ଜନ୍ମଦିନରେ କେକ୍‌ ନୁହେଁ, ରକ୍ତଦାନରେ ମାନବିକତାର ବାର୍ତ୍ତା ଦେଲେ ସୁମନ୍ତ ଜେନା

• ଥାଲାସେମିଆ ରୋଗୀଙ୍କ ପାଇଁ ଶିବିରରୁ ସଂଗ୍ରହ ହେଲା ୫୬ ୟୁନିଟ୍‌ ରକ୍ତ

ବାଲେଶ୍ୱର, ନଭେମ୍ବର ଳ୨୨(କୃଷ୍ଣ କୁମାର ମହାନ୍ତି): ଜନ୍ମଦିନ ପାଳନରେ କେକ୍‌ କାଟିବା, ଭୋଜିଭାତ ଓ ଆଡ଼ମ୍ବରକୁ ପଛରେ ପକାଇ ରକ୍ତଦାନ ମାଧ୍ୟମରେ ମାନବିକତାର ନିଆରା ବାର୍ତ୍ତା ଦେଇଛନ୍ତି ବାଲେଶ୍ୱରର ଯୁବ ପରିବେଶବିତ୍‌ ସୁମନ୍ତ କୁମାର ଜେନା। ଥାଲାସେମିଆ ରୋଗୀଙ୍କ ରକ୍ତର ଆବଶ୍ୟକତା ପୂରଣ ଓ ଜୀବନରକ୍ଷା ଉଦ୍ଦେଶ୍ୟରେ ସେ ନିଜ ଜନ୍ମଦିନକୁ ଏକ ରକ୍ତଦାନ ଶିବିର ଆୟୋଜନ କରି ପାଳନ କରିଛନ୍ତି।
ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ପରିସରସ୍ଥିତ ଜିଲ୍ଲା ରକ୍ତ କେନ୍ଦ୍ରରେ ସୁରେନ୍ଦ୍ର ନାଥ ଜେନା ସ୍ମୃତି କମିଟିର ସହଯୋଗରେ ଏହି ଶିବିର ଆୟୋଜିତ ହୋଇଥିଲା। ସୁଲଗ୍ନା କଲେଜର ନିର୍ଦ୍ଦେଶକ ଘନଶ୍ୟାମ ବିଶ୍ୱାଳ ଶିବିରକୁ ଉଦ୍‌ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ବାଲେଶ୍ୱରର ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ରକ୍ତ କେନ୍ଦ୍ରର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ, ଆଇନଜୀବୀ ସାଇରୁଲ ହକ୍‌, ସମାଜସେବୀ ପରମାନନ୍ଦ ମହାପାତ୍ର, ବିଜୟ ସେଠୀ, ପ୍ରକୃତି ମିତ୍ର ସର୍ବେଶ୍ୱର ଜେନା, ଆଇନଜୀବୀ ପ୍ରଜ୍ଞା ପରମିତା ବିଶ୍ୱାଳ, ସମାଜସେବୀ ଆଶ୍ରିତା ତରେଇ, ଯୁବନେତା ବିକାଶ ପାଢ଼ୀ, ମନୋଜ କୁମାର ନାୟକ, ଆଶିଷ ମହାପାତ୍ର, ବସନ୍ତ ସେନାପତି ଓ ସୁଶାନ୍ତ ଧଳ ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।
ଶିବିରରେ ବହୁ ସଂଖ୍ୟାରେ ଯୁବ ସ୍ୱେଚ୍ଛାସେବୀ ଓ ମହିଳା ଯୋଗଦେଇ ରକ୍ତଦାନ କରିଥିଲେ। ଏଥିରୁ ମୋଟ ୫୬ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିଲା। ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନିୟମିତ ରକ୍ତଦାତା ଆଶିଷ ମହାପାତ୍ର, ସୁବର୍ଣ୍ଣରେଖା ସେବା ସଂଗଠନ ଓ ମନୋଜ ନାୟକଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।
ସ୍ମୃତି କମିଟିର ସଦସ୍ୟ ଚନ୍ଦନ ବିଶ୍ୱାଳ, ଅଜୟ ବେହେରା, ଉମାକାନ୍ତ ଦାସ, ବିଶ୍ୱଜିତ୍‌ ମୁଦୁଲି, ବିନୋଦ ଦତ୍ତ, ମୃତ୍ୟୁଞ୍ଜୟ ଜେନା ଓ ସୁଜିତ୍‌ କୁମାର ନାୟକଙ୍କ ସମେତ ଜିଲ୍ଲା ରକ୍ତ କେନ୍ଦ୍ରର ସମସ୍ତ କର୍ମଚାରୀ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ନିଜ ଜନ୍ମଦିନର ଖୁସିକୁ ଅନ୍ୟର ଜୀବନ ବଞ୍ଚାଇବାର ଉଦ୍ୟମ ସହ ଯୋଡ଼ି ସୁମନ୍ତ ଜେନା ଏକ ଅନୁକରଣୀୟ ସାମାଜିକ ବାର୍ତ୍ତା ଦେଇଛନ୍ତି।

Comments are closed.