ଆର୍.ଉଦୟଗିରି 10/08/2026(ମନୋଜ ପାଢ଼ୀ)-: ଗଣତନ୍ତ୍ରର ମହାପର୍ବରେ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ଭୋଟ ହେଉଛି ତାଙ୍କର ଅଧିକାର। ହେଲେ ଗଜପତି ଜିଲ୍ଲାର ଏକ ଦୁର୍ଗମ ଗାଁର ଲୋକଙ୍କ ପାଇଁ ଏହି ଅଧିକାର ଯେପରି ସ୍ୱପ୍ନ ପାଲଟିଛି। ବୟସ ୬୦ ଟପିଲାଣି, କିନ୍ତୁ ଆଜି ବି ଭୋଟର ତାଲିକାରେ ନାଁ ନାହିଁ। ଭୋଟର କାର୍ଡ ନଥିବାରୁ ନିର୍ବାଚନ ଆସିଲେ ବି ମତଦାନ କରିପାରୁନାହାନ୍ତି ଗାଁର ଅନେକ ଲୋକ। ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକ ପୁରୁଣାପାଣି ପଞ୍ଚାୟତର ରୁବାଲ ଗ୍ରାମରେ ପ୍ରାୟ ୩୫ରୁ ୪୦ ପରିବାର ବସବାସ କରୁଛନ୍ତି। ଦୁର୍ଗମ ପାହାଡ଼ିଆ ଅଞ୍ଚଳର ଏହି ଗାଁରେ ଆଜି ବି ମୌଳିକ ସୁବିଧାର ଅଭାବ ଥିବାବେଳେ ଏବେ ଭୋଟର ତାଲିକାରେ ନାଁ ନଥିବା ଅଭିଯୋଗ ସାମ୍ନାକୁ ଆସିଛି। ଗ୍ରାମବାସୀଙ୍କ କହିବାନୁଯାୟୀ, ୧୯୯୫ ମସିହାରେ ଗାଁର କିଛି ବୟସ୍କ ବ୍ୟକ୍ତି ଭୋଟର ପରିଚୟପତ୍ର ପାଇଥିଲେ। ସେତେବେଳେ ରୁବାଲ ଗ୍ରାମ ଶିଆଳିଲଟି ପଞ୍ଚାୟତ ଅଧୀନରେ ଥିଲା ଏବଂ ଲୋକେ ନିର୍ବାଚନରେ ଭୋଟ ଦେଉଥିଲେ। ପରେ ପଞ୍ଚାୟତ ବିଭାଜନ ହେବା ପରଠାରୁ ସମସ୍ୟା ଆରମ୍ଭ ହୋଇଥିବା ଗ୍ରାମବାସୀ କହିଛନ୍ତି। ପୁରୁଣା ଭୋଟର କାର୍ଡ ଥିଲେ ମଧ୍ୟ ତାହା ଏବେ ନିର୍ବାଚନ ସମୟରେ କାମରେ ଆସୁନଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ନୂଆ ପିଢ଼ିର ଅନେକ ଯୁବକ-ଯୁବତୀ ଭୋଟ ଦେବାକୁ ଯୋଗ୍ୟ ହୋଇସାରିଥିଲେ ମଧ୍ୟ ସେମାନଙ୍କ ନାଁ ଭୋଟର ତାଲିକାରେ ସାମିଲ ହୋଇପାରୁନାହିଁ। ସବୁଠାରୁ ଗୁରୁତର ଅଭିଯୋଗ ହେଉଛି—ସମସ୍ୟା ସମାଧାନ ପାଇଁ ଗ୍ରାମବାସୀ ଅନେକଥର ଚେଷ୍ଟା କରିଥିଲେ ମଧ୍ୟ ଦାୟିତ୍ୱ ନେବାକୁ କେହି ଆଗେଇ ଆସୁନାହାନ୍ତି। ବି ଏଲ ଓ ଙ୍କୁ ପଚାରିଲେ ରୁବାଲ ଗ୍ରାମ ତାଙ୍କ ଅନୁଭାଗ ଅଧୀନରେ ନଥିବା କହୁଥିବାବେଳେ, ନିର୍ବାଚନୀ ଅଧିକାରୀଙ୍କ ନିକଟକୁ ଗଲେ ଏହା ବି ଏଲ ଓ ଙ୍କ ଦାୟିତ୍ୱ ବୋଲି କୁହାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଭଳି ‘ତୁମ ଦାୟିତ୍ୱ ନୁହେଁ, ତାଙ୍କ ଦାୟିତ୍ୱ’ ଭିତରେ ଫସି ରହିଛି ରୁବାଲ ଗାଁର ଭୋଟ ଅଧିକାର। ଅଭିଯୋଗ ସମ୍ପର୍କରେ ସରକାରୀ ଅଧିକାରୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିନଥିବା ଜଣାପଡ଼ିଛି। ଏକପଟେ ଦେଶରେ ଡିଜିଟାଲ ମାଧ୍ୟମରେ ଭୋଟର ପଞ୍ଜୀକରଣ ଓ ସଂଶୋଧନର ସୁବିଧା ଉପଲବ୍ଧ ଥିବା କୁହାଯାଉଛି, ଅନ୍ୟପଟେ ଏହି ଦୁର୍ଗମ ଗାଁର ଲୋକେ ନିଜର ନାଁ ଭୋଟର ତାଲିକାରେ ସାମିଲ କରାଇବା ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରୁଛନ୍ତି। ଗଣତନ୍ତ୍ରରେ ଯେଉଁଠି ପ୍ରତ୍ୟେକ ଭୋଟର ମୂଲ୍ୟବାନ, ସେଠାରେ ରୁବାଲର ଏହି ଲୋକଙ୍କ ଭୋଟ ଅଧିକାର କାହିଁକି ଅଟକିଛି? ପ୍ରଶାସନ ଏହାର ଉତ୍ତର ଦେବ କି? ଏବେ ଏହି ପ୍ରଶ୍ନ ଉଠାଇଛନ୍ତି ରୁବାଲ ଗ୍ରାମବାସୀ
Sign in
Sign in
Recover your password.
A password will be e-mailed to you.
Comments are closed.