ବାଲେଶ୍ୱର, (କୃଷ୍ଣ କୁମାର ମହାନ୍ତି): ଜାତୀୟ ପଲ୍ସ ପୋଲିଓ ଟିକାକରଣ ଦିବସ ଅବସରରେ ବାଲେଶ୍ୱର ଜିଲ୍ଲାରେ ପୋଲିଓ ବୁନ୍ଦା ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲା ଟିକାକରଣ କେନ୍ଦ୍ରରେ ଏହାର ଶୁଭାରମ୍ଭ ସମାରୋହ ଆୟୋଜିତ ହୋଇଥିଲା। ଚଳିତ ବର୍ଷର ବାର୍ତ୍ତା ରହିଛି ‘ଦୁଇ ବୁନ୍ଦା ପ୍ରତ୍ୟେକ ଥର, ପୋଲିଓ ଉପରେ ବିଜୟ ରହୁ ନିରନ୍ତର’।
ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂରବିକାଶ ଉପସ୍ଥିତ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରି ଏହି ଅଭିଯାନର ଶୁଭାରମ୍ଭ କରିଥିଲେ। ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଅମୂଲ୍ୟ କୁମାର ଦାସଙ୍କ ସମେତ ଡା. ପରେଶ ଚନ୍ଦ୍ର ନନ୍ଦୀ, ଡା. ଗିରିଜା ଶଙ୍କର ଦାସ, ଡା. ସଞ୍ଜୀବ ପ୍ରଧାନ, ଚକ୍ରଧର ଜେନା, ଜିତେନ୍ଦ୍ର ବିଶ୍ୱାଳ, ବିଶ୍ୱରଞ୍ଜନ ନାୟକ, ପ୍ରଦୀପ କୁମାର ସାହୁ, ରଞ୍ଜନ ମହନ୍ତ, ଶାଶ୍ୱତୀ ମିଶ୍ର ଓ ନୂତନପ୍ରଭା ସାମଲ ପ୍ରମୁଖ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରିଥିଲେ।
ନଭେମ୍ବର ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଏହି ଅଭିଯାନ ଚାଲିବ। ପ୍ରଥମ ଦିନରେ ଜିଲ୍ଲାର ଜନ୍ମରୁ ପାଞ୍ଚବର୍ଷ ବୟସର ୨,୦୭,୮୦୭ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଏଥିପାଇଁ ୧,୦୬୩ଟି ଟିକାକରଣ କେନ୍ଦ୍ର, ୪୬ଟି ଟ୍ରାଞ୍ଜିଟ୍ ଦଳ ଓ ୨୩ଟି ଭ୍ରାମ୍ୟମାଣ ଦଳ ନିୟୋଜିତ ହୋଇଥିଲେ।
ଅଭିଯାନରେ ୪,୩୯୦ ଜଣ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ସ୍ୱେଚ୍ଛାସେବୀଙ୍କ ସହ ୨୧୯ ଜଣ ସ୍ୱାସ୍ଥ୍ୟ ପରିଦର୍ଶକ ନିୟୋଜିତ ହୋଇଛନ୍ତି। ପ୍ରଥମ ଦିନରେ ଟିକାକରଣରୁ ବାଦ୍ ପଡ଼ିଥିବା ଶିଶୁମାନଙ୍କୁ ନଭେମ୍ବର ୨୩ ଓ ୨୪ ତାରିଖରେ ଘରକୁ ଘର ଯାଇ ପୋଲିଓ ବୁନ୍ଦା ପ୍ରଦାନ କରାଯିବ। ଏହି ଦୁଇଦିନରେ ୪,୯୮,୨୬୩ଟି ଘର ପରିଦର୍ଶନ କରିବାକୁ ଯୋଜନା ରହିଛି।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ନଭେମ୍ବର ୨୨ ତାରିଖ ଦିନ ଶେଷ ସୁଦ୍ଧା ଜିଲ୍ଲାରେ ୧,୮୨,୮୭୧ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯାଇଛି। ଯାହା ଧାର୍ଯ୍ୟ ଲକ୍ଷ୍ୟର ୮୮ ପ୍ରତିଶତ। ଅବଶିଷ୍ଟ ଶିଶୁମାନଙ୍କୁ ଆସନ୍ତା ଦୁଇଦିନ ଧରି ଘରକୁ ଘର ଯାଇ ବୁନ୍ଦା ପ୍ରଦାନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟବସ୍ଥା ହୋଇଛି।