ମାଆ ଡକାୟତ କାଳି

ଅର୍ଜୁନୀ ଚରଣ ବେହେରା

ମାଆ ଡକାୟତ କାଳି
==============
ଉନବିଂଶ ଶତାବ୍ଦୀର ଶେଷଆଡ଼କୁ ଭାରତବର୍ଷରେ ବ୍ରିଟିଶ ଶାସନ ପାଇଁ, ଗୋଟିଏ ବଡ଼ ସମସ୍ୟା ଉଭା ହୋଇଥିଲା ସଶସ୍ତ୍ର ଡକାୟତି l ସେତେବେଳେ ଏହି ସମସ୍ୟା ଏତେ ଉତ୍କଟରୂପ ଧାରଣକଲା ଯେ ବ୍ରିଟିଶ ଶାସନ ଏହାର ମୁକାବିଲା ପାଇଁ ଠଗୀ ଆଇନ କରି ସ୍ଵତନ୍ତ୍ର ଠଗୀ ଓ ଡକାୟତି ବିଭାଗ ଖୋଲିବା ପାଇଁ ବାଧ୍ୟ ହୋଇଥିଲେ l
ସେହି ସମୟର କଥା l ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ସିଙ୍ଗୁରର ନିକଟବର୍ତ୍ତୀ ପୁରୁଷୋତ୍ତମ ପୁର ଗ୍ରାମରେ ରହୁଥିଲେ ଦୁଇ ଭାଇ ରଘୁ ଘୋଷ ଓ ବିଧୁ ଘୋଷ l ଉତ୍କଟ ଦାରିଦ୍ର୍ୟ ଭିତରେ ମୂଲ ଲାଗି, ବହୁ କଷ୍ଟରେ ସଂସାର ଚଳାଇ ନିଅନ୍ତି l କ୍ରମେ ତାଙ୍କର ମନ ରାଜା ଜମିଦାର ଓ ସମାଜର ମୁଷ୍ଟିମେୟ ଧନାର୍ଢ଼୍ୟ ବ୍ୟକ୍ତିଙ୍କ ବିରୁଦ୍ଧରେ ବିଦ୍ରୋହ କରି ଉଠିଲା l ଦୁଇଭାଇ ମୂଲ ଲାଗିବା ସହ, ଚୌର୍ଯ୍ୟ ବୃତ୍ତିକୁ ଆପଣେଇ ନେଲେ l କଥାରେ ଅଛି ‘ଲାଉଚୋର,କଖାରୁଚୋର l ହୋତେ ହୋତେ ବଡ଼ଚୋର’ l କ୍ରମେ ଛୋଟକାଟିଆ ଚୋରି କରୁକରୁ ସେମାନେ ଦୁର୍ଦ୍ଦାନ୍ତ ଡକାୟତରେ ପରିଣତ ହେଲେ l ଲୋକେ ରଘୁ ଡକାୟତର ନାଆଁ ଶୁଣିଲେ ଭୟରେ କମ୍ପିବାକୁ ଲାଗିଲେ l ମାତ୍ର ରଘୁର ଗରିବ ଦଳିତ ଲୋକ ମାନଙ୍କ ମଧ୍ୟରେ ବହୁ ଆଦର ଥିଲା l କାରଣ ସେ ଡକାୟତିଲବ୍ଧ ଧନର ବହୁଅଂଶ ଗରିବ ମାନଙ୍କ ମଧ୍ୟରେ ବାଣ୍ଟି ଦେଉଥିଲା l
ଦିନ ଗଡ଼ି ଚାଲିଲା l ପୋଲିସ ଆଖିରେ ଧୁଳି ଦେଇ ରଘୁ ଓ ତା’ ଦଳ ଡକାୟତି କରି ଚାଲିଲେ l କ୍ରମେ ଅସ୍ତ୍ର ଶସ୍ତ୍ର ସଂଗ୍ରହକରି ସେମାନେ ବଡ଼ ବଡ଼ ସଶସ୍ତ୍ର ଡ଼କାୟତି କରିଚାଲିଲେ l ରଘୁର ଡ଼କାୟତି କରିବା ଉପାୟ ଥିଲା ଅଭିନବ l ସେ ଯେଉଁ ବ୍ୟକ୍ତିଙ୍କ ଘରେ ଡ଼କାୟତି କରୁଥିଲା, ସେହି ବ୍ୟକ୍ତିଙ୍କୁ ପ୍ରଥମେ ଚିଠି ଦ୍ଵାରା ଜଣାଇ ଦେଉ ଥିଲା l ତଥାପି, ଦୁର୍ଦ୍ଦାନ୍ତ ଡାକୁ ରଘୁକୁ ପୋଲିସ କାବୁକରିବା ସମ୍ଭବ ହେଉନଥିଲା l ରଘୁ ଡକାୟତ ମାଆ କାଳିଙ୍କର ପରମ ଭକ୍ତ ଥିଲା l ତା’ର ମାଆଙ୍କ ଉପରେ ଅଖଣ୍ଡ ବିଶ୍ୱାସ ଥିଲା l ଏଣୁ ଘଞ୍ଚ ଜଙ୍ଗଲ ମଧ୍ୟରେ ସେ ମା’ କାଳିଙ୍କ ବିଗ୍ରହ ରଖି ପୁଜା କରୁଥିଲା l ମାଆଙ୍କୁ ସନ୍ତୁଷ୍ଟ କରିବାପାଇଁ ସେ ତାଙ୍କ ନିକଟରେ ନାନାବଳି,(ନରବଳି ମଧ୍ୟ) ମାଛ ଭଜା ଆଦି ଭୋଗଲଗାଉଥିଲା ବୋଲି କଥିତହୁଏ l ‘ରଘୁ ଡାକାତେର ଦଲ’ ଲୋକଙ୍କ ଭିତରେ ଆତଙ୍କ ଖେଳାଇ ଦେଇଥିଲା l
ଦିନକର ଘଟଣା l ରଘୁର ଆଡ୍ଡା ବାଟ ଦେଇ ରାମ ପ୍ରସାଦ ବୋଲି ଜଣେ କାଳିଭକ୍ତ ଯାଉଥାନ୍ତି l ତାଙ୍କୁ ରଘୁର ଲୋକମାନେ ଧରିନେଲେ ମାଆଙ୍କ ପାଖରେ ବଳି ଦେବେ ବୋଲି l ତାଙ୍କୁ ନେଇ ସେମାନେ ଯୁପ କାଠରେ ଚଢ଼ାଉ ଥାନ୍ତି, ଦେଖିଲେ, ରାମ ପ୍ରସାଦଙ୍କ ଯାଗାରେ ଦିବ୍ୟ ଭୂଷଣ ପରିହିତା ମାଆ କାଳି ଛିଡ଼ା ହୋଇଛନ୍ତି l ରଘୁ ତାଙ୍କ ପାଦତଳେ ପଡ଼ି କ୍ଷମାମାଗି ସେଦିନଠାରୁ ନରବଳି ଦେବା ବନ୍ଦ କରିଦେଲା l
ଆଉ ଦିନକର କଥା l ମାଆ ଶାରଦା ଦେବୀ ଅସୁସ୍ଥ ଶ୍ରୀରାମକୃଷ୍ଣ ପରମହଂସଙ୍କୁ ଦେଖିବା ପାଇଁ କମାର ପୁକୁରରୁ ଦକ୍ଷିଣେଶ୍ୱର ପୁରୁଷୋତ୍ତମ ପୁର ବାଟରେ ଯାଉଥାନ୍ତି l ସନ୍ଧ୍ୟା ହୋଇ ଆସୁ ଥାଏ l ରଘୁ ଦଳର ଲୋକମାନେ ଆସି ତାଙ୍କୁ ଘେରିଗଲେ l ରଘୁ ଦଳର ସର୍ଦ୍ଦାର, ଗଗନ ତାଙ୍କ ପଥରୋଧ କଲା l ଚମତ୍କାର ଘଟଣାଟିଏ ଘଟିଲା l ସେମାନେ ଦେଖିଲେ, ଦେବୀ ଶାରଦାଙ୍କ ଚକ୍ଷୁ ମାଆ କାଳିଙ୍କ ଚକ୍ଷୁ ପରି ରକ୍ତବର୍ଣ୍ଣ ଧାରଣ କରିଛି l ସେମାନେ ତାଙ୍କ ପାଦ ତଳେ ପଡ଼ି କ୍ଷମା ମାଗିଲେ ଓ ତାଙ୍କୁନେଇ ତାଙ୍କ ଆଡ୍ଡାସ୍ଥଳୀରେ ରାତ୍ରୀ ରହଣୀର ବ୍ୟବସ୍ଥା କଲେ l ପର ଦିନ ତାଙ୍କୁ ନେଇ ତାଙ୍କ ଗନ୍ତବ୍ୟ ସ୍ଥଳୀରେ ପହଞ୍ଚାଇ ଦେଲେ l ମାଆ ଶାରଦାଙ୍କୁ ସେଦିନ ରାତିରେ ସେମାନେ ମୁଢ଼ି ଓ କୋଳଥ ଡାଲି ଭଜା ଖୁଆଇ ଥିଲେ l ସେହିଦିନ ଠାରୁ ରଘୁ ତା’ର ଡ଼କାୟତି ଛାଡ଼ି ଦେଲା ଓ ମାଆ କାଳୀଙ୍କର ଜଣେ ବଡ଼ ଭକ୍ତ ପାଲଟି ଗଲା ଓ ପ୍ରତି ବର୍ଷ ସେଠାରେ କାଳି ପୂଜା ଖୁବ୍ ଯାକ ଯମକରେ ପାଳନ କଲା l କାଳକ୍ରମେ ରଘୁ ସେଠାରେ ମାଆ କାଳିଙ୍କର ଏକ ଭବ୍ୟ ମନ୍ଦିର ନିର୍ମାଣକଲା l
ପାଞ୍ଚଶହବର୍ଷ ତଳେ ରଘୁଡକାୟତ ପ୍ରତିଷ୍ଠିତ ମାଆ କାଳି, ଡକାୟତ କାଳୀ ( ବଙ୍ଗଳା ଡାକାତ କାଳି ) ନାମରେ ପ୍ରସିଦ୍ଧ ହୋଇଛନ୍ତି l ଏଠାରେ ରଘୁ ଡାକୁ ମାଆଙ୍କୁ ଲଗାଉଥିବା ମାଛଭଜା, ଚାଉଳ ଭଜା ଓ କୋଳଥ ଭଜାକୁ ଭକ୍ତମାନେ ପ୍ରସାଦଭାବେ ଗ୍ରହଣ କରିଥାନ୍ତି l ମାଆ ଡକାୟତକାଳି ଖୁବ୍ ପ୍ରତ୍ୟକ୍ଷ ଓ ପରମ ସିଦ୍ଧିଦାୟିନୀ ବୋଲି ବିଶ୍ୱାସ ରହିଛି l
🙏🙏🙏
ଅର୍ଜୁନୀ
———–
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧

Comments are closed.