ପଶ୍ଚିମାଞ୍ଚଳ ଜିତିଲା ଦଲିପ ଟ୍ରଫି: ଦକ୍ଷିଣାଞ୍ଚଳକୁ ୨୯୪ ରନ୍‌ରେ ହରାଇଲା

ସ୍ଲେଜିଂ ପାଇଁ ଜୟସ୍ବାଲଙ୍କୁ ପଡ଼ିଆରୁ ବିଦା କରିଥିଲେ ଆଜିଙ୍କ୍ୟ ରାହାଣେ

କୋଏମ୍ବାଟୁର: ଆଜିଙ୍କ୍ୟ ରାହାଣେଙ୍କ ନେତୃତ୍ବରେ ପଶ୍ଚିମାଞ୍ଚଳ ଦଳ ଚଳିତ ବର୍ଷର ଦଲିପ ଟ୍ରଫି ବିଜେତା ହୋଇଛି। ଫାଇନାଲ୍‌ର ପଞ୍ଚମ ତଥା ଅନ୍ତିମ ଦିବସରେ ଏହି ଦଳ ଦକ୍ଷିଣାଞ୍ଚଳକୁ ୨୯୪ ରନ୍‌ରେ ପରାସ୍ତ କରି ଟ୍ରଫି ଜିତିନେଇଛି। ୫୨୯ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରିଥିବା ଦକ୍ଷିଣାଞ୍ଚଳର ଦ୍ବିତୀୟ ପାଳି ୨୩୪ ରନ୍‌ରେ ଅଟକି ଯାଇଥିଲା। ସାମ୍‌ସ ମୁଲାନୀ (୪/୫୧), ଜୟଦେବ ଉନାଦ୍‌କତ୍‌ (୨/୨୮), ଅତୀତ ସେଠ୍‌ (୨/୨୯), ଚିନ୍ତନ ଗାଜା (୧/୪୭) ଓ ତନୁଷ କୋଟିୟାଁ (୧/୬୧) ମିଳିତ ଭାବେ ୭୧.୨ ଓଭରରେ ୧୦ ୱିକେଟ୍‌ ବାଣ୍ଟିନେଇ ପଶ୍ଚିମାଞ୍ଚଳକୁ ବୃହତ୍‌ ବିଜୟ ଭେଟି ଦେଇଥିଲେ। ରବିବାର ଶେଷ ଦିନର ପ୍ରଥମ ଘଣ୍ଟା ଖେଳ ୱିକେଟ୍‌ ଶୂନ୍ୟ ରହିଥିଲା। ଆର୍‌ ସାଇ କିଶୋର ମାତ୍ର ୭ ରନ୍‌ କରିଥିଲେ ମଧ୍ୟ ୮୨ ବଲ୍‌ ଖେଳିବା ଏବଂ ରବି ତେଜା (୫୩)ଙ୍କ ସହ ସପ୍ତମ ୱିକେଟ୍‌ରେ ୫୭ ରନ୍ (୧୫୭ ବଲ୍‌) ଯୋଡ଼ି ପଶ୍ଚିମାଞ୍ଚଳ ବିଜୟକୁ କିଛିଟା ବିଳମ୍ବିତ କରିଥିଲେ। କିନ୍ତୁ ଦ୍ବିତୀୟ ଘଣ୍ଟାରେ ହିଁ ୩୦ ରନ୍‌ ମଧ୍ୟରେ ଅବଶିଷ୍ଟ ୪ ୱିକେଟ୍‌ ହରାଇଥିଲା। କୃଷ୍ଣାପ୍ପା ଗୌତମ (୧୭) ଓ ରବି ତେଜା ଅଷ୍ଟମ ୱିକେଟ୍‌ରେ ୨୩ ରନ୍ ଯୋଡ଼ିଥିଲେ ମଧ୍ୟ ଦକ୍ଷିଣାଞ୍ଚଳ ମଧ୍ୟାହ୍ନ ଭୋଜନ ବିରତି ପୂର୍ବରୁ ସମସ୍ତ ୱିକେଟ୍‌ ହରାଇ ପରାଜୟ ବରଣ କରିଥିଲା। ଦ୍ବିଶତକୀୟ ପାଳି ଖେଳିଥିବା ଯଶସ୍ବୀ ଜୟସ୍ବାଲ ମ୍ୟାଚ୍‌ର ଏବଂ ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ଜୟଦେବ ଉନାଦ୍‌କତ୍‌ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଫାଇନାଲ୍‌ର ପ୍ରଥମ ପାଳିରେ ୨୭୦ ରନ୍‌ କରିଥିବା ପଶ୍ଚିମାଞ୍ଚଳ ଦ୍ବିତୀୟ ପାଳିରେ ୫୮୫/୪ (ଘୋଷିତ) କରିଥିଲା। ଜବାବରେ ଦକ୍ଷିଣାଞ୍ଚଳ ପ୍ରଥମ ପାଳିରେ ୩୨୭ ଏବଂ ଦ୍ବିତୀୟ ପାଳିରେ ୨୩୪ ରନ୍‌ କରିଥିଲା।

ସ୍ଲେଜିଂ ପାଇଁ ଜୟସ୍ବାଲଙ୍କୁ ପଡ଼ିଆରୁ ବିଦା କରିଥିଲେ ଆଜିଙ୍କ୍ୟ ରାହାଣେ
ଶେଷ ଦିବସ ଖେଳ ବେଳେ ଏକ ଅଶାଭନୀୟ ଘଟଣା ଘଟିଥିଲା। ଦକ୍ଷିଣାଞ୍ଚଳ ଦ୍ବିତୀୟ ପାଳିରେ ରବି ତେଜା ବ୍ୟାଟିଂ କରୁଥିଲା ବେଳେ ଯଶସ୍ବୀ ଜୟସ୍ବାଲ ତାଙ୍କୁ ସ୍ଲେଜି କରିଥିଲେ। ବ୍ୟାଟର୍‌ଙ୍କ ଅତି ନିକଟରେ କ୍ଷେତ୍ରରକ୍ଷଣ କରୁଥିବା ଜୟସ୍ବାଲ ମଧ୍ୟ ତେଜାଙ୍କ ସହ ଅଯଥା ଯୁକ୍ତିତର୍କ କରି ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲେ। ଏଥିପାଇଁ ତାଙ୍କୁ ଅମ୍ପାୟାର ଦୁଇ ଥର ଚେତାବନୀ ଶୁଣାଇଥିଲେ। ଏହାସତ୍ତ୍ବେ ଜୟସ୍ବାଲ ସ୍ଲେଜିଂ ଜାରି ରଖିବାରୁ ଅଜିଙ୍କ୍ୟ ରାହାଣେଙ୍କ ନିକଟରେ ଅଭିଯୋଗ ବାଢ଼ିଥିଲେ ଅମ୍ପାୟାର। ଫଳରେ ଅଧିନାୟକ ରାହାଣେ ଅସନ୍ତୋଷ ଜାହିର କରି ଜୟସ୍ବାଲଙ୍କୁ ପଡ଼ିଆ ଛାଡ଼ି ଚାଲିଯିବା ପାଇଁ କହି ନୂଆ ଉଦାହରଣ ଛାଡ଼ିଥିଲେ। ଜୟସ୍ବାଲ ପଡ଼ିଆରୁ ବାହାରିଯିବା ପରେ ପଶ୍ଚିମାଞ୍ଚଳ ୧୦ ଜଣରେ ଅବଶିଷ୍ଟ ୭ ଓଭର ଖେଳିବାକୁ ବାଧ୍ୟ ହୋଇଥିଲା। ପ୍ରତିଦ୍ବନ୍ଦ୍ବୀ, ଅମ୍ପାୟାର ଏବଂ ମ୍ୟାଚ୍‌ ରେଫରିଙ୍କୁ ସର୍ବଦା ସମ୍ମାନ ଜଣାଇବାକୁ ମୁଁ ବିଶ୍ବାସ କରେ। ବୋଲି ରାହାଣେ ମ୍ୟାଚ୍‌ ଶେଷରେ କହିଥିଲେ। ତେଣୁ ଜୟସ୍ବାଲଙ୍କୁ ପଡ଼ିଆ ଛାଡ଼ିବାକୁ କହିଥିଲି ବୋଲି ସେ କହିଥିଲେ।

Comments are closed.