ପର୍ଯ୍ୟଟନ ପରିଚାଳନା କର୍ମଶାଳା ଉଦ୍‌ଘାଟିତ: ରାଜ୍ୟର କଳା, ସଂସ୍କୃତି ଓ ଐତିହ୍ୟ ସଂପର୍କରେ ଜାଣିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର:  ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ୧୪ ଦିନିଆ ପର୍ଯ୍ୟଟନ ପରିଚାଳନା କର୍ମଶାଳା ଆଜି ଉଦ୍‌ଘାଟିତ ହୋଇଯାଇଛି । ଏହା ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାକୁ ଉଦ୍‌ଘାଟନ କରି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ ଡ. ଲେନିନ୍‌ ମହାନ୍ତି କହିଲେ ଯେ ରାଜ୍ୟର ସଂସ୍କୃତି ଓ ଐତିହ୍ୟ ଅତ୍ୟନ୍ତ ପ୍ରାଚୀନ । ଏହାକୁ ଭିତ୍ତିକରି ରାଜ୍ୟରେ ଗଢ଼ି ଉଠିଥିବା ପର୍ଯ୍ୟଟନ ଶିଳ୍ପ ଉତ୍ସାହଜନକ ରହିଛି ।

ଉଭୟ ଜାତୀୟ ଓ ଆନ୍ତର୍ଜାତିକ ପର୍ଯ୍ୟଟକମାନଙ୍କ ଆଗମନରେ ରାଜ୍ୟର ପର୍ଯ୍ୟଟନ ଶିଳ୍ପରେ ବ୍ୟାପକ ଅଭିବୃଦ୍ଧିର ଆଶା କରାଯାଉଥିବାରୁ ଆଗାମୀ ଦିନରେ ପର୍ଯ୍ୟଟନ ଓ ଆତିଥେୟତା କ୍ଷେତ୍ରରେ ଯୁବପିଢ଼ି ନୂତନ ସୁଯୋଗ ପାଇବେ ବୋଲି ସେ ମତବ୍ୟକ୍ତ କରିଥିଲେ । ଏହି କର୍ମଶାଳା ଆୟୋଜନ ଦ୍ୱାରା ଛାତ୍ରଛାତ୍ରୀମାନେ ରାଜ୍ୟର ପ୍ରାଚୀନ ପରମ୍ପରା ସଂପର୍କରେ ବିଭିନ୍ନ ଜ୍ଞାନ ଅର୍ଜନ କରିପାରିବେ, ଯାହା ସେମାନଙ୍କ ବୃତ୍ତିଗତ ଜୀବନରେ ସହାୟକ ହେବ । ନିଜ ଭିତରେ ଥିବା ପ୍ରତିଭାର ଅନେ୍ୱଷଣ କରି ଏହାର ସଦୁପଯୋଗ କରିପାରିଲେ ବ୍ୟକ୍ତିବିଶେଷ ତଥା ସମାଜ ନିମନ୍ତେ ଅନେକ ସୁଯୋଗ ସୃଷ୍ଟି ହୋଇପାରିବ । ଯେକୌଣସି ଭାଷାରେ ପରିପକ୍ୱତା ଓ ଦକ୍ଷତା ହାସଲ କରିବା ଦ୍ୱାରା ଏହା ନିଜ ବୃତ୍ତିଗତ ଜୀବନ ପାଇଁ ଉପାଦେୟ ସାବ୍ୟସ୍ତ ହୋଇପାରିବ । ସମୟାନୁବର୍ତ୍ତିତା ଓ ଶୃଙ୍ଖଳିତ ଆଚରଣ ସଫଳତାର ଚାବିକାଠି ବୋଲି ଡ. ମହାନ୍ତି ପ୍ରକାଶ କରିଥିଲେ ।

Comments are closed.