ପ୍ରଦୀପ ପୁରୋହିତ ପଦ୍ମପୁରର ବିଜେପି ପ୍ରାର୍ଥୀ, କେନ୍ଦ୍ରୀୟ ନିର୍ବାଚନ କମିଟିର ବିଧିବଦ୍ଧ ଘୋଷଣା

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ହେବେ ବିଜେପି ପ୍ରାର୍ଥୀ। ଏନେଇ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବିଧିବଦ୍ଧ ଘୋଷଣା କରିଛି। ପଦ୍ମପୁର ଉପନିର୍ବାଚନ ପାଇଁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ବିଜେପି ପ୍ରାର୍ଥୀ ହେବେ ବୋଲି ଆପାତତଃ ସ୍ଥିର ହୋଇଥିବା କିଛି ଦିନ ଆଗରୁ ଜଣାଯାଇଥିଲ। ଦଳ ପକ୍ଷରୁ କେବଳ ତାଙ୍କ ନାଁ କେନ୍ଦ୍ରୀୟ ସଂସଦୀୟ ବୋର୍ଡକୁ ସୁପାରିଶ କରାଯାଇଥିଲା। ଆଜି ବିଜେପି ପଦ୍ମପୁର ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡି ଏବଂ କଂଗ୍ରେସ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହାନ୍ତି।
ସୂଚନାଯୋଗ୍ୟ, ଗତକାଲି ପ୍ରଦୀପ ପୁରୋହିତ ପଦ୍ମପୁର ଉପନିର୍ବାଚନ ଲାଗି ବିଜେପି ପ୍ରାର୍ଥୀ ହେବେ ବୋଲି ସୁନ୍ଦରଗଡ଼ ବିଧାୟକ ତଥା ବିଜେପି ନେତା କୁସୁମ ଟେଟେ ସୂଚନା ଦେଇଥିଲେ। ଏଣେ ୧୪ ତାରିଖରେ ବିଜେପି ପକ୍ଷରୁ ପ୍ରାର୍ଥିପତ୍ର ଦାଖଲ କରାଯିବ ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଥିଲେ। ପ୍ରଦୀପ ପୁରୋହିତ ୨୦୧୪ରେ ଏଠାରୁ ବିଜୟୀ ହୋଇଥିଲେ। ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂହ ବରିହାଙ୍କର ଗତ ମାସ ୩ ତାରିଖରେ ପରଲୋକ ହେବା ପରେ ଓଡ଼ିଶା ବିଧାନସଭାରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେବା ସଂକ୍ରାନ୍ତରେ ବିଧାନସଭା ସଚିବ ଦାଶରଥୀ ଶତପଥୀ ବିଜ୍ଞପ୍ତି ଜାରି କରିଥିଲେ। ଏହା ଓଡ଼ିଶା ଗେଜେଟରେ ପ୍ରକାଶ ପାଇଥିଲା

ପଦ୍ମପୁର ବିଧାନସଭାର ଉପନିର୍ବାଚନ ପାଇଁ ପଦ୍ମପୁର ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର ତ୍ରିଲୋଚନ ପାତ୍ର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ୧୦ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଦିନ ୧୧ରୁ ୩ ଟା ରେ ମନୋନୟ ଦାଖଲ ପ୍ରକ୍ରିୟା ଜାରି ରହିବ। ୧୮ ତାରିଖରେ ମନୋନୟନ ପତ୍ର ଯାଞ୍ଚ କରାଯିବ ଏବଂ ୨୧ ତାରିଖ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ସମୟ ରହିଛି ବୋଲି ରିଟର୍ଣ୍ଣିଂ ଅଫିସର କହିଛନ୍ତି। ସେହିପରି ଆସନ୍ତା ୫ ତାରିଖରେ ସକାଳ ୭ ଟାରୁ ଅପରାହ୍ନ ୪ ଘଣ୍ଟା ପର୍ଯ୍ୟନ୍ତ ଭୋଟଦାନ କରାଯିବ।

Comments are closed.