ଭାରତ ରୁଷ୍‌ରୁ ଶସ୍ତାରେ ଯେତେ ଇଚ୍ଛା ସେତେ ତୈଳ ଖରିଦ କରିପାରେ: ଆମେରିକା

ନୂଆଦିଲ୍ଲୀ: ଭାରତ ରୁଷ୍‌ରୁ ଶସ୍ତାରେ ଯେତେ ଇଚ୍ଛା ସେତେ ତୈଳ ଖରିଦ ଜାରି ରଖିଲେ ଆମେରିକା ଆନନ୍ଦିତ ବୋଲି ଶୁକ୍ରବାର ଦିନ ଆମେରିକାର ‘ଟ୍ରେଜରି ସେକ୍ରେଟେରି’ ଜେନେଟ୍‌ ୟେଲେନ୍‌ କହିଛନ୍ତି।

ଆମେରିକା-ଭାରତ ଅର୍ଥନୈତିକ ସମ୍ବନ୍ଧ ଦୃଢ଼ତର କରାଯିବା ସଂକ୍ରାନ୍ତ‌ରେ ଆୟୋଜିତ ସମ୍ମିଳନୀ ଅବସରରେ ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ସହିତ ସାକ୍ଷାତ୍‌କାର ସମୟରେ ୟେଲେନ୍‌ କହିଛନ୍ତି, ‘ଜି-୭’ ଲାଗୁ କରିଥିବା ‘ପ୍ରାଇସ୍‌ କ୍ୟାପ୍‌ ମେକାନିଜିମ୍‌’ଠାରୁ ଅଧିକ ଦର ସହିତ ଏହାର କୌଣସି ସମ୍ପର୍କ ନାହିଁ। ‘ଜି-୭’ ଲାଗୁ କରିଥିବା ଦର ବିଶ୍ବବ୍ୟାପୀ ତୈଳ ଦର କମ୍‌ ରଖିବା ସହ ରୁଷର୍‌ର ରାଜସ୍ବ ଉପରେ କଟକଣା ବଜାୟ ରଖିବ। ‘ୟୁରୋପୀୟ ସଂଘ’ ଆମଦାନି ବନ୍ଧ କରିଦେବା ପରେ ‘ଜି୭’ଦ୍ବାରା ନିର୍ଦ୍ଧାରିତ ତୈଳ ଦର ଅଥବା ସାମ୍ପ୍ରତିକ ତୈଳ ଦର ଅପେକ୍ଷା ଅଧିକ ରିହାତି ନ ଦେଇ ରୁଷ୍‌ ପୂର୍ବପରି ତୈଳ ବିକ୍ରୟ କରିପାରିବ ନାହିଁ।

ୟେଲେନ୍‌ କହିଛନ୍ତି, ୟୁରୋପୀୟ ସଂଘ ରୁଷୀୟ ତୈଳ ଖରିଦ କରିବା ବନ୍ଦ କରିଦେବା ଫଳରେ ରୁଷ୍‌ ଆଗ ପରି ତୈଳ ରପ୍ତାନି କରିବାରେ ଅସୁବିଧା ଭୋଗୁଛି। ସେମାନେ କ୍ରେତା ଖୋଜୁଛନ୍ତି। କିନ୍ତୁ, ଅଧିକାଂଶ କ୍ରେତା ପାଶ୍ଚାତ୍ୟ ‌ରାଷ୍ଟ୍ରଙ୍କ ଯୋଗାଣ ଉପରେ ନିର୍ଭରଶୀଳ।

ଏବେ ଚୀନ୍‌ ପରେ ଭାରତ ହେଉଛି ରୁଷ୍‌ର ଦ୍ବିତୀୟ ବୃହତ୍‌ ତୈଳ ଖରିଦକାରୀ।

ବିତ୍ତଶାଳୀ ‘ଜି୭’ ଗଣତାନ୍ତ୍ରିକ ରାଷ୍ଟ୍ର ଏବଂ ଅଷ୍ଟ୍ରେଲିଆ ଲାଗୁ କରିବାକୁ ଥିବା ନିର୍ଦ୍ଧାରିତ ତୈଳ ଦରର ଚୂଡ଼ାନ୍ତ ବିବରଣ ନିର୍ଦ୍ଧାରିତ ସମୟ ଡିସେମ୍ବର ୫ ତାରିଖ ପୂର୍ବରୁ ପ୍ରକାଶ ପାଇବ।

ୟେଲେନ୍‌ କହିଛନ୍ତି, ନିର୍ଦ୍ଧାରିତ ମୂଲ୍ୟ ରହିଲେ ରୁଷୀୟ ଅଶୋଧିତ ତୈଳ ଖରିଦ କରୁଥିବା ଭାରତ, ଚୀନ୍‌ ଓ ଅନ୍ୟାନ୍ୟ ପ୍ରମୁଖ କ୍ରେତାମାନେ ମସ୍କୋଠାରୁ ଶସ୍ତାରେ ତୈଳ ପାଇପାରିବେ। ରୁଷୀୟ ତୈଳ ଶସ୍ତାରେ ବିକ୍ରି ହେବ। ଭାରତ, ଆଫ୍ରିକା ଓ ଚୀନ ଶସ୍ତାରେ ତୈଳ ପାଉଥିବାରୁ ଆମେ ଖୁସି।

Comments are closed.