ରେଳଧାରଣାରେ ବିସ୍ଫୋରଣ: ମିଳିଲା ବିପୁଳ ପରିମାଣର ବିସ୍ଫୋରକ, ବନ୍ଦ ରହିଛି ରେଳ ଚଳାଚଳ

ଉଦୟପୁର: ରାଜସ୍ଥାନର ଉଦୟପୁର-ଅହମ୍ମଦାବାଦ ରେଳଧାରଣାରେ ଗତକାଲି ବିଳମ୍ବିତ ରାତିରେ ବିସ୍ଫୋରଣ ହୋଇଛି | ୧୩ ଦିନ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକାର୍ପଣ ହୋଇଥିବା ଉଦୟପୁର-ଅହମ୍ମଦାବାଦ ରେଳ ଲାଇନରେ ଶନିବାର ରାତିରେ ବିସ୍ଫୋରଣ ହୋଇଛି | ମିଳିଥିବା ସୂଚନା ମୁତାବକ ରେଳ ଧାରଣାକୁ ବିଛିନ୍ନ କରିବାକୁ ବିସ୍ଫୋରଣ କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି | ସେହିପରି ଘଟଣାସ୍ଥଳରୁ ବିପୁଳ ପରିମାଣର ବିସ୍ଫୋରକ ମଧ୍ୟ ମିଳିଛି | ବର୍ତ୍ତମାନ ପୁଲିସ ଏବଂ ରେଳ ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି। ବିସ୍ଫୋରଣ ପରେ ଟ୍ରେନ ଚଳାଚଳକୁ ବନ୍ଦ ରଖାଯାଇଛି | ତେବେ ସ୍ଥାନୀୟ ଗ୍ରାମବାସୀଙ୍କ ସତର୍କତା ହେତୁ ଏହି ନୂତନ ମାର୍ଗରେ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିଛି ।

ସୂଚନାନୁସାରେ, ଏହି ଘଟଣା ଶନିବାର ବିଳମ୍ବିତ ରାତିରେ ସାଲୁମ୍ବର ମାର୍ଗରେ ଥିବା ଓଢ଼ ରେଳ ବ୍ରିଜରେ ଘଟିଛି | ଗତକାଲି ରାତି ୧୦ ଟାରେ ଗ୍ରାମବାସୀ ବିସ୍ଫୋରଣର ଶବ୍ଦ ଶୁଣିଥିଲେ। ଏହା ପରେ କିଛି ଯୁବକ ତୁରନ୍ତ ଟ୍ରାକରେ ପହଞ୍ଚିଥିଲେ | ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ରେଳ ଲାଇନରେ ବିସ୍ଫୋରକ ପଡିଥିବାବେଳେ ରେଳ ବ୍ରିଜକୁ ଉଡ଼ାଇବା ପାଇଁ ଏକ ଷଡଯନ୍ତ୍ର ରଚାଯାଇଥିଲା । ଅନେକ ସ୍ଥାନରେ ଟ୍ରାକଗୁଡିକ ଭାଙ୍ଗି ଯାଇଥିବାବେଳେ ସେତୁ ଉପରେ ଥିବା ଲାଇନରୁ ବୋଲ୍ଟ ମଧ୍ୟ ଦୃବୁର୍ତ୍ତ ଖୋଲି ନେଇଥିଲେ । ଏନେଇ ଉଦୟପୁର ପୁଲିସ ଅଧୀକ୍ଷକ ବିକାଶ ଶର୍ମା କହିଛନ୍ତି ଯେ ପ୍ରକୃତ ସ୍ଥିତି ଅନୁସନ୍ଧାନ ପରେ ହିଁ ଜଣା ପଡିବ | ରେଲୱେ ଅଜମର୍ ଡିଭିଜନର ଲୋକସମ୍ପର୍କ ଅଧିକାରୀ ଅଶୋକ ଚୌହାନ କହିଛନ୍ତି ଯେ ଘଟଣାସ୍ଥଳର ଉଭୟ ପାର୍ଶ୍ୱରେ ରେଳ ଚଳାଚଳ ବନ୍ଦ କରାଯାଇଛି।

Comments are closed.