ଓଡ଼ଗାଁ (୪/୧୧): ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ୨୦୨୬ ଅବସରରେ କୃଷି ବିଭାଗ ପକ୍ଷରୁ ନଭେମ୍ବର ୩ ତାରିଖରେ ଆୟୋଜିତ ଜିଲ୍ଲାସ୍ତରୀୟ ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଆଖୁପଦର, ଓଡ଼ଗାଁର ଛାତ୍ରୀ ଓମ୍ ସ୍ୱସ୍ତି ତ୍ରିପାଠୀ ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟାଳୟ ତଥା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି।
ଶ୍ରୀ ଅନ୍ନ ଅଭିଯାନର ସଫଳ କାର୍ଯ୍ୟକାରିତା ଏବଂ ଏଥିପ୍ରତି ଉଲ୍ଲେଖନୀୟ ପ୍ରୟାସ ଓ ପ୍ରତିବଦ୍ଧତାର ସ୍ୱୀକୃତି ସ୍ୱରୂପ ଆୟୋଜିତ ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର ବିଷୟବସ୍ତୁ ଥିଲା ‘ସହନଶୀଳ ଖାଦ୍ୟ ପ୍ରଣାଳୀ ପାଇଁ ଗୋଷ୍ଠୀଭିତ୍ତିକ ବିହନ ବ୍ୟବସ୍ଥା ଓ କୃଷି ଜୈବବିବିଧତା’(Community Seed System and Agro Biodiversity for a Resilient Food System)। ଏହି ପ୍ରତିଯୋଗିତାରେ ନିଜର ଉଚ୍ଚକୋଟୀର ବକ୍ତୃତା, ଯୁକ୍ତିପୂର୍ଣ୍ଣ ଉପସ୍ଥାପନା ଓ ଆତ୍ମବିଶ୍ୱାସପୂର୍ଣ୍ଣ ପ୍ରଦର୍ଶନ ମାଧ୍ୟମରେ ଓମ୍ ସ୍ୱସ୍ତି ବିଚାରକମଣ୍ଡଳୀଙ୍କ ମନ ଜିଣିବା ସହ ପ୍ରଥମ ସ୍ଥାନ ହାସଲ କରିଥିଲେ। ଏହି ସଫଳତା ପାଇଁ ତାଙ୍କୁ ଆୟୋଜକଙ୍କ ପକ୍ଷରୁ ପ୍ରଶଂସାପତ୍ର ସହ ସମ୍ମାନିତ କରାଯାଇଥିଲା।
ତାଙ୍କର ଏହି ଉଲ୍ଲେଖନୀୟ ସଫଳତାରେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ସହପାଠୀ ତଥା ଅଭିଭାବକମାନେ ଆନନ୍ଦ ପ୍ରକାଶ କରିବା ସହ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ସଫଳତା ଅନ୍ୟ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଶିକ୍ଷା, ସାହିତ୍ୟ ଓ ସହଶିକ୍ଷା କାର୍ଯ୍ୟକ୍ରମରେ ଉତ୍କର୍ଷ ହାସଲ ପାଇଁ ପ୍ରେରଣା ଯୋଗାଇବ। ରିପୋର୍ଟ-ସନାତନ ମହାକୁଡ଼ ।
Comments are closed.