ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ୨୦୨୦ ବ୍ୟାଚର ଆଇଏଏସ ଅଧିକାରୀ

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରାଳୟର ବିଭିନ୍ନ ବିଭାଗରେ ସହକାରୀ ସଚିବ ଭାବେ କାର୍ଯ୍ୟରତ ୨୦୨୦ ବ୍ୟାଚର ୧୭୫ ଜଣ ଆଇଏଏସ ଅଧିକାରୀ ରଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଆଜି ରାଷ୍ଟ୍ରପତି ଭବନରେ ସାକ୍ଷାତ କରିଛନ୍ତି । ଅଧିକାରୀମାନଙ୍କୁ ସମ୍ବୋଧନ କରି ରାଷ୍ଟ୍ରପତି କହିଲେ ଯେ ଜନସେବକ ଭାବେ ଭାରତ ଏକ ବୈଶ୍ୱିକ ଜ୍ଞାନକେନ୍ଦ୍ର, ନବୋନ୍ମୋଷ, ପ୍ରଯୁକ୍ତି ବିକାଶ ଓ ଅନ୍ୟାନ୍ୟ କ୍ଷେତ୍ରରେ କିପରି ପ୍ରତିଷ୍ଠା ଲାଭ କରିବ ତାହା ସୁନିଶ୍ଚିତ କରିବା ନେଇ ସେମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ଏଥି ସହିତ ଭାରତ ସାମାଜିକ ଅନ୍ତର୍ଭୁକ୍ତୀକରଣ ଏବଂ ପରିବେଶର ସ୍ଥାୟୀ ଓ ନିରନ୍ତର ବିକାଶ ପାଇଁ ନେଇଥିବା ନେତୃତ୍ୱ ମଧ୍ୟ ଶକ୍ତିଶାଳୀ କରିବାକୁ ହେବ ।୨୦୪୭ କଥା ଚିନ୍ତା କଲେ ୨୦୨୦ ବ୍ୟାଚର ଅଧିକାରୀମାନେ ସେତେବେଳକୁ ଅତି ବରିଷ୍ଠ ନିଷ୍ପତ୍ତି ଗ୍ରହଣକାରୀ ହୋଇସାରିଥିବେ ବୋଲି କହି ରାଷ୍ଟ୍ରପତି କହିଥିଲେ ଯେ ଅନୁରାଗ ଓ ଅଭିମାନ ସହ କାର୍ଯ୍ୟ କଲେ ସେମାନେ ଏକ ସମୃଦ୍ଧ, ମଜଭୁତ ଓ ବିକଶିତ ୨୦୪୭ ସୁନିଶ୍ଚିତ କରିପାରିବେ । ୨୦୪୭କୁ ପରିବର୍ତ୍ତିତ ରୂପ ଦେବାପାଇଁ ସେମାନଙ୍କୁ ଆଧୁନିକ ଓ ସେବାଭିତ୍ତିକ ମନୋଭାବ ନେଇ କାର୍ଯ୍ୟ କରିବାକୁ ପଡିବ ବୋଲି ସେ କହିଥିଲେ ।

ମିଶନ କର୍ମଯୋଗୀ ଆମର ଲୋକସେବକମାନଙ୍କୁ ଅଧିକ ଆଧୁନିକ, ସମ୍ବେଦନଶୀଳ ଓ ଗତିଶୀଳ କରିବା ପାଇଁ ଏକ ପ୍ରମୁଖ ପଦକ୍ଷେପ ବୋଲି ସେ କହିଥିଲେ । ରାଷ୍ଟ୍ରପତି କହିଥିଲେ ଯେ ଭିତ୍ତିଭୂମିର ଅଭୂତପୂର୍ବ ବିକାଶ ଯୋଗୁଁ ଦେଶର ଦୂରଦୂରାନ୍ତରେ ପହଞ୍ଚିବା ଆଜି ଖୁବ ସହଜ ହୋଇଛି । ପ୍ରତ୍ୟେକ ଲୋକ ସେବକ ତାଙ୍କ ଦାୟିତ୍ୱରେ ଥିବା ଅଞ୍ଚଳର ସବୁଠାରୁ ବଞ୍ଚିତ ଓ ଅବହେଳିତ ବ୍ୟକ୍ତି ନିକଟରେ ପହଞ୍ଚି ତାର ଜୀବନଧାରଣ ମାନ ଉନ୍ନତ କରିବା ଆବଶ୍ୟକ ବୋଲି ସେ କହିଥିଲେ । ଯେଉଁମାନେ ବିଭିନ୍ନ କଲ୍ୟାଣକାରୀ ବା ବିକାଶ ଯୋଜନା ସମ୍ପର୍କରେ ଅନଭିଜ୍ଞ ସେମାନଙ୍କୁ ସେମାନେ ତାର ସୁଯୋଗ ଦେବା ଦରକାର । ପ୍ରତ୍ୟେକ କଲ୍ୟାଣକାରୀ ପଦକ୍ଷେପ ପ୍ରକୃତପକ୍ଷେ ସଫଳ ହେବ ଯଦି ତାହାର ସୁବିଧା ସମାଜର ଗରୀବ, ଅବହେଳିତ ଓ ସମାଜର ସବୁଠାରୁ ନିମ୍ନ ସ୍ତରରେ ରହୁଥିବା ବ୍ୟକ୍ତିମାନଙ୍କ ନିକଟରେ ପହଞ୍ଚେ ବୋଲି ସେ ସେମାନଙ୍କୁ ମନେ ପକାଇ ଦେଇଥିଲେ । ଲୋକସେବକମାନେ ସେଭଳି ସୁବିଧାରୁ ବଞ୍ଚିତ ବ୍ୟକ୍ତିମାନଙ୍କ ନିକଟରେ ପହଞ୍ଚିବା ଦରକାର ବୋଲି ସେ କହିଥିଲେ । ସୁବିଧାରୁ ବଞ୍ଚିତ ବ୍ୟକ୍ତିମାନେ ସେମାନଙ୍କ ନିକଟରେ ସାହାଯ୍ୟ ଯେପରି ପହଞ୍ଚେ ତାହା ସୁନିଶ୍ଚିତ ହେବା ଦରକାର ।

Comments are closed.