ସାହିତ୍ୟ ପତ୍ରିକା ” ଉତ୍କଳ ବିଳାସ ” ଲୋକାର୍ପଣ ଉତ୍ସବ ଅନୁଷ୍ଠିତ।

କଲକାତା  : ରବିବାରର ପାବନ ସନ୍ଧ୍ୟା ଲୋକାର୍ପିତ ହେଲା ସାହିତ୍ୟ ପତ୍ରିକା ଉତ୍କଳ ବିଳାସ ।
କରୁଣାକର ବେହେରା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସସମାରୋହର ଶୁଭାରମ୍ଭ ଡା ବାମନ ଚନ୍ଦ୍ର ଦୀକ୍ଷିତଙ୍କ ଦ୍ୱାରା ସରସ୍ୱତୀ ବନ୍ଦନା ରୁ ଆରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ଅନୁପ ଶତପଥୀ , ମୁଖ୍ୟ ବକ୍ତା ଡା ସଞ୍ଜୟ ଅନନ୍ତ , ବିଶିଷ୍ଟ ଅତିଥି ବାଣୀଶ୍ରୀ ପ୍ରଭାତ କୁମାର ଆଚାର୍ଯ୍ୟ , ମହାକବି ଡା ବ୍ରଜେଶ ସିଂହ , ସାକେତ ରଞ୍ଜନ ଏବଂ ଅମୃତ ଲାଲ ପାଠକଙ୍କ ସମ୍ଭାଷଣ ଉପରାନ୍ତ ଉତ୍କଳ ବିଳାସ ପତ୍ରିକା ଲୋକାର୍ପିତ ହୋଇଥିଲା । ପ୍ରଦୀପ୍ତ କିଶୋର ପଣ୍ଡାଙ୍କ ଭକ୍ତି ରଚନା “କଳା ଗୋସାଇଁ ” ପ୍ରଭାତ ଆଚାର୍ଯ୍ୟଙ୍କ “ସକାଳର ଅର୍ଘ୍ୟ” ମଧ୍ୟ ଲୋକାର୍ପିତ ହୋଇଥିଲା । ଡା ସଞ୍ଜୟ ଅନନ୍ତ ଏବଂ ସାକେତ ରଞ୍ଜନ ଓଡ଼ିଆ ସାହିତ୍ୟର ସମୃଦ୍ଧତା ଉପରେ ଆଲୋକପାତ କରିଥିଲେ । ଡା ବାମନ ଚନ୍ଦ୍ର ଦୀକ୍ଷିତଙ୍କ ସ୍ବପ୍ନର ପତ୍ରିକା ଉତ୍କଳ ବିଳାସ କୁ ତିନି ଭାଷାର ମହାମିଳନ ଭାଷା ତ୍ରିବେଣୀ ଏବଂ ଡା ବାମନ ଚନ୍ଦ୍ର ଦୀକ୍ଷିତଙ୍କ ଭାଷାର ସେତୁ ପୁରୁଷ କହିଥିଲେ । ତଦୁପରାନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟାଙ୍ଗନା ସୁଶ୍ରୀ ସୃଷ୍ଟି ଗର୍ଗ , ସୋନାକ୍ଷୀ ବେହେରା , ଶୌର୍ଯ୍ୟା ଭାରତ ଏବଂ ଶ୍ୱେତାଶାଳିନୀ ନାୟକ ମନୋମୁଗ୍ଧକାରୀ ନୃତ୍ୟ ପରିବେଷଣ କରିଥିଲେ । ତତ୍ପଶ୍ଚାତ କବିତା ଆସର ଆରମ୍ଭ ହୋଇଥିଲା ବାଣୀଶ୍ରୀ ପ୍ରଭାତ ଆଚାର୍ଯ୍ୟ ଏବଂ ତପନ ଦାସଙ୍କ ଓଡ଼ିଆ କବିତାରୁ । ବହୁ ବିଶିଷ୍ଟ ସାହିତ୍ୟିକଙ୍କ ସମାଗମ ସଭାକୁ ଚରମ ସଫଳତା ପ୍ରଦାନ କରିଥିଲା । ମହାକବି ଛନ୍ଦାଚାର୍ୟ ବ୍ରିଜେଶ ସିଂହ , ଅଶୋକ ଶର୍ମା , ଶୋଭା ତ୍ରିପାଠୀ , ଅଙ୍କୁର ଶୁକ୍ଳା , ରାଜେଶ ସୋନାର , ଅଞ୍ଜନୀ ତିୱାରୀ , ସରସ୍ୱତୀ ସୋନି ଆଦି ବହୁ ସ୍ୱନାମ ଧନ୍ୟ କବିଙ୍କ କବିତା ପାଠରେ ସଭାଗର ଗୁଜରିତ ହେଉଥିଲା ରାତ୍ରିର ବିଳମ୍ବିତ ପ୍ରହର ପର୍ଯ୍ୟନ୍ତ । ସମ୍ମାନ ସମାରୋହରେ ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ଗଣେଶ ପ୍ରସାଦ କରଶର୍ମାଙ୍କୁ ଉତ୍କଳ ବିଳାସ ସାହିତ୍ୟ ରତ୍ନ , ପ୍ରଭାତ ଆଚାର୍ଯ୍ୟ , କଳ୍ପନା ମିଶ୍ର ଏବଂ ଅନ୍ୟ ପାଞ୍ଚ ଜଣ କବି /ଗାଳ୍ପିକଙ୍କୁ ଉତ୍କଳ ବିଳାସ ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା । ହିନ୍ଦୀ ସାହିତ୍ୟର ଆଗ ଧାଡିର ପନ୍ଦର ଜଣ ବିଭୁତିଙ୍କୁ ମଧ୍ୟ ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା । ପରିଶେଷରେ ଉପସଭାପତି ଦଣ୍ଡପାଣି ନାୟକ , ସୁବ୍ରତ ରଥଙ୍କ ସଂକ୍ଷିପ୍ତ ସମ୍ଭାଷଣ ପରେ ବାମନ ଚନ୍ଦ୍ର ଦୀକ୍ଷିତ ଉପସ୍ଥିତ ସମସ୍ତ ସାହିତ୍ୟ ପ୍ରେମୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଶାନ୍ତିବାଚନର ମଧୁର ଗୁଞ୍ଜରଣ ସହିତ ସଭା ସମାପ୍ତ କରାଯାଇଥିଲା । ରିପୋର୍ଟ-ସନାତନ ମହାକୁଡ଼।

Comments are closed.