ବାଲେଶ୍ୱର :କୃଷ୍ଣ କୁମାର ମହାନ୍ତି :ମାନବ ସେବା ହିଁ ଈଶ୍ୱର ସେବା। ଏହି ମହାନ ଆଦର୍ଶକୁ ଜୀବନର ମୂଳମନ୍ତ୍ର ଭାବେ ଗ୍ରହଣ କରି ନିଜକୁ ସମାଜସେବାରେ ସମର୍ପିତ କରିଛନ୍ତି ବାଲେଶ୍ୱରର ଯୁବ ସମାଜସେବୀ ସିମନ କୁମାର ଦାସ ମହାପାତ୍ର। ରକ୍ତଦାନ ଆନ୍ଦୋଳନରୁ ଆରମ୍ଭ କରି ରୋଗୀ ସେବା, ବିପର୍ଯ୍ୟୟ ସମୟରେ ସହାୟତା ଓ ଯୁବ ସମାଜକୁ ସାମାଜିକ ଦାୟିତ୍ୱବୋଧ ପ୍ରତି ପ୍ରେରିତ କରିବା ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟଧାରା ଆଜି ଏକ ଅନନ୍ୟ ଦୃଷ୍ଟାନ୍ତ ସୃଷ୍ଟି କରିଛି। ବାଲେଶ୍ୱର ଜିଲ୍ଲାରେ ରକ୍ତଦାନ କ୍ଷେତ୍ରରେ ତାଙ୍କର ନାମ ଆଜି ବିଶ୍ୱାସ, ଭରସା ଓ ମାନବିକତାର ପ୍ରତୀକ ହୋଇଉଠିଛି।
ବାଲେଶ୍ୱର ଜିଲ୍ଲାର ଐତିହାସିକ ଗ୍ରାମ ଶ୍ରୀଜଙ୍ଗରେ ୧୯୮୬ ମସିହା ମାର୍ଚ୍ଚ ୨୦ ତାରିଖରେ ଜନ୍ମଗ୍ରହଣ କରିଥିବା ସିମନ ଦାସ ମହାପାତ୍ର ଶିକ୍ଷାଗତ ଭାବେ ଏମ୍ବିଏ ଓ ଏଲ୍ଏଲ୍ବି ଡିଗ୍ରୀଧାରୀ। ବର୍ତ୍ତମାନ ସେ ବାଲେଶ୍ୱର ସହରର ସୁନହଟସ୍ଥିତ ଶ୍ରୀ ମୁକ୍ତେଶ୍ୱର ଏନକ୍ଲେଭ୍ରେ ପତ୍ନୀ ଭାଗ୍ୟଶ୍ରୀ ଦାସ ଓ ଏକମାତ୍ର କନ୍ୟା ଆଂଶିକା ଦାସ ମହାପାତ୍ରଙ୍କ ସହ ବସବାସ କରୁଛନ୍ତି। ପାରିବାରିକ ଜୀବନରେ ଜଣେ ସ୍ନେହଶୀଳ ସ୍ୱାମୀ ଓ ଦାୟିତ୍ୱବାନ ପିତା ହୋଇଥିବା ବେଳେ ସାମାଜିକ ଜୀବନରେ ସେ ଜଣେ ନିଷ୍ଠାପର ସମାଜସେବୀ ଭାବେ ପରିଚିତ। ସ୍ୱଭାବତଃ ବେଶ୍ ମେଳାପୀ, ମିଷ୍ଟଭାଷୀ ଓ ସହୃଦୟ ବ୍ୟକ୍ତିତ୍ୱର ଅଧିକାରୀ ସିମନ ସବୁବେଳେ ମାନବ ସେବାକୁ ଈଶ୍ୱର ସେବା ବୋଲି ବିଶ୍ୱାସ କରନ୍ତି ଏବଂ ନିଜକୁ ପରୋପକାର କାର୍ଯ୍ୟରେ ନିମଗ୍ନ ରଖିଥାନ୍ତି।
ସେ ଜୀବନବିନ୍ଦୁର ସଂଯୋଜକ, ବିସିଜେଡିର ଜିଲ୍ଲା ସଭାପତି ଓ ଯୁବ ବାଲେଶ୍ୱରର ସଭାପତି ଭାବେ ଦାୟିତ୍ୱ ନିର୍ବାହ କରୁଥିବା ବେଳେ ଅନେକ ସାମାଜିକ ଓ ସ୍ୱେଚ୍ଛାସେବୀ ସଂଗଠନ ସହିତ ସକ୍ରିୟ ଭାବେ ଜଡ଼ିତ ଅଛନ୍ତି। ତାଙ୍କ ନେତୃତ୍ୱରେ ରକ୍ତଦାନ ଆନ୍ଦୋଳନ ବାଲେଶ୍ୱର ଜିଲ୍ଲାରେ ଏକ ଜନଆନ୍ଦୋଳନର ରୂପ ନେଇଛି।



ଗତ ବାର ବର୍ଷ ଧରି ସେ ୨୫୦ରୁ ଅଧିକ ରକ୍ତଦାନ ଶିବିର ଆୟୋଜନ କରି ୧୫ ହଜାରରୁ ଅଧିକ ୟୁନିଟ୍ ରକ୍ତ ସଂଗ୍ରହ କରିଛନ୍ତି। ଏହି ବିପୁଳ ରକ୍ତ ସଂଗ୍ରହ ଜିଲ୍ଲା ରକ୍ତଭଣ୍ଡାରରେ ରକ୍ତର ଅଭାବ ପୂରଣ କରିବା ସହିତ ହଜାର ହଜାର ରୋଗୀଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇଛି। ନିଜେ ମଧ୍ୟ ୧୫ ଥର ରକ୍ତଦାନ କରିଥିବା ସିମନ କେବଳ ଅନ୍ୟମାନଙ୍କୁ ପ୍ରେରଣା ଦେଇନାହାନ୍ତି, ବରଂ ନିଜ କାର୍ଯ୍ୟ ମାଧ୍ୟମରେ ଏକ ଉଜ୍ଜ୍ୱଳ ଉଦାହରଣ ସୃଷ୍ଟି କରିଛନ୍ତି।
କୋଭିଡ୍ ମହାମାରୀର କଠିନ ସମୟରେ ଯେତେବେଳେ ରକ୍ତଭଣ୍ଡାରଗୁଡ଼ିକ ପ୍ରାୟ ଶୂନ୍ୟ ହେବାକୁ ବସିଥିଲା, ସେତେବେଳେ ସିମନ ଓ ତାଙ୍କ ଟିମ୍ ମାତ୍ର ତିନି ମାସ ମଧ୍ୟରେ ୮୦ରୁ ଅଧିକ ରକ୍ତଦାନ ଶିବିର ଆୟୋଜନ କରି ୩୫୦୦ରୁ ଅଧିକ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ। ଏହି ଅସାଧାରଣ ଅବଦାନ ପାଇଁ ତାଙ୍କୁ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ‘ଜୀବନବିନ୍ଦୁ’ ପକ୍ଷରୁ ସର୍ବାଧିକ ରକ୍ତ ସଂଗ୍ରହକାରୀ ଭାବେ ସମ୍ମାନିତ କରାଯାଇଥିଲା।
୨୦୨୩ ମସିହାର ବାହାନଗା ରେଳ ଦୁର୍ଘଟଣା ସମୟରେ ତାଙ୍କର ମାନବିକତାର ଆଉ ଏକ ଉଜ୍ଜ୍ୱଳ ଅଧ୍ୟାୟ ଦେଖିବାକୁ ମିଳିଥିଲା। ଦୁର୍ଘଟଣା ପରେ ସେ ନିଜେ ଓ ତାଙ୍କ ସ୍ୱେଚ୍ଛାସେବୀ ଦଳ ଉଦ୍ଧାର, ସହାୟତା ଓ ରକ୍ତ ସଂଗ୍ରହ କାର୍ଯ୍ୟରେ ନିଜକୁ ସମ୍ପୂର୍ଣ୍ଣ ଭାବେ ନିୟୋଜିତ କରିଥିଲେ। ଏହି ଉଲ୍ଲେଖନୀୟ ସେବା ପାଇଁ ସେ ଜିଲ୍ଲାପାଳ ଓ ସିଡିଏମଓଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିଲେ।
ଜିଲ୍ଲା ଚିକିତ୍ସାଳୟରେ ରକ୍ତ ଅଭାବ ହେଲେ କିମ୍ବା କୌଣସି ରୋଗୀ ଅସହାୟ ଅବସ୍ଥାରେ ଥିଲେ ସିମନଙ୍କ ନାମ ସର୍ବପ୍ରଥମେ ମନକୁ ଆସେ। ସେ ନିଜ ପ୍ରୟାସରେ ଏକ ହସ୍ପିଟାଲ ସହାୟତା ଟିମ୍ ଗଠନ କରି ବିଭିନ୍ନ ବ୍ଲକରୁ ଆସୁଥିବା ରୋଗୀମାନଙ୍କୁ ଜିଲ୍ଲା ଚିକିତ୍ସାଳୟରେ ସହଯୋଗ କରୁଛନ୍ତି। ବିଶେଷକରି ଥାଲାସେମିଆ ରୋଗୀ ଓ ଜରୁରୀ ଚିକିତ୍ସାଧୀନ ବ୍ୟକ୍ତିମାନଙ୍କ ପାଇଁ ନିୟମିତ ଭାବେ ରକ୍ତ ଯୋଗାଇବାରେ ତାଙ୍କର ଭୂମିକା ଅତୁଳନୀୟ। କୌଣସି ପରିବାର ରକ୍ତ ଅଭାବ ଯୋଗୁଁ ଅସହାୟ ହୋଇପଡ଼ିଲେ ସିମନ ସେମାନଙ୍କ ପାଖରେ ପ୍ରଥମେ ପହଞ୍ଚିଥାନ୍ତି। ଅନେକ ଅସହାୟ ପରିବାରର ଆଖିର ଲୁହ ଓ ହୃଦୟର କୋହକୁ ସେ ନିଜର ସେବା ଓ ସହଯୋଗ ମାଧ୍ୟମରେ ପୋଛି ଦେଇଛନ୍ତି।
ଯୁବପିଢ଼ିଙ୍କୁ ରକ୍ତଦାନ ପ୍ରତି ଆକୃଷ୍ଟ କରିବା ପାଇଁ ସେ ପ୍ରତିବର୍ଷ ଶତାଧିକ ରକ୍ତଦାତାଙ୍କୁ ‘ରକ୍ତବୀର ସେବା ସମ୍ମାନ’ ପ୍ରଦାନ କରି ସମ୍ମାନିତ କରୁଛନ୍ତି। ଏହା ବ୍ୟତୀତ ତାଙ୍କ ଦ୍ୱାରା ‘ସହଯୋଗ’ ସ୍ୱେଚ୍ଛାସେବୀ ସଂଗଠନ ଓ ‘ଯୁବ ବାଲେଶ୍ୱର ଫାଉଣ୍ଡେସନ’ ଗଠିତ ହୋଇ ସମାଜସେବାର ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରହିଛି।
ତାଙ୍କର ଏହି ଅବିରତ ସେବା ଓ ସମର୍ପଣ ପାଇଁ ସେ ଜିଲ୍ଲାପାଳ, ଏସପି, ଜିଲ୍ଲା ମୁଖ୍ୟ ବିଚାରପତି, ଜୀବନବିନ୍ଦୁ, ଜିଲ୍ଲା ରକ୍ତଦାତା ସଂଘ, ଜିଲ୍ଲା ବାର ଆସୋସିଏସନ ଓ ଅନେକ ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଛନ୍ତି। ୨୦୨୪ ମସିହାରେ ସେ ‘ଶ୍ରେଷ୍ଠ ସମାଜସେବୀ’ ଭାବେ ଜିଲ୍ଲା ସମ୍ମିଳନୀରେ ସମ୍ବର୍ଦ୍ଧିତ ହୋଇଥିବା ବେଳେ ‘ଆଜୀବନ ସେବା ସମ୍ମାନ’, ‘ଶ୍ରେଷ୍ଠ ରକ୍ତବୀର ସମ୍ମାନ’ ସହ ଅନେକ ସମ୍ମାନ ତାଙ୍କ ଝୁଲିରେ ଯୋଡ଼ି ହୋଇଛି। ଆଜିକାଲି, ଅପରାହ୍ଣ, ଓଡ଼ିଶା ଖବର, ଆମ ନ୍ୟୁଜ୍, ସ୍ୱର୍ଣ୍ଣଚୂଡ଼ ମହୋତ୍ସବ, ଖନ୍ତାପଡ଼ା ମହୋତ୍ସବ, ବ୍ରହ୍ମପୁର ମହୋତ୍ସବ, କୁରୁଡ଼ା ମହୋତ୍ସବ ଓ ଅନେକ ଅନୁଷ୍ଠାନ ପକ୍ଷରୁ ସେ ସମ୍ମାନିତ ହୋଇଛନ୍ତି।
ସମାଜରେ ଏଭଳି ଲୋକ ଅତି ବିରଳ, ଯେଉଁମାନେ ପ୍ରତିଦିନ ଅନ୍ୟର ଜୀବନରେ ଆଲୋକ ଭରିବାକୁ ନିଜ ଜୀବନକୁ ଉତ୍ସର୍ଗ କରନ୍ତି। ସିମନ କୁମାର ଦାସ ମହାପାତ୍ର ସେହି ବିରଳ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରୁ ଜଣେ। ସେ କେବଳ ୧୫ ହଜାର ୟୁନିଟ୍ ରକ୍ତ ସଂଗ୍ରହ କରିନାହାନ୍ତି, ବରଂ ହଜାର ହଜାର ଲୋକଙ୍କ ଜୀବନରେ ଆଶାର ସଞ୍ଚାର କରିଛନ୍ତି। ରକ୍ତଦାନର ମହାନ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇ ସେ ପ୍ରମାଣ କରିଛନ୍ତି ଯେ ମଣିଷ ପାଇଁ କରାଯାଇଥିବା ସେବା ହିଁ ସର୍ବଶ୍ରେଷ୍ଠ ଧର୍ମ। ବାଲେଶ୍ୱରର ଏହି ଯୁବ ସମାଜସେବୀଙ୍କ ନାମ ଆଜି ହଜାର ହଜାର ଲୋକଙ୍କ ହୃଦୟରେ ଆଶା, ବିଶ୍ୱାସ ଓ ମାନବିକତାର ପ୍ରତୀକ ହୋଇ ରହିଛି।