ରାଜ୍ୟସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ସମାବେଶ-୨୦୨୬,

ମାଛ ଚାଷୀ, ଗୋପାଳକ ଏବଂ କୁକୁଡ଼ା, ବତକ ପାଳକଙ୍କ ପାଇଁ ବଡ଼ ଖବର ।

ଭୁବନେଶ୍ୱର :  ବୁଧବାରଠୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ‘ରାଜ୍ୟସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ସମାବେଶ-୨୦୨୬ । ୨୧, ୨୨ ଓ ୨୩ ତାରିଖ ୩ ଦିନ ଧରି ମେଳା ଚାଲିବ । ଚଳିତବର୍ଷ ଆକର୍ଷଣ ପାଲଟିବ ହରିଆଣାର ବାହୁବଳୀ ‘ସୁରବୀର’ ଓ ‘ଇନ୍ଦର’ ମଇଁଷି ଷଣ୍ଢ । ଡଗ ସୋ ବି ଅନ୍ୟତମ ଆକର୍ଷଣ ସାଜିବ ଓ ଆସ୍କ ଦି ମିନିଷ୍ଟରରେ ମନ୍ତ୍ରୀଙ୍କୁ ଭେଟିବେ ଚାଷୀ । ଏ ସଂକ୍ରାନ୍ତରେ ସୋମବାର ଓୟୁଏଟିସ୍ଥିତ ପ୍ରାଣୀ ଚିକିତ୍ସା ଓ ପ୍ରାଣୀ ପାଳନ ମହାବିଦ୍ୟାଳୟ ସଭାକକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ସମାବେଶ-୨୦୨୬’ ର ଆଭିମୁଖ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ ।

ସେ କହିଥିଲେ, ପ୍ରାଣୀସମ୍ପଦ ଓ ମତ୍ସ୍ୟ ଚାଷ ଅନେକଙ୍କୁ ନୂଆ ପରିଚୟ ଦେଇଛି । ସେମାନଙ୍କ ଜୀବନ ଜୀବିକାକୁ ସୁରକ୍ଷିତ କରିବା ସହ ସେମାନଙ୍କ ମୁହଁରେ ହସ ଫୁଟାଇଛି ହସ । ଚାଷୀଙ୍କୁ ବର୍ଷସାରା ରୋଜଗାର ଯୋଗାଇଛି । ମତ୍ସ୍ୟ ଓ ପ୍ରାଣୀ ସଂପଦର ବିକାଶ ସମ୍ପ୍ରତି ଗ୍ରାମାଂଚଳ ଅର୍ଥନୀତିର ମେରୁଦଣ୍ଡ ଭାବେ ଉଭା ହୋଇଛି । ତେଣୁ ରାଜ୍ୟ ଅର୍ଥନୀତି ଓ ସାମାଜିକ ସଶକ୍ତିକରଣକୁ ଦୃଷ୍ଟିରେ ରଖି ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ପକ୍ଷରୁ ଏହି ମେଳାର ଆୟୋଜନ କରାଯାଇଛି ବୋଲି ମନ୍ତ୍ରୀ କହିଥିଲେ । ସେ କହିଥିଲେ, ଏହି ମେଳା ଗୋପାଳକ, ପ୍ରାଣୀପାଳକ, ମତ୍ସ୍ୟଚାଷୀ, ମତ୍ସ୍ୟଜୀବୀ, ଉଦ୍ୟୋଗୀ, ସ୍ୱୟଂ ସହାୟକ ଗୋଷ୍ଠୀ, ବିଶେଷଜ୍ଞ ଏବଂ ବ୍ୟବସାୟିକ ସଂସ୍ଥା ମଧ୍ୟରେ ସଂଯୋଗ ସ୍ଥାପନ ପାଇଁ ଏକ ପ୍ରକୃଷ୍ଟ ମଞ୍ଚ । ମତ୍ସ୍ୟ ଓ ପ୍ରାଣୀ ପାଳନ କ୍ଷେତ୍ରରେ ବ୍ୟବହାର କରାଯାଉଥିବା ନୂତନ ଜ୍ଞାନକୌଶଳ ସମ୍ପର୍କରେ ଚାଷୀମାନେ ଜାଣିବାର ସୁଯୋଗ ପାଇଥାନ୍ତି । ଆମ ରାଜ୍ୟରେ ଦୁଗ୍ଧ ଉତ୍ପାଦନକୁ ବୃଦ୍ଧି କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ“ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା”କାର୍ଯ୍ୟକାରୀ ହୋଇଛି । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ସମାବେଶରେ ପ୍ରାଣୀ ସମ୍ପଦ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ମତ୍ସ୍ୟ ବିଭାଗ, କୃଷି ବିଭାଗ, ଉଦ୍ୟାନ ବିଭାଗ, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର, ପର୍ଯ୍ୟଟନ ବିଭାଗ, ଓମଫେଡ୍, ହସ୍ତତନ୍ତ ବିଭାଗ, ମିଶନ ଶକ୍ତି, ଗୃହ ଉଦ୍ୟୋଗ, ଜିଲ୍ଲା ଶିଳ୍ପ କେନ୍ଦ୍ର ଅଂଶ ଗ୍ରହଣ କରିବେ ।

ତେବେ ଚଳିତ ବର୍ଷ ୩ଟି ହ୍ୟାଙ୍ଗରରେ ଜୀବନ୍ତ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ପ୍ରଦର୍ଶନୀ ହେବ । ବିଭିନ୍ନ ପ୍ରକାରର ଘାସ ଚାଷ, ହାଇଡ୍ରୋପୋନିକ୍ସ ପଦ୍ଧତି, ଆଜୋଲା ଉତ୍ପାଦନ, ଗିର ଗାଈ, ସାହିୱାଲ ଗାଈ, ଶଙ୍କର ଜାତୀୟ ହୋଲଷ୍ଟିନ ଗାଈ, କୃତ୍ରିମ ପ୍ରଜନନ ପଦ୍ଧତି ରେ ଜନ୍ମିତ ବ୍ଲାକ ବେଙ୍ଗଲ ଛେଳି, ଗଞ୍ଜାମ ଛେଳି, ଗୁଣ୍ଡୁରି ଚଢ଼େଇ, ଅଣ୍ଡା ଦିଆ କୁକୁଡ଼ା, ହଂସଲି କୁକୁଡ଼ା, ଦେଶୀ ବତକ, ବନରାଜ କୁକୁଡ଼ା, ମାଛ ହ୍ୟାଚେରି, ବାୟୋଫ୍ଲକ ଟ୍ୟାଙ୍କ, ନର୍ସରୀ ଟ୍ୟାଙ୍କ, ସମନ୍ୱିତ କୃଷି ଇତ୍ୟାଦି ପ୍ରଦର୍ଶିତ ହେବ । ପ୍ରତିଦିନ ଆଲୋଚନଚକ୍ର, ସଙ୍ଗୀତ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ ଚାଲିବ । ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ ସଚିବ ସୁରେଶ ବଶିଷ୍ଠ, ମତ୍ସ୍ୟ ନିର୍ଦ୍ଦେଶକ ମହମ୍ମଦ ସାଦ୍ଦିକ ଆଲାମ, ପ୍ରାଣିପାଳନ ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ ପ୍ରମୁଖ ଉପସ୍ଥିତ ଥିଲେ । ​​​​​​​

Comments are closed.