ନୀଳରକ୍ତ କଙ୍କଡ଼ା ସୁରକ୍ଷା ପାଇଁ ସାମୁଦ୍ରିକ ମୁହାଣରେ ସଚେତନତା ଅଭିଯାନ

•ଛିଣ୍ଡା ଜାଲରୁ କଙ୍କଡ଼ା ଉଦ୍ଧାର କରି ସମୁଦ୍ରରେ ଛାଡ଼ିଲେ ମତ୍ସ୍ୟଜୀବୀ ଓ ସ୍ୱେଚ୍ଛାସେବୀ

0
ବାଲେଶ୍ୱର, ନଭେମ୍ବର ୨୨(କୃଷ୍ଣ କୁମାର ମହାନ୍ତି): ବାତ୍ୟା ‘ଅକୱାନ’ ପରବର୍ତ୍ତୀ ଉପକୂଳ ବନ୍ୟଜନ୍ତୁ ସୁରକ୍ଷା ଅଭିଯାନ ଚାନ୍ଦିପୁର ବନାଞ୍ଚଳ ଅନ୍ତର୍ଗତ ବଙ୍ଗୋପସାଗର ଉପକୂଳ ଓ ମାହିଁଶାଳୀ ମୁହାଣ ଅଞ୍ଚଳରେ ଅନୁଷ୍ଠିତ ହୋଇଛି। ସାମାଜିକ ସଂଗଠନ ‘ମୁନ୍ କମ୍ୟୁନିକେସନ’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଲେଶ୍ୱରର ଜୀବନ୍ତ ବିସ୍ମୟ ଭାବେ ପରିଚିତ ନୀଳରକ୍ତ କଙ୍କଡ଼ାର ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ସଂଗଠନର ସମ୍ପାଦକ ଅବନୀ କୁମାର ଜେନାଙ୍କ ନେତୃତ୍ୱରେ ଆୟୋଜିତ ଏହି ଅଭିଯାନରେ ଅତିଥି ଭାବେ ସନ୍ତୋଷ କୁମାର ମଳିକ ଓ କୁମାର ବିଶ୍ୱାଳ ଯୋଗଦେଇଥିଲେ। ସେମାନେ ନୀଳରକ୍ତ କଙ୍କଡ଼ାର ଜୀବନଚକ୍ର, ଚିକିତ୍ସା ବିଜ୍ଞାନରେ ଏହାର ରକ୍ତର ଉପଯୋଗିତା ଏବଂ ଆବଶ୍ୟକ ସଚେତନତାର ଅଭାବରୁ ଏହାର ସଂଖ୍ୟା ହ୍ରାସ ପାଉଥିବା ସମ୍ପର୍କରେ ଆଲୋକପାତ କରିଥିଲେ।
ଏହି ଅଭିଯାନରେ ମାହିଁଶାଳୀ ମୁହାଣର ଭୁଟୁଭୁଟି ଚାଳକ ଓ ଉପକୂଳ ମତ୍ସ୍ୟଜୀବୀମାନଙ୍କୁ ସାମିଲ କରାଯାଇଥିଲା। ପୂର୍ଣ୍ଣିମା ଓ ଅମାବାସ୍ୟା ସମୟରେ ଜୁଆର ଲହଡ଼ି ସହ କୂଳକୁ ଆସୁଥିବା ନୀଳରକ୍ତ କଙ୍କଡ଼ା ମାଛଧରା ଜାଲରେ ଛନ୍ଦି ହୋଇ ମୃତ୍ୟୁବରଣ କରୁଥିବା ଏହାର ସଂଖ୍ୟା ହ୍ରାସର ଅନ୍ୟତମ କାରଣ ବୋଲି ସେମାନଙ୍କୁ ଅବଗତ କରାଯାଇଥିଲା।
ଏହି ଅବସରରେ ଉପସ୍ଥିତ ସମସ୍ତେ ନୀଳରକ୍ତ କଙ୍କଡ଼ାର ସୁରକ୍ଷା ପାଇଁ ଶପଥ ନେଇଥିଲେ। ମୁହାଣ ଅଞ୍ଚଳରୁ ଛିଣ୍ଡା ମାଛଧରା ଜାଲ ସଫା କରିବା ସହ ଜାଲରେ ଛନ୍ଦି ହୋଇଥିବା କଙ୍କଡ଼ାଗୁଡ଼ିକୁ ଉଦ୍ଧାର କରି ସମୁଦ୍ରରେ ଛାଡ଼ିଥିଲେ।
କାର୍ଯ୍ୟକ୍ରମ ପରିଚାଳନାରେ ସ୍ୱରୂପ ସ୍ୱାଇଁ, ନିମାଇଁ ସାମଲ, ନରେନ୍ଦ୍ର ଦାସ, ଅସିତ ମହାନ୍ତି, ସନ୍ତୋଷ ମଲ୍ଲିକ ଓ ପବିତ୍ର ମହାନ୍ତି ସହଯୋଗ କରିଥିଲେ।
Leave A Reply

Your email address will not be published.