ବିଶୋଇ:ଆଦିବାସୀ ଅଧ୍ୟୁଷିତ ତଥା ଅନୁନ୍ନତ ବିଶୋଇ ବ୍ଲକର ବାଢୁଣିଆସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖାଦ୍ୟ ଓ ଶିକ୍ଷକ ଅଭାବକୁ ନେଇ ଛାତ୍ରୀମାନେ ଆଜି ରାଜପଥ ଅବରୋଧ କରିଛନ୍ତି। ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ପ୍ରାୟ ୬ ବର୍ଷ ତଳେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୧୨୦ ଜଣ ଛାତ୍ରୀ ଅଧ୍ୟୟନ କରୁଛନ୍ତି।ସରକାରଙ୍କ ମଧ୍ୟାନ ଭୋଜନ ଖାଦ୍ୟ ସେମାନଙ୍କୁ ଦିଆଯାଉନାହିଁ ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଭୋଜନରେ ଭାତ, ଅଣ୍ଡା ଓ ତରକାରୀ ଉଲ୍ଲେଖ ଥିବାବେଳେ ନିୟମିତ ଭାବେ ମଟର, ଆଳୁ, ପୋଟଳ ଓ ଡାଲମା ଦିଆଯାଉଥିବା ସେମାନେ ଅଭିଯୋଗ କରିଛନ୍ତି। ଏଥିସହ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଓ ଶିକ୍ଷୟିତ୍ରୀ ନଥିବାରୁ ପାଠପଢ଼ା ବ୍ୟାହତ ହେଉଥିବା ଛାତ୍ରୀମାନେ କହିଛନ୍ତି। ପରୀକ୍ଷାକୁ ଆଉ ମାତ୍ର ଦୁଇ ମାସ ଥିବାରୁ ଏହାକୁ ନେଇ ସେମାନଙ୍କ ମଧ୍ୟରେ ଉଦ୍ବେଗ ବଢ଼ିଛି।ଏହି ସମସ୍ୟାଗୁଡ଼ିକ ସମ୍ପର୍କରେ ନୂତନ ଭାବେ ଯୋଗଦେଇଥିବା ଅଧ୍ୟକ୍ଷା ସସ୍ମିତା ଗିରିଙ୍କ ନିକଟରେ ଅଭିଯୋଗ କରିଥିବା ନେଇ ଛାତ୍ରୀମାନେ କହିଛନ୍ତି। ତେବେ ସେମାନଙ୍କ ଅଭିଯୋଗର ସମାଧାନ ପ୍ରତି ଅଧ୍ୟକ୍ଷା ଆଗ୍ରହ ପ୍ରକାଶ କରିନଥିବା ଏବଂ ଛାତ୍ରୀମାନଙ୍କୁ ଚୁପ୍ ରହିବାକୁ କହିଥିବା ସେମାନେ ଅଭିଯୋଗ କରିଛନ୍ତି।ଛାତ୍ରୀମାନେ ଅଭିଯୋଗ ପରେ ଅଭିଭାବକମାନେ ବିଦ୍ୟାଳୟରେ ପହଞ୍ଚି ଅଧ୍ୟକ୍ଷାଙ୍କ ସହ ଆଲୋଚନା କରିବାକୁ ଚାହିଁଥିଲେ। କିନ୍ତୁ ଅଧ୍ୟକ୍ଷାଙ୍କ ସହ ସେମାନଙ୍କର ଆଲୋଚନା ହୋଇନଥିବା ନେଇ ସୂଚନାମିଳିଛି। ଏଥିରେ ଅସନ୍ତୋଷ ପ୍ରକାଶ କରି ଛାତ୍ରୀମାନେ ନିଜର ଦାବି ପୂରଣ ପାଇଁ ୪୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ।
ଛାତ୍ରୀମାନେ ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ରାଜପଥ ଅବରୋଧ କରିଥିଲେ। ଖବର ପାଇ ଘଟଣାସ୍ଥଳରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଉଗ୍ରସେନ ଓରାମ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ (ଆଇଟିଡିଏ) ଜ୍ଞାନରଞ୍ଜନ ସାମଲ, ଅତିରିକ୍ତ ମଙ୍ଗଳ ଅଧିକାରୀ ଅଜୟ କୁମାର ଜେନା, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ କମଳାକାନ୍ତ ସ୍ୱାଇଁ, ତହସିଲଦାର ସତ୍ୟବାନ ନାୟକ, ବିଡିଓ ସୁମନ ରାଜା ମହାନ୍ତି, ସରପଞ୍ଚ ସୋମବାରି ସିଂ, ଥାନା ଅଧିକାରିଣୀ ସୁବର୍ଣ୍ଣ ବେହେରା ଏବଂ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିକାଶ ରଞ୍ଜନ ନାୟକ ପ୍ରମୁଖ ପହଞ୍ଚିଥିଲେ। ପ୍ରଶାସନିକ ଅଧିକାରୀମାନେ ଛାତ୍ରୀ ଓ ଅଭିଭାବକଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ଆଶ୍ୱାସନ ଦେବା ପରେ ରାସ୍ତାରୋକ ହଟିଥିଲା।
ଆସନ୍ତା ୧୫ ଦିନ ମଧ୍ୟରେ ଅତିଥି ଶିକ୍ଷକ ନିଯୁକ୍ତି, ଖାଦ୍ୟର ମାନ ନିର୍ଦ୍ଧାରଣ, ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ଏବଂ ସରକାରୀ ଖାଦ୍ୟ ସାରଣୀ ଅନୁଯାୟୀ ଖାଦ୍ୟ ପ୍ରସ୍ତୁତି ଭଳି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।ଏଥିସହ ଅଧ୍ୟକ୍ଷାଙ୍କ ବ୍ୟବହାର ସମ୍ପର୍କରେ ଛାତ୍ରୀମାନେ କରିଥିବା ଅଭିଯୋଗକୁ ଜିଲ୍ଲାପାଳଙ୍କ ଅବଗତିକୁ ଅଣାଯିବ ବୋଲି ଅଧିକାରୀମାନେ କହିଛନ୍ତି।ଉଲ୍ଲେଖଯୋଗ୍ୟ, ୨୦୨୫-୨୬ ଶିକ୍ଷାବର୍ଷରେ ଏହି ବିଦ୍ୟାଳୟର ୯ ଜଣ ଛାତ୍ରୀ ନିଟ୍ ପରୀକ୍ଷା ଦେଇ ଉତ୍ତମ ସ୍ଥାନ ହାସଲ କରିଥିବା ଜଣାପଡ଼ିଛି। ଏଭଳି ଏକ ଶିକ୍ଷାନୁଷ୍ଠାନରେ ମୌଳିକ ସୁବିଧା ଓ ଶିକ୍ଷକ ଅଭାବର ସମସ୍ୟାର ଶୀଘ୍ର ସମାଧାନ ପାଇଁ ଛାତ୍ରୀ ଓ ଅଭିଭାବକମାନେ ଦାବି କରିଛନ୍ତି।