ଭୁବନେଶ୍ୱର : ସାଧାରଣ ଓ ମଧ୍ୟବିତ୍ତ ବ୍ୟକ୍ତିଙ୍କ ପାଇଁ ଖୁସି ଖବର । ଦୂର ହୋଇଛି ଦୀର୍ଘବର୍ଷର ପ୍ରତିବନ୍ଧକ । ଏଣିକି ସରଳ ହେବ ଫ୍ଲାଟ କିଣାବିକା। ଆପାର୍ଟମେଣ୍ଟର କମନସ୍ପେସ୍ ରେଜିଷ୍ଟ୍ରେସନ ସହ ଅନ୍ୟାନ୍ୟ ସୁବିଧା ପାଇଁ ଥରେ ଦେବାକୁ ପଡିବ ୫୦ ହଜାର ଟଙ୍କା । ଓଡିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧିନିୟମ ୨୦୨୩ ଅନୁଯାୟୀ ପ୍ରଥମ ଆପାର୍ଟମେଣ୍ଟ ହସ୍ତାନ୍ତର ଓ ଦଲିଲ ପଞ୍ଜିକରଣ ସମୟରେ କମନ୍ ସ୍ପେସ୍ ଏରିଆ ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଆସୋସିଏସନ ଅଫ୍ ଆଲଟିଜ୍ କୁ ହସ୍ତାନ୍ତର କରିବା ବାଧ୍ୟତାମୂଳକ। ଫଳରେ ଫ୍ଲାଟ୍ କିଣାବିକା ସମୟରେ ବିଲଡରଙ୍କ ମନମାନି ହଟିବା ସହ ଆର୍ଥିକ ବୋଝରୁ ମୁକ୍ତି ମିଳିବ।
ଏହି ସଂଶୋଧନ ଅଧ୍ୟାଦେଶକୁ ରାଜ୍ୟପାଳଙ୍କ ସୀକୃତି ପାଇଁ ପଠାଯାଇଥିଲା। ଗତକାଲି ରାଜ୍ୟପାଳ ଏହି ଅଧ୍ୟାଦେଶ ଉପରେ ମୋହର ମାରିବା ପରେ ସରକାର ଏ ସମ୍ପର୍କିତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହାଦ୍ବାରା ଫ୍ଲାଟ କିଣାବିକା ଓ କମନ ସ୍ପେସ୍ ରେଜିଷ୍ଟ୍ରେସନ ପାଇଁ ଦୀର୍ଘ ବର୍ଷଧରି ଲାଗିରହିଥିବା ଦ୍ବନ୍ଦ ଓ ପ୍ରତିବନ୍ଧକ ହଟିଲା ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।
ଗତମାସ ୨୦ ତାରିଖରେ ରାଜ୍ୟ କ୍ୟାବିନେଟରେ କମନ୍ ସ୍ପେସ୍ ରେଜିଷ୍ଟ୍ରେସନ ଏବଂ ଫ୍ଲାଟ କିଣାବିକାରେ ରହିଥିବା ପ୍ରତିବନ୍ଧକ ହଟାଇଥିଲେ ରାଜ୍ୟ ସରକାର। ଷ୍ଟାମ୍ପ ଡ୍ୟୁଟିରେ ଥିବା ୩, ୪ ଏବଂ ୫ ପ୍ରତିଶତ ସ୍ଲାବ ହଟାଇ ସବୁବର୍ଗର ଫ୍ଲାଟ ଉପରେ ୫ ପ୍ରତିଶତ ଟ୍ୟାକ୍ସ ସ୍ଥିର କରିଥିଲେ । ସରକାରଙ୍କ ଅଧ୍ୟାଦେଶ ଜାରି ପରେ ବଡ଼ ବଡ଼ ସହରରେ ମଧ୍ୟବିତ୍ତଙ୍କ ପାଇଁ ଘର ବା ଫ୍ଲାଟ୍ କିଣିବା ନେଇ ଯେଉଁ ସମସ୍ୟା ଥିଲା ସେଥିରୁ ନିସ୍ତାର ମିଳିବ ବୋଲି ଆଶା କରିଛନ୍ତି କ୍ରେତା ଓ ରିୟଲ ଇଷ୍ଟେଟ୍ କର୍ମୀ।
ଆସନ୍ତା ବିଧାନସଭା ଅଧିବେଶନରେ ଏହି ଅଧ୍ୟାଦେଶକୁ ବିଲରେ ପରିଣତ କରିବେ ସରକାର । ଫଳରେ ରିୟଲ ଇଷ୍ଟେଟ୍ ସହ ସିଧାସଳଖ ଜଡ଼ିତ ୩୦ ହଜାରରୁ ଅଧିକ କ୍ରେତାଙ୍କ ସମସ୍ୟା ଦୂର ହେବା ସହ ହଜାର ହଜାର ଲୋକ ବି ଉପକୃତ ହେବେ।
Comments are closed.