ସମୁଦ୍ରରୁ ବଳ ଗୋଟାଉଛି ଲଘୁଚାପ, ରାଜ୍ୟରେ ୫ ଦିନ ଧରି ପ୍ରବଳ ବର୍ଷିବ

0

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ଶନିବାର ସନ୍ଧ୍ୟାରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଏବେ ଧୀରେ ଧୀରେ ସମୁଦ୍ରରୁ ବଳ ଗୋଟାଉଛି। ତେବେ ଓଡ଼ିଶାରେ ବାତ୍ୟା ହେବ କି ନାହିଁ ସ୍ଥିତି ଅସ୍ପଷ୍ଟ ଥିବାବେଳେ ଗଭୀର ଅବପାତ ହେବା ନିଶ୍ଚିତ। ଯାହାର ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଇଏମଡିର ଆକଳନ କହୁଛି, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତାକାଲି ଅର୍ଥାତ ସୋମବାର ଅବପାତର ରୂପ ନେବ। ଯାହା ୨୨ ତାରିଖରେ ଡିପ ଡିପ୍ରେସନ୍ ହେବ। ଏହି ସିଷ୍ଟମ ମୁହାଁଇବ ଓଡ଼ିଶା। ରାଜ୍ୟରେ ୫ ଦିନ ଧରି ପ୍ରବଳ ବର୍ଷା କରାଇବ।

ଅନ୍ୟପକ୍ଷରେ ଅକ୍ଟୋବର ନୁହେଁ ଏଥର ସେପଟେମ୍ବରରେ ଓଡ଼ିଶାକୁ ବାତ୍ୟା ଛନକା। ଲଘୁଚାପ ବାତ୍ୟା ରୂପ ନେବା ସମ୍ଭାବନା ଥିବା ଭିନ୍ନ ଭିନ୍ନ ପାଣିପାଗ ମଡେଲ ଆକଳନ କରିଛନ୍ତି। ୟୁରୋପିଆନ ମଡେଲ-ଇସିଏମ୍‌ଡବ୍ଲ୍ୟୁଏଫ କହୁଛି, ଆସନ୍ତା ୨୩-୨୪ ଆଡ଼କୁ ବଙ୍ଗୋପସାଗରରେ ସାଇକ୍ଲୋନ ସୃଷ୍ଟି ହୋଇପାରେ। ଯାହା ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ଉପକୂଳ ମୁହାଁ ହେବ। ସେହିପରି ଆମେରିକାନ ମଡେଲ- ଜିଏଫ୍‌ଏସ୍ ମଧ୍ୟ ସମାନ ଆକଳନ ଓ ଗତିପଥ ଦର୍ଶାଉଛି। ସେହି ୨୩-୨୪ ବେଳକୁ ଅବପାତ ଘନୀଭୂତ ହୋଇ ଏକ ବିକ୍ଷିପ୍ତ ଓ ଦୁର୍ବଳ କେନ୍ଦ୍ର ବିଶିଷ୍ଟ ବାତ୍ୟାର ରୂପ ନେଇପାରେ। ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ଆକଳନ ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ସୃଷ୍ଟି ନେଇ ସଙ୍କେତ ଦେଉଛି। ବର୍ତ୍ତମାନର ସ୍ଥିତି ଅନୁସାରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ଅଞ୍ଚଳ ପ୍ରତି ସମ୍ଭାବ୍ୟ ସାଇକ୍ଲୋନର ବିପଦ ରହିଛି। ପୁରୀଠାରୁ ବିଶାଖାପାଟଣା ମଧ୍ୟରେ ଅଧିକ ପ୍ରଭାବ ଦେଖିବାକୁ ମିଳିପାରେ କହୁଛି ସ୍କାଏମେଟ୍‌। ଅନ୍ୟପଟେ ବଙ୍ଗୋପସାଗରରେ ବାତ୍ୟା ନେଇ କୌଣସି ପୂର୍ବାନୁମାନ କରିନି ଭାରତୀୟ ପାଣିପାଗ ବିଭାଗ। ଆଇଏମ୍‌ଡି ଆକଳନ କହୁଛି, ବର୍ତ୍ତମାନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ଆଣ୍ଡାମାନ ସାଗର ଉପରେ ସକ୍ରିୟ ରହିଛି ଲଘୁଚପ। ଏହା ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରି କାଲି ନେବ ଅବପାତର ରୂପ। ଅଧିକ ଘନୀଭୂତ ହୋଇ ୨୨ ତାରିଖ ବେଳକୁ ଗଭୀର ଅବପାତରେ ପରିଣତ ହେବ। ୨୩ରେ ଏହା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ନିକଟକୁ ଆସିବ। ୨୩ରୁ ପ୍ରବଳ ବର୍ଷିବ, ଦକ୍ଷିଣ ଓଡ଼ିଶାରେ ଭୀଷଣ କାଚିବ। ୨୩ରେ କନ୍ଧମାଳ, ଗଜପତି, ଗଞ୍ଜାମ ଓ ପୁରୀରେ ଭୀଷଣ ବର୍ଷା ଆଶଙ୍କା ଥିବାରୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ୨୪ରେ ରେଡ୍ ଜୋନରେ ଅଛି କନ୍ଧମାଳ, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲା। ୨୫ ତାରିଖ ଯାଏଁ ବର୍ଷା ନେଇ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସମ୍ଭାବ୍ୟ ଅବପାତ ସ୍ଥଳଭାଗ ମୁହାଁ ହେବା ସହ ବଢ଼ିବ ପବନର ବେଗ। ଦକ୍ଷିଣ ଓଡ଼ିଶା ଉପକୂଳରେ ପବନର ବେଗ ସର୍ବାଧିକ ୫୫-୬୫ କିଲୋମିଟର ରହିପାରେ।

ଲଘୁଚାପ ଓ ସମ୍ଭାବ୍ୟ ଅବପାତ ପ୍ରଭାବରେ ଅଶାନ୍ତ ରହିବ ସମୁଦ୍ର। ଉଠିବ ବଡ଼ ବଡ଼ ଜୁଆର। ଏହାକୁ ଦୃଷ୍ଟିରେ ରଖି କାଲି ସୁଦ୍ଧା ଗଭୀର ସମୁଦ୍ରରୁ ଫେରି ଆସିବାକୁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି। ସେହିପରି ୨୪ ତାରିଖ ଯାଏଁ ସମୁଦ୍ର ନଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.