କ ଜୀବନଚର୍ଯ୍ୟା ତା ଠାରୁ ସମ୍ପୂର୍ଣ ଭିନ୍ନ ହୋଇଥାଏ l ମହାଭାରତରେ ଆପଣ ଯାହା ଯାହା ସବୁ କଲେ ସେ ସବୁ ମୋତେ ଖୁବ୍ ବିସ୍ମିତ କରିଛି l
ଭଗବାନ୍ ହସି ହସି କହିଲେ, ଉଦ୍ଧବ ! ଏହିପରି ଦିନେ ଅର୍ଜ୍ଜୁନ ମନରେ ନାନା ସଂଶୟ ଆଣି ଯୁଦ୍ଧ ଭୂମିରେ ଅସ୍ତ୍ର ତ୍ୟାଗ କରି ଦେଇଥିଲେ l ସେତେ ବେଳେ ଯୁଦ୍ଧଭୂମିରେ ମୁଁ ତାଙ୍କୁ ଯାହା ବୁଝାଇଥିଲି ତାହା ଥିଲା, ଭଗବତ ଗୀତା l ବର୍ତ୍ତମାନ ତୁମର ସଂଶୟ ଦୂର ପାଇଁ ମୁଁ ଯାହା କହିବି ତାହା ହେବ “ଉଦ୍ଧବ ଗୀତା” l ବିନା ଦ୍ବିଧାରେ ପଚାର ଉଦ୍ଧବ, ତୁମେ ଯାହା ଜାଣିବାକୁ ଇଚ୍ଛା କରୁଛ l
ଭକ୍ତ ଉଦ୍ଧବ ପ୍ରଥମେ ପଚାରିଲେ, ଆପଣ କୁହନ୍ତୁ, ଆପଣ ପାଣ୍ଡବ ମାନଙ୍କ, ହିତାକାଂକ୍ଷୀ ବନ୍ଧୁ, ସଖା ଏବଂ ପରମହିତୈଷି l ସେମାନେ ଆପଣଙ୍କୁ ବହୁ ସମ୍ମାନ କରନ୍ତି l ଆପଣ ଚାହିଁଥିଲେ କଅଣ ପଶା ଖେଳରୁ ଧର୍ମରାଜଙ୍କୁ ନିବର୍ତ୍ତାଇ ପାରି ନ ଥାନ୍ତେ l ଆପଣ ଆଗତ, ଭବିଷ୍ୟତ ସବୁର ଜ୍ଞାତା l ତାହା ଦ୍ୱାରା କଅଣ ଅନିଷ୍ଟ ହେବାକୁ ଯାଉଛି ଆପଣଙ୍କୁ ନିଶ୍ଚୟ ଜଣା ଥିଲା l ମାତ୍ର, ଆପଣ ତାହା କଲେ ନାହିଁ l ଠିକ୍ ଅଛି, ପଶା ଖେଳ ହେଲା l ଆପଣ ଚାହିଁଥିଲେ ତ ଯୁଧିଷ୍ଠିର ଜିତି ପାରି ଥାନ୍ତେ, ଏବଂ କୁଚକ୍ରୀ ମାନଙ୍କର ଚକ୍ରାନ୍ତ ବିଫଳ ହୋଇ ଥାନ୍ତା l ଆପଣ ତାହା କଲେନାହିଁ l ଫଳରେ ଯୁଧିଷ୍ଟିରଙ୍କୁ ସର୍ବସ୍ୱ ହରାଇ ଦ୍ରୌପଦୀଙ୍କ ବସ୍ତ୍ର ହରଣ ପର୍ଯ୍ୟନ୍ତ କଥା ଗଲା l ଆପଣ ସେତିକିବେଳେ ଅସହାୟା ପାଞ୍ଚାଳୀଙ୍କ ମାନ ରକ୍ଷା କଲେ ଓ ମାନଉଦ୍ଧାରଣ ବୋଲି ସଂସାରରେ ବୋଲାଇଲେ l ଏତକ କହି ଉଦ୍ଧବ କାନ୍ଦି କାନ୍ଦି କହିଲେ, ତେବେ, ଆପଣଙ୍କୁ ବିପଦର ବନ୍ଧୁ କୁହାଯିବ କି?
ଭଗବାନ୍ ହସି ହସି କହିଲେ, ସାଧୁ,ସାଧୁ, ସାଧୁ ! ଉଦ୍ଧବ ! ତୁମେ ଯେଉଁ ପ୍ରଶ୍ନକଲ, ଦିନେ ମୋତେ ସେହିପ୍ରଶ୍ନ ମଧ୍ୟ ସମସ୍ତ ସଂସାର କରିବ l ତେବେ ମନ ଦେଇ ଶୁଣ l ପ୍ରକୃତିର ନିୟମ, ଯିଏ ଚତୁର ଏବଂ ବୁଦ୍ଧିମାନ ସିଏ ସବୁବେଳେ ଜିତିବ l ସେହି ବୁଦ୍ଧିମତ୍ତା ଧର୍ମରାଜ ଯୁଧିଷ୍ଠିରଙ୍କ ପାଖରେ ନଥିଲା ଯାହା ଦୂର୍ଯ୍ୟୋଧନ ନିକଟରେ ଥିଲା l ସେଥିପାଇଁ ସେ ହାରିଗଲେ l ଆହୁରି ଶୁଣ,ଦୁର୍ଯ୍ୟୋଧନ ପଶା ଖେଳରେ ସେତେ ଦକ୍ଷ ନଥିଲା କିନ୍ତୁ ସେ ଅମାପ ଐଶ୍ୱର୍ଯ୍ୟଶାଳୀ ଥିଲା,ଏଣୁ ସେ କହିଲା, ବାଜିରେ ମୁଁ ଯେତେ ଧନ ଦରକାର ହେବ ଲଗାଇବି କିନ୍ତୁ ମାମୁଁ ମୋର ପାଶାକାଠି ଚାଳନା କରିବ l ସେହି ସମୟରେ ଯୁଧିଷ୍ଠିର ମଧ୍ୟ କହି ପାରିଥାନ୍ତେ, ବାଜି ମୁଁ ଲଗାଇବି, କିନ୍ତୁ ଆମ୍ଭ ତରଫରୁ ଆମ୍ଭ ଶାଳକ ଶ୍ରୀକୃଷ୍ଣ ଦାନ ପକାଇବେ l ଚିନ୍ତା କର, ମୁଁ ସେହି ଖେଳରେ ଯଦି ଉପସ୍ଥିତଥାନ୍ତି, କିଏ ଜିତି ଥାନ୍ତା l କିନ୍ତୁ ସେ ତାହା କଲେ ନାହିଁ l ସେ ନିଜର ଭାଗ୍ୟ ଉପରେ ନିର୍ଭର କଲେ l ହଉ ଛାଡ଼ ସେକଥା ସେ ବୋଧହୁଏ ଭୁଲି ଯାଇଥିବେ l
ଶ୍ରୀକୃଷ୍ଣ ପୁଣି କହିଲେ, ଦେଖ ଉଦ୍ଧବ, ଧର୍ମରାଜ ମଧ୍ୟ ଆଉଏକ ଭୁଲ୍ କଲେ l ସେ ଦ୍ୟୁତ କ୍ରୀଡ଼ାକୁ ମୋତେ ଯିବା ପାଇଁ ଦେଲେ ନାହିଁ l ମୁଁ ପଶାଗୃହ ବାହାରେ ଅପେକ୍ଷା କରି ରହିଲି l ଏପରିକି ଭୀମ ଅର୍ଜୁନ, ନକୁଳ, ସହଦେବ, ବାଜି ଲାଗି ସାରିଲା ପରେ ମଧ୍ୟ ସେମାନେ ନିଜ ଭାଗ୍ୟର ଭରସାରେ ରହି ମୋତେ ସ୍ମରଣ ମଧ୍ୟ କଲେ ନାହିଁ l
ଏବେ ଆସ ପାଞ୍ଚାଳୀଙ୍କ କଥାକୁ l ଯେତେବେଳେ ଦୁଃଶାସନ ଗଲା ତାଙ୍କୁ ଧରି ଆଣିବାପାଇଁ ସେତେ ବେଳେ, ସେ ଥରେ ହେଲେ ମଧ୍ୟ ମୋତେ ସ୍ମରଣ କରିନଥିଲେ l ଅଧିକନ୍ତୁ ସେ ନିଜଉପରେ ଭରସା ରଖି ଭରା ସଭାରେ ଯାଇ ସମସ୍ତଙ୍କୁ ନ୍ୟାୟ ମାଗି ଥିଲେ l କିନ୍ତୁ ନିରାଶ ହୋଇ, ସେ ଯେତେବେଳେ ‘ଗୋବିନ୍ଦ, ଗୋବିନ୍ଦ !’ ବୋଲି ଡାକିଲେ ମୁଁ ତାଙ୍କୁ ଯାଇ ସାହାଯ୍ୟ କଲି l ଏବେ କୁହ l ମୋର ଭୁଲ୍ କେଉଁଠାରେ ରହିଲା l
ଭଗବାନଙ୍କ କଥା ଶୁଣି, ଉଦ୍ଧବ ଆଶ୍ଚର୍ୟ୍ଯ ହୋଇ କହିଲେ, ତାହେଲେ କୁହନ୍ତୁ, ଆପଣଙ୍କୁ ଡାକିଲେ କ’ଣ ଯାଇ ଆପଣ ଆସିବେ l ଆପଣ କଣ ଧର୍ମ ରକ୍ଷାପାଇଁ, ଆପଣଙ୍କ ସ୍ୱଜନଙ୍କ ରକ୍ଷାପାଇଁ ସ୍ଵତଃ ପହଞ୍ଚି ପାରିବେ ନାହିଁ l
ଶ୍ରୀକୃଷ୍ଣ ହସିହସି କହିଲେ, ହେ ଉଦ୍ଧବ ! “କର୍ମ ମୋହର ନିଜ ଗୁରୁ,ଉଦ୍ଧବ କେତେ ତୁ ପଚାରୁ”l ସଂସାରରେ ମନୁଷ୍ୟର କର୍ମ ହିଁ ତାର ଜୀବନର ନିୟାମକ l ମୁଁ ତାହା ପରିଚାଳନା କରେ ନାହିଁ l ହସ୍ତକ୍ଷେପ ମଧ୍ୟ କରେ ନାହିଁ l ମୁଁ କେବଳ ଏହାକୁ ନିରୀକ୍ଷଣ କରି ଥାଏ l ଏହାହିଁ ଈଶ୍ୱର ଧର୍ମ l
ଏହାଶୁଣି ଉଦ୍ଧବ କହିଲେ, ତେବେ ଆପଣ ଖାଲି ଆମ କର୍ମକୁ ଦେଖୁଥିବେ l ଆମେ ସବୁ ପାପକର୍ମ କରି ବୁଡ଼ି ବୁଡ଼ି ଯାଉଥିବୁ ଓ ସର୍ଵଶେଷରେ ଯାଇ ନର୍କରେ ପଡ଼ିବୁ, ଏଇଆ କହୁଛନ୍ତି ତ l ଭଗବାନ ମୃଦୁହାସ୍ୟ କରି କହିଲେ, ଉଦ୍ଧବ ! ଯାହା ତୁମକୁ ମୁଁ କହିଲି ତା’ର ଭିତିରି ଅର୍ଥ ଟିକିଏ ବୁଝ l ଯାହା ମୁଁ କହିଲି ତାର ସାରକଥାହେଲା, ଯେତେବେଳେ ତୁମେ ଅନୁଭବକରିବ ଯେ ମୁଁ ଯାହା କରୁଛି ତାକୁ ଈଶ୍ୱର ଦେଖୁଛନ୍ତି ସେତେବେଳେ ତୁମେ କୌଣସି ଭୁଲ୍ କିମ୍ବା ପାପ କାର୍ଯ୍ୟ ପାଇଁ ପ୍ରବୃତ୍ତ ହେବ ନାହିଁ କି ତୁମ ମଧ୍ୟରେ ସେ ପ୍ରବୃତ୍ତି ଆସିବ ନାହିଁ l ତୁମେ ଯେତେବେଳେ ଏହିକଥା ଭୁଲିଯିବ ତୁମେ ସେତେ ବେଳେ ନିଶ୍ଚୟ ଭୁଲ୍ କାର୍ଯ୍ୟ କରିବସିବ ଏବଂ ତା’ ପାଇଁ ଅନୁତପ୍ତ ହେବ l ସେହି କାର୍ଯ୍ୟ ହିଁ ଯୁଧିଷ୍ଠିର କରିଥିଲେ l ସେ ଯଦି ପଶା ଖେଳ ପୂର୍ବରୁ ଏପରି ଚିନ୍ତା କରି ଥାନ୍ତେ ତେବେ ପରିଣାମ ନିଶ୍ଚୟ ଅନ୍ୟ କିଛି ହୋଇଥାନ୍ତା l
ଉଦ୍ଧବ ନିଜ ପ୍ରଶ୍ନର ଯଥା ଯଥ ଉତ୍ତର ଶୁଣି ଆଉ କିଛି ଭଗବାନଙ୍କ ମୁଖରୁ ଶୁଣିବାପାଇଁ ହସ୍ତଯୋଡ଼ି ବସିଲେ l ଶ୍ରୀମଦ୍ ଭଗବତ ଗୀତାରେ ଭକ୍ତଶ୍ରେଷ୍ଠ ଅର୍ଜୁନଙ୍କୁ ଭଗବାନ୍ ଯେଉଁ ତତ୍ତ୍ୱ କଥା କହି ଥିଲେ ସେହି ସମସ୍ତ ତତ୍ତ୍ଵକୁ ଭଗବାନ୍ ଶ୍ରୀକୃଷ୍ଣ ଉଦ୍ଧବଙ୍କୁ ବିଭିନ୍ନ ଉପାଖ୍ୟାନ ଏବଂ ଆଖ୍ୟାୟିକା ମାଧ୍ୟମରେ ବୁଝାଇବାକୁ ଲାଗିଲେ l ଗୀତା ବର୍ଣ୍ଣିତ କର୍ମ, ଭକ୍ତି ଏବଂ ଜ୍ଞାନଯୋଗକୁ ସେ ବିସ୍ତୃତ ଭାବେ ଉଦ୍ଧବଙ୍କୁ ବୁଝାଇଲେ l ଭଗବାନଙ୍କର ସେହିସବୁ ଉପଦେଶ ଶ୍ରୀମଦ୍ଭାଗବତ ମହାପୁରାଣର ଏକାଦଶ ସ୍କନ୍ଧରେ ଶ୍ରୀକୃଷ୍ଣ ଉଦ୍ଧବ ସମ୍ବାଦ ଭାବେ ବର୍ଣ୍ଣିତ ହୋଇଛି l ତାପରେ ଶ୍ରୀକୃଷ୍ଣ ଯୋଗସାଧନ, ପୂଜାବିଧି, ଧ୍ୟାନ ପ୍ରଭୃତି ସୂକ୍ଷ୍ମ ତତ୍ତ୍ଵ ଉଦ୍ଧବଙ୍କୁ ବୁଝାଇଲେ l ବୈଦିକ ପରମ୍ପରାରେ ସେ ବ୍ରହ୍ମଚର୍ଯ୍ୟ, ଗାର୍ହସ୍ଥ୍ୟ, ବାନପ୍ରସ୍ଥ, ଯତିବ୍ରତ ଆଦି ବର୍ଣ୍ଣାଶ୍ରମଧର୍ମ ଆଦି ପ୍ରାଞ୍ଜଳଭାବେ ବୁଝାଇଲେ l ଉଦ୍ଧବ ଧ୍ୟାନ ପୂର୍ବକ ସବୁ ଶୁଣୁଥାନ୍ତି l ସେ ମଝିରେ ମଝିରେ କିଛି ପ୍ରଶ୍ନ ପଚାରିଲେ ପ୍ରଭୁ ଉତ୍ତର ଦେଇ ତାଙ୍କ ଶଙ୍କା ଦୂର କରୁଥାନ୍ତି l
ଏପରି ଭଗବାନ୍ ଉଦ୍ଧବଙ୍କୁ ସମସ୍ତ ତତ୍ତ୍ୱଉପଦେଶ ଦେଇସାରିଲା ପରେ କହିଲେ, ଉଦ୍ଧବ ! ବର୍ତ୍ତମାନ୍ ତୁମେ ଏହି ସମସ୍ତ ଜ୍ଞାନ ନେଇ ସାଂସାରିକ ବନ୍ଧନ ତ୍ୟାଗ କରି ବଦ୍ରିକା ଆଶ୍ରମକୁ ଚାଲି ଯାଅ l ତୁମେ ସେଠାରେ ଗଙ୍ଗା କୂଳରେ ବସି ତପସାଧନ କର l ଏହାଦ୍ବାରା ତୁମର ଆତ୍ମସାକ୍ଷାତକାର ହେବ l କିନ୍ତୁ ଉଦ୍ଧବଙ୍କ ମନ ଏ ପରାମର୍ଶ ମାନିବା ପାଇଁ ପ୍ରସ୍ତୁତ ହେଲା ନାହିଁ l ଉଦ୍ଧବ କହିଲେ, ନିକଟରେ ମୋର ସାକ୍ଷାତ୍ ସଗୁଣ, ସାକାର ପରମାତ୍ମା ଥିବା ବେଳେ ମୁଁ କି କାରଣେ ବଦ୍ରିକା ଯାଇ ନିର୍ଗୁଣ ନିରାକାରଙ୍କୁ ତପସ୍ୟା କରିବି l ଭାଗବତ ଭାଷାରେ:-
ସକଳ ତୀର୍ଥ ତୋ ଚରଣେ l
ବଦ୍ରିକା ଯିବି କି କାରଣେ ll
ଭଗବାନ୍ ମନୁଷ୍ୟ ଦେହ ଧାରଣକରି ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଏ ଧରାକୁ ଆସିଛନ୍ତି l ସେହି ସମୟ ସରିଯାଇଛି ଓ ସେ ପୁନଶ୍ଚ ନିତ୍ଯଧାମ ବୈକୁଣ୍ଠକୁ ଫେରି ଯିବେ ଏ କଥା ଉଦ୍ଧବଙ୍କ ଚିନ୍ତା ଚେତନାକୁ ସ୍ପର୍ଶ କରି ପାରିଲା ନାହିଁ l ପୁନଶ୍ଚ ଭଗବାନ୍ ତାଙ୍କୁ ନାନା ତତ୍ତ୍ୱ ଉପଦେଶ ଦେଇ ତାଙ୍କ ମନର ମାୟା ପଟଳ ଦୂରକରି ତାଙ୍କୁ ଦିବ୍ୟଜ୍ଞାନ ପ୍ରଦାନ କଲେ l ଭଗବାନ୍ କହିଲେ,ହେ ଉଦ୍ଧବ ! ମୁଁ ଏବେ ମୋର ନିଜ ଧାମକୁ ପ୍ରତ୍ୟାବର୍ତ୍ତନ କରିବି l ମୋର ଯିବା ସହ ଏ ଦ୍ଵାରକାପୁରୀକୁ ମଧ୍ୟ ସିନ୍ଧୁ ଗ୍ରାସ କରିବ l ଏଣୁ, ତୁମେ ମୋର ଏହି ପାଦୁକା ଦୁଇଟିକୁ ଘେନି ବଦ୍ରିକାଶ୍ରମକୁ ଚାଲି ଯାଅ l ସେହିଠାରେ ପାଦୁକା ସ୍ଥାପନ କରି ତପସ୍ୟା କରିବ ଏବଂ ଅନ୍ତକାଳରେ ମୋତେ ଲାଭ କରିବ l ପ୍ରଭୁଙ୍କ ଉପଦେଶ ଶ୍ରବଣ କରି ପରିଶେଷରେ ଉଦ୍ଧବ ପ୍ରଭୁଙ୍କ ପାଦୁକାଦ୍ବୟକୁ ଶିରରେ ମୁଣ୍ଡାଇ ବଦ୍ରିକା ଆଶ୍ରମକୁ ଯାତ୍ରା କଲେ l ଉଦ୍ଧବଙ୍କ ବଦ୍ରିକାଯାତ୍ରାକୁ ସୁନ୍ଦର ଭାବେ ଅତିବଡ଼ି ଶ୍ରୀମଦ୍ ଦ୍ଭାଗବତରେ ବର୍ଣ୍ଣନା କଲେ:-
ଏମନ୍ତ କହୁଁ ନାରାୟଣ। ଉଦ୍ଧବ କଲା ପ୍ରଦକ୍ଷିଣ॥
ବେନିପାଦୁକା ମୁଣ୍ଡେ ଧରି । ଉଦ୍ଧବ ଶୋକ ହୃଦେ ଭରି ॥ ତକ୍ଷଣେ ଛାଡ଼ି ମୋହପାଶ । ଧନ କୁଟୁମ୍ବ ଦାରା ଦାସ॥ ପ୍ରାଣଆକୁଳ ଶୋକଭରେ । ଉଦ୍ଧବ ଗଲା ଧୀରେ ଧୀରେ ॥ ହରିଙ୍କି ହୃଦୟ କମଳେ ।
ଆରାଧି ଜ୍ଞାନଯୋଗ ବଳେ ॥ ଉତ୍ତରମୁଖେ ଚଳି ଯାନ୍ତେ । ନୟନୁ ଅଶ୍ରୁ ଗଳେ ପଥେ ॥
ଶ୍ରୀମଦ୍ଭାଗବତର ଏକାଦଶ ସ୍କନ୍ଧରେ ଭଗବାନଙ୍କ ଭକ୍ତଶ୍ରେଷ୍ଠ ଉଦ୍ଧବଙ୍କୁ ପ୍ରଦତ୍ତ ଭଗବତ ଜ୍ଞାନ ଉଦ୍ଧବ ଗୀତା ନାମରେ ପ୍ରସିଦ୍ଧ l
! ଓଁ କୃଷ୍ଣାୟ ବାସୁଦେବାୟ ନମଃ !
🙏🙏🙏
ଅର୍ଜୁନୀ
————-
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧

Comments are closed.