୪୮ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି,ପୁରସ୍କାରପ୍ରାପ୍ତ ଶିକ୍ଷକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗୁରୁ ଦିବସ ଅବସରରେ ଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୪୮ ବିଦ୍ୟାଳୟର ଶିକ୍ଷକଙ୍କୁ ‘ଜାତୀୟ ଶିକ୍ଷକ ପୁରସ୍କାର’ରେ ସମ୍ମାନିତ କରିଛନ୍ତି। ଏଗୁଡ଼ିକ ମଧ୍ୟରେ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ, ଆଦର୍ଶ ଜନଜାତି ବିଦ୍ୟାଳୟ ଓ ପିଏମ ଶ୍ରୀ ବିଦ୍ୟାଳୟ ସାମିଲ ରହିଛି। ପୁରସ୍କାର ପାଇଥିବା ଶିକ୍ଷକମାନେ ପାଠପଢ଼ାକୁ ଅଧିକ ସରଳ ଓ ରୋଚକ କରିବା ପାଇଁ ଅଲଗା ଅଲଗା ଉପାୟ ଅବଲମ୍ବନ କରିଥିଲେ। ମହାରାଷ୍ଟ୍ରର ବୈଭବ ବସନ୍ତରାୟ କୁଲକର୍ଣ୍ଣୀ ଗଣିତର କଠିନ ବିଷୟକୁ ବୁୁଝାଇବା ପାଇଁ ୭୦୦ରୁ ଅଧିକ ଭିଡିଓ ପ୍ରସ୍ତୁତ କରିଥିଲେ। ସେହିପରି ରାଜସ୍ଥାନର ଦିବ୍ୟେନ୍ଦୁ ସେନ ୫୦୦ ଗଛରେ କ୍ୟୁଆର କୋଡ ଲଗାଇ ଶିଶୁଙ୍କୁ ଗଛ ବିଷୟରେ ସୂଚନା ପ୍ରଦାନ କରିବାର ଅଭିନବ ଉପାୟ ଆପଣାଇ ଥିଲେ। ଏହା ବ୍ୟତୀତ ପଞ୍ଜାବର ଦିନେଶ କୁମାର ଭର୍ଚୁଆଲ ଫିଜିକ୍ସ ଲ୍ୟାାବ ଓ ସ୍ବଳ୍ପ ଅର୍ଥ ବ୍ୟୟରେ ୧୦୦ରୁ ଅଧିକ ମଡେଲ ପ୍ରସ୍ତୁତ କରିିଥିଲେ। ୪୮ ବିଦ୍ୟାଳୟର ଶିକ୍ଷକଙ୍କ ବ୍ୟତୀତ ଉଚ୍ଚ ଶିକ୍ଷାନୁଷ୍ଠାନର ଓ ପଲିଟେକନିକର ୨୧ ଶିକ୍ଷକ ତଥା ଅଧ୍ୟାପକ, କୌଶଳ ବିକାଶ ମନ୍ତ୍ରାଳୟର ୧୩ ଜଣ କୌଶଳ ପ୍ରଶିକ୍ଷକଙ୍କୁ ମଧ୍ୟ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରାଯାଇଛି। ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରସ୍କାର ପାଇଥିବା ଏହି ଶିକ୍ଷକଙ୍କୁ ଭେଟିଥିଲେ। ୟୁଟ୍ୟୁବ ଚ୍ୟାନେଲରେ ଏହାର ୫ ମିନିଟର ଭିଡିଓ ଜାରି କରାଯାଇଛି। ଏହି ଭିଡିଓରେ ଦେଖାଯାଉଛି ଯେ ପ୍ରଧାନମନ୍ତ୍ରୀ ଜଣେ ଶିକ୍ଷୟିତ୍ରୀଙ୍କୁ ଅଭିଭାବକଙ୍କ ସହ କଥାହେବାର କୌଶଳ ପଚାରି ବୁଝୁଛନ୍ତି। ଉତ୍ତରରେ ଶିକ୍ଷୟିତ୍ରୀ କହୁଛନ୍ତି ଯେ ପ୍ରଥମେ ଆପଣଙ୍କୁ ମନୋବଳ ଦେଖାଇବାକୁ ହେବ। ପ୍ରଧାନମନ୍ତ୍ରୀ ଏହା ଶୁଣି ହସୁଛନ୍ତି ଓ ମନୋବଳ କେମିତି ଆସିବ ବୋଲି ପଚାରୁଛନ୍ତି। ଏଥିପାଇଁ ଅଭ୍ୟାସ କରିବାକୁ ପଡ଼ିବ ବୋଲି ଶିକ୍ଷୟିତ୍ରୀ କହୁଛନ୍ତି।

Comments are closed.