ଓଡ଼ିଶା ପୁଲିସର ’ମାନବ ଅଧିକାର ସଚେତନତା’ ରାଜ୍ୟସ୍ତରୀୟ ତର୍କ ପ୍ରତିଯୋଗିତା: ଓଡ଼ିଆରେ ଗୀତାଞ୍ଜଳି ସାମଲ ଓ ଇଂରାଜୀରେ ଦୀପାଳି ବାରିକ ପ୍ରଥମ

ଭୁବନେଶ୍ୱର: ଆଜି ଓଡ଼ିଶା ପୁଲିସ ଆନୁକୂଲ୍ୟରେ ପୁଲିସ ଭବନସ୍ଥିତ ସମ୍ମିଳନୀ କକ୍ଷଠାରେ ‘ମାନବ ଅଧିକାର ସଚେତନତା’ ସମ୍ପର୍କିତ ରାଜ୍ୟସ୍ତରୀୟ ତର୍କ ପ୍ରତିଯୋଗିତ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ରେଞ୍ଜର ମୋଟ ୨୮ଜଣ ପୁଲିସ ଅଧିକାରୀ ଅଂଶଗ୍ରହଣ କରି ‘ମାନବ ଅଧିକାର ସଚେତନତା’ ସମ୍ପର୍କିତ ତର୍କ ପ୍ରତିଯୋଗିତାରେ ନିଜ ନିଜର ତର୍କ ଉପସ୍ଥାପନ କରିଥିଲେ।

ଏହି ତର୍କ ପ୍ରତିଯୋଗିତାରେ ପୂର୍ବତନ ପୁଲିସ ମହାନିର୍ଦେଶକ ଏମ.ଅକ୍ଷୟ, ସ୍ୱତନ୍ତ୍ର ଆରକ୍ଷୀ ମହାନିର୍ଦେଶକ ପ୍ରାଣବିନ୍ଦୁ ଆଚାର୍ଯ୍ୟ ଏବଂ ଜାତୀୟ ଆଇନବିଶ୍ୱବିଦ୍ୟାଳୟ ଗବେଶିକା ଆରୋଶିଖା ମହାନ୍ତି ପ୍ରମୁଖ ବିଚାରପତି ଭାବେ ଦାୟିତ୍ୱ ନିର୍ବାହ କରି ଶ୍ରେଷ୍ଠ ପ୍ରତିଯୋଗୀ ଚୟନ କରିଥିଲେ। ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଏହି ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଓଡ଼ିଆ ବିଭାଗର ତର୍କ ପ୍ରତିଯୋଗିତାରେ ପିଟିଆଇ ବୈରୀର କନେଷ୍ଟବଳ ଗୀତାଞ୍ଜଳି ସାମଲ ଏବଂ ସସ୍ମିତା ପ୍ରଧାନ ଯାଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ବ୍ରହ୍ମପୁରର କନେଷ୍ଟବଳ ସୁଧାଂଶୁ ମହାରଣା ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ଇଂରାଜୀ ତର୍କ ପ୍ରତିଯୋଗିତାରେ ବଲାଙ୍ଗିରର କନେଷ୍ଟବଳ ଦୀପାଳି ବାରିକ ପ୍ରଥମ ଏବଂ ବିପିଏସପିଏର ସନ୍ଦିପ କୁମାର ମାଝୀ ଓ ଦିବ୍ୟରଞ୍ଜନ ଦଳାଇ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆରକ୍ଷୀ ମହାନିର୍ଦେଶକ ସୁନୀଲ କୁମାର ବଂଶଲ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବେଦ କୁମାରୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ ଲଳିତ ଦାସ ସ୍ୱାଗତ ଭାଷଣ ଦେଇଥିଲେ। ଡିଆଇଜି ସତ୍ୟଜିତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏଚଆରପିସି ଏସପି ରାଜେନ୍ଦ୍ର କୁମାର ସେନାପତି, ଅତିରିକ୍ତ ଏସପି ବିଜୟଲକ୍ଷ୍ମୀ ଆଚାର୍ଯ୍ୟ ଓ ଗୋପାଳ ପଟ୍ଟନାୟକଙ୍କ ସମେତ ବିଭାଗର ବିଭିନ୍ନ ଅଧିକାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.