ପ୍ରତିବାଦ ଶୋଭାଯାତ୍ରାରେ ସାମିଲ୍ ହେଲେ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ

ଓଡ଼ଗାଁ: ରାଜ୍ୟ ସରକାର ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପ୍ରତି କରିଥିବା ଅବିଚାର ତଥା ବୈମାତୃକ ମନୋବୄତ୍ତି ବିରୋଧରେ ଆଜି ବ୍ଲକର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ସ୍ଥାନୀୟ ଇନଡୋର୍ ଷ୍ଟାଡିୟମରେ ଏକାଠି ହୋଇ ପ୍ରତିବାଦ ସଭା ଆୟୋଜନ କରିବା ସହ ପରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବ୍ଲକ୍ ଶିକ୍ଷାଧିକାରୀଙ୍କୁ ତାଙ୍କ କାର୍ଯ୍ୟାଳୟ ପରିସରରେ ତିନିଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ।ଉକ୍ତ ସଭାରେ ବ୍ଲକ୍ ସଂଘ ସଭାପତି ନରେଶ ପାଣିଗ୍ରାହୀ, ସମ୍ପାଦକ ସୁକାନ୍ତ କୁମାର ସାହୁଙ୍କ ସମେତ ଶିକ୍ଷକ ନେତା ଭକ୍ତ ରଞ୍ଜନ ମିଶ୍ର, ବସନ୍ତ କୁମାର ବିଶୋୟୀ, ପବିତ୍ର ମୋହନ ସାହୁ, ନୀଳମାଧବ ମହାରଣା, ପ୍ରଶାନ୍ତ କୁମାର ଦାଶ,ମଣିମାଳା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ପ୍ରାଥମିକ ଶିକ୍ଷକ ମହାସଂଘର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଓ ଆସନ୍ତା ୨୭ ତାରିଖରେ ଭୁବନେଶ୍ୱରରେ ହେବାକୁ ଥିବା ବିକ୍ଷୋଭ ମହାସମାବେଶ ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ।ଅନ୍ୟତମ ସଂଘୀୟ ଶିକ୍ଷକନେତା ଗୋଦାବରୀ ବସନ୍ତିଆ,ଜଗମୋହନ ମିଶ୍ର, ରାଜସିଂ ବେହେରା ଆଦି ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସରକାରଙ୍କ ପ୍ରାଥମିକ ଶିକ୍ଷା ଓ ଶିକ୍ଷା କର୍ମଚାରୀଙ୍କ ପ୍ରତି ବିଭିନ୍ନ ସରକାରୀ ନୀତି ନିୟମ ଦ୍ବାରା ଭବିଷ୍ୟତରେ ସୄଷ୍ଟି ହେବାକୁଥିବା ବିଭିନ୍ନ ଭୟଙ୍କର ସମସ୍ୟା ସମ୍ପର୍କରେ ଅବଗତ କରାଇ ଏକଜୁଟ ହୋଇ ସଂଗ୍ରାମ କଲେ ନିଶ୍ଚିତ ସଫଳତା ମିଳିବ ବୋଲି କହିଥିଲେ।ପ୍ରକାଶଥାଉ କି,ରାଜ୍ୟ ସରକାର ୨୦୦୧ ବ୍ୟାଚରୁ ଶିକ୍ଷା ସହାୟକ ନିଯୁକ୍ତି ଦେଇ ଆର୍ଥିକ ଦୁର୍ବଳତା ଆଳରେ ମାତ୍ର ୧୫୦୦ ଟଙ୍କା ଦରମା ପ୍ରଦାନ କରି ପରବର୍ତ୍ତୀ କାଳରେ ବିଭିନ୍ନ ବ୍ୟାଚର ଛଅବର୍ଷ ଠିକା ଭାବେ କାର୍ଯ୍ୟ ସମ୍ପାଦନ କରିଥିବା ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନିୟମିତ ଶିକ୍ଷକ ମାନ୍ୟତା ଦେଇଥିଲେ ମଧ୍ୟ ବର୍ତ୍ତମାନ ସେମାନଙ୍କ କଥା ଯେପରି ଭୁଲିଯାଇଛନ୍ତି।ବିଗତ ଦିନରେ ରାଜ୍ୟ ସରକାର ସମସ୍ତ ଠିକା ପ୍ରକ୍ରିୟା ଉଚ୍ଛେଦ କରି ଉକ୍ତ ଠିକା କାର୍ଯ୍ୟକାଳର ଉପଯୁକ୍ତ ପାଉଣା ପ୍ରଦାନ ପାଇଁ ଘୋଷଣା କରିଥିଲାବେଳେ ରାଜ୍ୟର ଲକ୍ଷଲକ୍ଷ ପ୍ରାଥମିକ ଶିକ୍ଷକଙ୍କ ମୂଲ୍ୟବାନ ଛଅବର୍ଷ ସମୟକୁ କାହିଁକି ଅଣଦେଖା କରାଗଲା ବୋଲି ସଂଘ ତରଫରୁ ତୀବ୍ର ଅସନ୍ତୋଷ ତଥା କ୍ଷୋଭ ପ୍ରକାଶ ପାଇଛି।ଆଜିର କାର୍ଯ୍ୟକ୍ରମକୁ ଶିକ୍ଷକନେତା ଶ୍ରୀଧର ପରିଡ଼ା ଓ ଯଶୋବନ୍ତ ପଟ୍ଟନାୟକ ପରିଚାଳନା କରିଥିଲେ।

Comments are closed.