ସାଢ଼େ ୪ଲକ୍ଷରେ ଅଙ୍ଗନବାଡ଼ି ପଦ ନିଲାମ!

ଅନ୍ୟ ଜଣଙ୍କୁ ଚାକିରି ମିଳିବାରୁ ଗ୍ରାମବାସୀ କ୍ଷୁବ୍ଧ, ତାଙ୍କଠାରୁ ୯ ଲକ୍ଷ ଟଙ୍କା ଦାବି କରୁଛନ୍ତି

ଅନୁଗୁଳ : ଚାକିରି ଦାମ୍‌ ସାଢ଼େ ଚାରି ଲକ୍ଷ। ଗାଁକୁ ଅଗ୍ରିମ ଟଙ୍କା ଦିଅ, ଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ଚାକିରି କର। ଅନୁଗୁଳ ସହର ଉପକଣ୍ଠର ଏକ ଗାଁର ଅଙ୍ଗନବାଡି କର୍ମୀ ପଦ ପାଇଁ ଗାଁ ସଭାରେ ହୋଇଥିବା ଏପ୍ରକାର ମୂଲଚାଲ୍‌ ଚର୍ଚ୍ଚାର ବିଷୟ ହୋଇଛି। ସବୁଠାରୁ ମଜାଦାର୍‌ କଥା ହେଲା, ସାଢ଼େ ଚାରି ଲକ୍ଷ ଟଙ୍କାର ଡିଲ୍ ସତ୍ତ୍ବେ ଅଙ୍ଗନବାଡ଼ି ଚାକିରି ଗାଁର ଅନ୍ୟ ଜଣେ ମହିଳାଙ୍କ ହାତକୁ ଚାଲି ଯିବାରୁ ଗାଁ ଲୋକେ ଖପା ହୋଇଛନ୍ତି। ନୂଆ ଚାକିରି ପାଇଥିବା ଅଙ୍ଗନାବାଡି କର୍ମୀଙ୍କ ନିକଟକୁ ଗାଁ ଲୋକେ ନିଜ ପିଲାଙ୍କୁ ପଠାଇବା ବନ୍ଦ କରି ଦେଇଛନ୍ତି। ଏପରିକି ପିଲାଙ୍କୁ ନେଇ ନୂଆ ଚାକିରି ପାଇଥିବା ଅଙ୍ଗନବାଡ଼ି କର୍ମୀଙ୍କ ସହିତ ନୂଆ ଚୁକ୍ତି କରିବାକୁ ଚକ୍ରାନ୍ତ ଚାଲିଛି। ଗାଁକୁ ନଅ ଲକ୍ଷ ଟଙ୍କା ନ ଦେଲେ, ଅଙ୍ଗନବାଡ଼ିକୁ ପିଲାଙ୍କୁ ଛାଡ଼ିବୁ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ଏହି ଘଟଣା ପାଇଁ ଗଲା ଆଠ ତାରିଖରୁ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ପଡ଼ିଛି। ଅଙ୍ଗନବାଡ଼ି ଚାକିରି ପାଇଁ ଗାଁରେ କେମିତି ମୂଲଚାଲ ଚାଲିଛି, ଏହି ଘଟଣା ତାହା ସୂଚାଇ ଦେଉଛି।

ପୂର୍ବରୁ ଗାଁରେ ଯେଉଁ ଅଙ୍ଗନବାଡ଼ି କର୍ମୀ ଥିଲେ, ୫/୬ ମାସ ତଳେ ସେ ଅସୁସ୍ଥ ହୋଇପଡ଼ିଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଅଙ୍ଗନବାଡ଼ି ପଦ ଖାଲି ପଡ଼ିଥିଲା। ଖାଲି ପଡ଼ିଥିବା ପଦ ପୂରଣ ପାଇଁ ଅନୁଗୁଳ ଜିଲ୍ଲା ପ୍ରଶାସନ ବିଜ୍ଞପ୍ତି ବାହାର କରିଥିଲା। ବିଜ୍ଞପ୍ତି ବାହାରିବା କ୍ଷଣି ଗାଁରେ ଆରମ୍ଭ ହୋଇଗଲା ରାଜନୀତି ଏବଂ ମୂଲଚାଲ। ଆଇନ୍‌ ଅନୁସାରେ, ଏ ଚାକିରି କରିବାକୁ ଥିବା ମହିଳା ସ୍ଥାନୀୟ ବାସିନ୍ଦା ହେବାସହିତ ଶିକ୍ଷାଗତ ଯୋଗ୍ୟତା ଥିବା ଦରକାର। ଯାହାଙ୍କର ଶିକ୍ଷାଗତ ଯୋଗ୍ୟତା ଅଧିକ ଥିବ, ସେ ହିଁ ଏ ପଦବି ପାଇଁ ଯୋଗ୍ୟ ହୋଇପାରିବେ। କିନ୍ତୁ, ଗାଁ ଲୋକେ ଶିକ୍ଷାଗତ ଯୋଗ୍ୟତା ବଦଳରେ କିଏ କେତେ ଟଙ୍କା ଦେଇପାରିବ, ସେଥିପାଇଁ ଗାଁ ସଭା ଡକାଇଲେ। ସର୍ବସମ୍ମତି କ୍ରମେ କୁହାଗଲା, ଯିଏ ଅଧିକ ଟଙ୍କା ଗାଁକୁ ଦେବ, ତାକୁ ହିଁ ଗାଁ ସମ୍ମତି ଦେବ। ତାଙ୍କ ବ୍ୟତୀତ ଆଉ କେହି ଏହି ପଦବି ପାଇଁ ଗାଁରୁ ଆବେଦନ କରିବେ ନାହିଁ। ଶେଷରେ ସେ ହିଁ ଚାକିରି ପାଇବେ।

ବିଳମ୍ବିତ ରାତିରେ ଥରକୁ ଥର ଗାଁ ସଭା ବସିଲା। ୬୦ ହଜାରରୁ ମୂଲ୍‌ଚାଲ୍ ଆରମ୍ଭ ହୋଇ ସାଢ଼େ ଚାରି ଲକ୍ଷ ଟଙ୍କା ଯାଏ ଚାକିରିର ନିଲାମ୍‌ ହେଲା। ପରିଶେଷରେ ପରିବାରର ଚାକିରି କରିଥିବା ଜଣେ ମହିଳା ସାଢ଼େ ଚାରି ଲକ୍ଷ ଦେବାକୁ ରାଜି ହେଲେ। ତେଣୁ, ସର୍ବସମ୍ମତି କ୍ରମେ ସେ ହିଁ ଚାକିରି ପାଇଁ ଆବେଦନ କରିବେ ବୋଲି ଗାଁ ସଭାରେ ନିଷ୍ପତ୍ତି ହେଲା।

କିନ୍ତୁ, ଗାଁ ସଭା ନିଷ୍ପତ୍ତିକୁ ଗାଁର ଦୁଇ ଜଣ ମହିଳା ଏଡ଼ାଇ ଗଲେ। ସାଢ଼େ ଚାରି ଲକ୍ଷ ଟଙ୍କାରେ ଡିଲ୍ କରିଥିବା ମହିଳାଙ୍କ ସହିତ ମୋଟ୍ ତିନି ଜଣ ମହିଳା ଏ ପଦବି ପାଇଁ ଆବେଦନ କଲେ। ଦୁର୍ଭାଗ୍ୟକୁ ଗାଁ ସଭାରେ ସାଢ଼େ ଚାରି ଲକ୍ଷ ଟଙ୍କାର ଡିଲ୍ କରିଥିବା ମହିଳା ମେରିଟ୍ ତାଲିକାରୁ କଟିଗଲେ। ଶିକ୍ଷାଗତ ଯୋଗ୍ୟତା ଦୃଷ୍ଟିରୁ ଅଧିକ ନମ୍ବର ରଖିଥିବା ଅନ୍ୟ ଜଣେ ମହିଳାଙ୍କୁ ଅନୁଗୁଳ ଜିଲ୍ଲା ପ୍ରଶାସନ ଅଙ୍ଗନବାଡ଼ି କର୍ମୀ ଭାବେ ଗଲା ୮ ତାରିଖ ଦିନ ନିଯୁକ୍ତି ଦେଲା। ଚୁକ୍ତି ଭାଙ୍ଗି ଯିବାରୁ ଗାଁ ଲୋକେ ଖପା ହୋଇଛନ୍ତି। ନବନିଯୁକ୍ତ ଅଙ୍ଗନବାଡ଼ି କର୍ମୀଙ୍କ ପାଖକୁ ଗାଁ ଲୋକେ ନିଜ ପିଲାଙ୍କୁ ଆଉ ଛାଡ଼ୁନାହାନ୍ତି, ବରଂ ନୂଆ ଚାକିରି ପାଇଥିବା ମହିଳାଙ୍କ ସହିତ ଡବଲ୍ ନିଲାମ୍‌ ଦାବି କରାଯାଉଛି। ୯ ଲକ୍ଷ ଟଙ୍କା ନ ଦେଲେ ପିଲାଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରକୁ ଛାଡ଼ିବୁ ନାହିଁ ବୋଲି ଚେତାବନୀ ଦିଆଯାଉଛି। ଫଳରେ ଗଲା ସପ୍ତାହେ ହେଲା ଅଙ୍ଗନବାଡ଼ି କେନ୍ଦ୍ରରେ ଅଚଳାବସ୍ଥା ଜାରି ରହିଛି।

ଏ ଘଟଣାକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଆଲ୍‌ମା ବରୁଆ ନିନ୍ଦା କରିଛନ୍ତି। କହିଛନ୍ତି, ଅଙ୍ଗନବାଡ଼ି ନିଯୁକ୍ତିରେ ଗାଁର କୌଣସି ଭୂମିକା ନାହିଁ। ଯାହାର ଅଧିକ ନମ୍ବର ଥିବ, ସେ ହିଁ ପାଇବାକୁ ହକ୍‌ଦାର। ଯଦି, ସରକାରୀ ନିୟମକୁ ଉଲ୍ଲଙ୍ଘନ କରି ଏମିତି ଡିଲ୍ କରାଯାଉଛି, ତାହା ପିଲାଙ୍କ ଭବିଷ୍ୟତ ଉପରେ ଆଞ୍ଚ୍‌ ଆଣିବ। ଯେଉଁ ମହିଳା ସାଢ଼େ ଚାରି ଲକ୍ଷ ଟଙ୍କା ଦେଇ ଚାକିରି କରିବାକୁ ଚକ୍ରାନ୍ତ କରୁଛନ୍ତି, ସେ ପିଲାଙ୍କ ଖାଇବା ଲୁଟି ସେ ଟଙ୍କା ଭରଣା କରିବେ। ତେଣୁ, ଏ ପ୍ରକାର କାମ ନ କରିବାକୁ ଆମେ ଗାଁକୁ ଯାଇ ବୁଝାସୁଝା କରିବୁ। ନଚେତ୍‌, ଆଇନ୍‌ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

Comments are closed.