‘ରୋମାଣ୍ଟିକ୍‌ ସନ୍‌ସେଟ୍‌ ପ୍ରପୋଜାଲ୍‌’ ବେଳେ ସମୁଦ୍ରରେ ଖସିପଡ଼ିଲା ମୁଦି; ଉଦ୍ଧାର କରିବାକୁ ପାଣିକୁ‌ ଡେଇଁଲେ ପ୍ରେମିକ

ଫ୍ଲୋରିଡା: ସୂର୍ଯ୍ୟାସ୍ତ ବେଳେ ଗୋଟାଏ ବୋଟ୍ ଉପରେ ପ୍ରେମିକାଙ୍କୁ ବିବାହ ପ୍ରସ୍ତାବ ଦେଇ ପିନ୍ଧାଉଥିବା ମୁଦିଟି ପାଣିରେ ପଡ଼ିଯିବାରୁ ତାହାକୁ ଉଦ୍ଧାର କରିବା ପାଇଁ ପ୍ରେମିକ ଫ୍ଲୋରିଡା ସମୁଦ୍ରକୁ ଡେଇଁ ପଡ଼ିଥିବା କଥା ଗଣମାଧ୍ୟମ ‘ପିପୁଲ୍‌’ ରିପୋର୍ଟ କରିଛି।

‘ଫେସ୍‌ବୁକ୍‌’ରେ ଫ୍ଲୋରିଡା ଅନ୍ତର୍ଗତ ସାରାସୋଟାର ସ୍କଟ୍‌ କ୍ଲାଇନ୍‌ ସେୟାର୍‌ କରିଥିବା ଭିଡିଓରେ ଦେଖାଯାଉଛି, ସେ ଓ ତାଙ୍କ ପ୍ରେମିକା ସୁଜି ଟକର୍‌ ବୋଟ୍‌ର ସମ୍ମୁଖ ଭାଗରେ ଠିଆ ହୋଇ ହାତ ଲମ୍ବାଉଛନ୍ତି, ଏବଂ ସେମାନଙ୍କ ପଛ ଆକାଶରେ ସୂର୍ଯ୍ୟ ଅସ୍ତଯାଉଛନ୍ତି।

ସେତିକି ବେଳେ ୩୫ ବର୍ଷିୟ କ୍ଲାଇନ୍‌ ପିନ୍ଧିଥିବା ହାଫ୍‌ପ୍ୟାଣ୍ଟ୍‌ ପକେଟ୍‌ରୁ ମୁଦି ବାକ୍ସଟିଏ ବାହାର କରୁଛନ୍ତି। ହାତ ବଢ଼ାଇଥିବା ୩୨ ବର୍ଷୀୟ ପ୍ରେମିକା ସୁଜିଙ୍କୁ ମୁଦି ପିନ୍ଧାଇବା ପାଇଁ କ୍ଲାଇନ୍‌ ଆଣ୍ଠେଇବାକୁ ସଜ ହେଉଥିବା ବେଳେ ମୁଦିଥିବା ବାକ୍ସଟି ପାଣିକୁ ପଡ଼ିଯାଉଛି।

କାଳବିଳମ୍ବ ନ କରି କ୍ଲାଇନ୍‌ ସମୁଦ୍ରକୁ ଡେଇଁ ପଡୁଛନ୍ତି ଓ ଅଳ୍ପ ସମୟ ପରେ ଗଡ଼ ଜିଣିବା ପରି ମୁଦି ବାକ୍ସଟି ହାତରେ ଧରି ପାଣି ଉପରକୁ ଉଠି ଆସୁଛନ୍ତି। ବୋଟ୍‌ ଉପରେ ବିସ୍ମିତ ହସ ହସି ଚାହିଁ ରହିଛନ୍ତି ସୁଜି।

ସେ ସମୟରେ ବୋଟ୍‌ ଉପରେ ଥିବା ସେମାନଙ୍କର ଜଣେ ବାନ୍ଧବୀ ସେଲ୍‌ଫୋନ୍‌ କ୍ୟାମେରାରେ ଏହି ଘଟଣାର ଭିଡିଓ ଉତ୍ତୋଳନ କରୁଥିଲେ। ସେ କ୍ଲାଇନ୍‌ଙ୍କ ହାତରୁ ମୁଦିଥିବା ବାକ୍ସ ଓ ତାଙ୍କ ସନ୍‌ଗ୍ଲାସକୁ ବୋଟ୍‌ ଉପରକୁ ନେଇ ଆସିବାରେ ସହଯୋଗ କରିଥିଲେ। ଏହାଛଡ଼ା, କ୍ଲାଇନ୍‌ଙ୍କୁ ବୋଟ୍‌ ଉପରକୁ ଉଠିବାରେ ମଧ୍ୟ ସେ ସାହାଯ୍ୟ କରିଥିଲେ।

ସମୁଦ୍ରରୁ ଉଠି ଆସିବା ପରେ କ୍ଲାଇନ୍‌ ପୁଣି ଆଣ୍ଠୁମାଡ଼ି ବସି ପ୍ରେମିକା ସୁଜିଙ୍କୁ ମୁଦି ପିନ୍ଧାଇ ବିବାହ ପ୍ରସ୍ତାବ ଦେଇଥିଲେ। ଉକ୍ତ ଭିଡିଓର ଅଡିଓ ନ ଥିଲେ ବି ସୁଜି ସମ୍ମତି ପ୍ରକାଶ କରିଥିବା କଥା ତାଙ୍କ ହସ ଓ ଚୁମ୍ବନରୁ ଜଣାପଡୁଛି।

Comments are closed.