ଚାଷୀମାନଙ୍କୁ କ୍ଷତିପୂରଣ ଓ କୃଷିଋଣ ଛାଡ ଦାବି ନେଇ ରାଜ୍ୟପାଳଙ୍କୁ ଭେଟିଲା କୃଷକମୋର୍ଚ୍ଚା

ଭୁବନେଶ୍ୱର: ଓଡ଼ିଶାରେ ଡିସେମ୍ବର ୫ ରୁ ୭ ତାରିଖ ପର୍ଯ୍ୟନ୍ତ ୩ ଦିନ ବ୍ୟାପି ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ରାଜ୍ୟର ଅଧିକାଂଶ ଜିଲାରେ ଧାନ, କପା ଓ ପନିପରିବା ଫସଲହାନି ଘଟି ଚାଷୀମାନଙ୍କର ବ୍ୟାପକ କ୍ଷୟକ୍ଷତି ହୋଇଛି । ରାଜ୍ୟ ସରକାର ତୁରନ୍ତ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ ଦାବିକୁ ନେଇ ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି  ମହେଶ୍ୱର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସହିତ ଆଲୋଚନା କରିଛନ୍ତି ।

ଲଘୁଚାପ ବର୍ଷା ଫଳରେ ରାଜ୍ୟର ଅଧିକାଂଶ ଜିଲାରେ ଧାନ, କପା ଓ ପନିପରିବା ବ୍ୟାପକଭାବେ ଫସଲହାନି ଘଟି ଚାଷୀମାନଙ୍କର ଅର୍ଥ ନୈତିକ ମାନଦଣ୍ଡ ଭୂଶୁଡି ପଡିଛି । ଯଦ୍ୱାରାକି ଚାଷୀ ଆଜି ଋଣ ସୁଝିବା ଓ ପରିବାର ପ୍ରତିପୋଷଣ ଚିନ୍ତାରେ ଆତ୍ମହତ୍ୟା କରୁଛି । ରାଜ୍ୟ ସରକାର ତୁରନ୍ତ ଅଦିନିଆ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ଫସଲର ଆକଳନ କରି ଚାଷୀମାନଙ୍କୁ କ୍ଷତିପୂରଣ ୧୫ଦିନ ଭିତରେ ପ୍ରଦାନ କରନ୍ତୁ । ବିକଳ୍ପ ରବି ଚାଷ କରିବା ପାଇଁ ଚାଷୀମାନଙ୍କୁ ମାଗଣାରେ ବିହନ, ସାର ଓ କୀଟନାଶକ ଔଷଧ ଯୋଗାଇ ଦିଅନ୍ତୁ । କୃଷି ପାଇଁ ବ୍ୟବହୃତ ବିଦ୍ୟୁତ ଶୁଳ୍କ ଛାଡ କରାଯାଉ । କୃଷକମାନଙ୍କର ସମସ୍ତ ପ୍ରକାର କୃଷି ଋଣ ଛାଡ କରାଯାଉ । ଏସବୁ ଦାବିକୁ ନେଇ କୃଷକମୋର୍ଚ୍ଚା ଆଜି ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛି । ରାଜ୍ୟ ସରକାର ତୁରନ୍ତ ଏହି ଦାବି ଗୁଡିକୁ ପୂରଣ କରିବା ପାଇଁ କୃଷକମୋର୍ଚ୍ଚା ଦାବି କରିଛି, ନହେଲେ ଆଗାମୀ ଦିନରେ କୃଷକମୋର୍ଚ୍ଚା ଆନ୍ଦୋଳନ କରିବ ବୋଲି  ଚେତାବନୀ ଦିଆଯାଇଛି।

ଏହି ପ୍ରତିନିଧି ଦଳରେ କୃଷକମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଉପେନ୍ଦ୍ର ଭଞ୍ଜ, କୃଷକମୋର୍ଚ୍ଚା ରାଜ୍ୟ ଉପସଭାପତି ହୃଷୀକେଶ ଜେନା, ପ୍ରଦୀପ କୁମାର ପତ୍ରି, ରାଜ୍ୟ ସଂପାଦକ ଅଶୋକ କୁମାର ରଥ, ରାଜ୍ୟ କୋଷାଧ୍ୟକ୍ଷ ବିଶ୍ୱଜିତ୍ ସ୍ୱାଇଁ, ରାଜ୍ୟ କାର୍ଯ୍ୟାଳୟ ସଂପାଦକ ସତ୍ୟବାଦୀ ଚଇନି, ରାଜ୍ୟ ସଂଯୋଜକ ଜଗନ୍ନାଥ ମହାପାତ୍ର, ପ୍ରଶାନ୍ତ କୁମାର ସ୍ୱାଇଁ, ମିଡିଆ ସହସଂଯୋଜକ ତାପସ କୁମାର ଜେନା, ଭବାନି ଶଙ୍କର ଦାସମହାପାତ୍ର, ଖୋର୍ଦ୍ଧା ଜିଲ୍ଲା ସଭାପତି ତାପସ କୁମାର ଜେନା ପ୍ରମୁଖ ସାମିଲ ହୋଇଥିଲେ ।

Comments are closed.