ବଡଦିନରେ ବଣଭୋଜି ପାଇଁ କେନ୍ଦୁଝରକୁ ପର୍ଯ୍ୟଟକଙ୍କ ବେଶ୍‍ ଭିଡ ଲାଗିଛି।

କେନ୍ଦୁଝର: ବଣପାହାଡ଼ ଘେରା କେନ୍ଦୁଝର ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟ, ସୁଉଚ୍ଚ ଜଳପ୍ରପାତ ଏବଂ ପାହାଡ଼ିଆ ଶୀତକୁ ମନଭରି ଉପଭୋଗ ପାଇଁ ବଡଦିନ ଓ ନୂଆବର୍ଷ ପାଳନ ଅବସରରେ ବଣଭୋଜିର ମଜା ଉଠାଇବାକୁ କେନ୍ଦୁଝର ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳି ମାନଙ୍କରେ ପର୍ଯ୍ୟଟକଙ୍କ ବେଶ୍‍ ଭିଡ ଲାଗିଛି। ବିଶେଷକରି ସାନଘାଗରା, ବଡ଼ଘାଗରା, ଖଣ୍ଡାଧାର, ଗୁଣ୍ଡିଚାଘାଗୀ, ହାଣ୍ଡିଭଙ୍ଗା ଭଳି ରାଜ୍ୟପ୍ରସିଦ୍ଧ ସୁଉଚ୍ଚ ଜଳପ୍ରପାତ, ଘଟଗାଁସ୍ଥିତ ମା’ତାରିଣୀ ପୀଠ, ଦେଓଗାଁ କୁଶଳେଶ୍ୱର ଶୈବପୀଠ, କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଶ୍ରୀ ବଳଦେବଜୀଉ, ସିଦ୍ଧମଠ, ମୁର୍ଗାମହାଦେବ ଓ ଗୋନାସିକା ଭଳି ପ୍ରସିଦ୍ଧ ଶକ୍ତି ପୀଠ, ଆନନ୍ଦପୁରର ଚକ୍ରତୀର୍ଥ, ସୀତାବିଞ୍ଜ, ସରେଇ, ରାଜନଗର, ପୋଡ଼ାସିଙ୍ଗିଡ଼ି ଭଳି ଐତିହାସିକ ଓ ପୌରାଣିକସ୍ଥଳି, ହଦଗଡ଼, ରେମାଳ, କାଣିଝରୀ ଓ ଜଗଦଳା ଭଳି ରମଣୀୟ ଜଳଭଣ୍ଡାର, କାଞ୍ଜିପାଣି ଘାଟିର ମନଲୋଭା ପ୍ରାକୃତିକ ଦୃଶ୍ୟ ଉପଭୋଗ ପାଇଁ ପ୍ରତିବର୍ଷ ବଡଦିନ ଓ ନୂଆବର୍ଷ ଉପଲକ୍ଷେ କେନ୍ଦୁଝର ଜିଲାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିିଥାଏ।

ଘଞ୍ଚ ବଣପାହାଡ ଘେରା ଏହି ଜିଲାର ଶୀତରାଜି ଅନୁଭବ ସାଙ୍ଗକୁ କେନ୍ଦୁଝର ସହରସ୍ଥିତ ପୁରୁଣା ରାଜବାଟୀ, ବୈତରଣୀ ନଦୀର ଉତ୍ପତ୍ତିସ୍ଥଳ ଗୋନାସିକାସ୍ଥିତ ଗୁପ୍ତଗଙ୍ଗା, ପ୍ରାକୃତିକ ଗଣ୍ଡ ଆଦି ମନଲୋଭା ସ୍ଥାନ ପର୍ଯ୍ୟଟକ, ପ୍ରକୃତିପ୍ରେମୀ, ସାହିତ୍ୟିକ ଓ କବିମାନଙ୍କୁ ପର୍ଯ୍ୟଟନ ଋତୁରେ କେନ୍ଦୁଝର ଜିଲା ବୁଲି ଆସିବାକୁ ବାଧ୍ୟ କରିଥାଏ। ବଡଦିନ ଅବସରରେ ସୋମବାର ବଣଭୋଜି ମଜା ଉଠାଇବାକୁ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନକେନ୍ଦ୍ର ମାନଙ୍କରେ ପର୍ଯ୍ୟଟକଙ୍କ ନାହିଁନଥିବା ଭିଡ ଦେଖିବାକୁ ମିଳିଛି । ୪୯ନଂ ଜାତୀୟ ରାଜପଥକୁ ଲାଗି ଜିଲା ମୁଖ୍ୟାଳୟଠାରୁ ମାତ୍ର ୫ କି.ମି.ଦୂରରେ ଅବସ୍ଥତ ୩୧ମି.ଉଚ୍ଚତା ବିଶିଷ୍ଟ ସାନଘାଗରା ଜଳପ୍ରପାତକୁ ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରୁ ବର୍ଷତମାମ ପର୍ଯ୍ୟଟକଙ୍କ ସୁଅ ଛୁଟିଥିବା ବେଳେ ଏଠାକାର ଶିଶୁ ଉଦ୍ୟାନ, ଗୋଲାପ ଉଦ୍ୟାନ, ବୋଟିଂ, ଆଦିବାସୀ ସଂଗ୍ରହାଳୟ ସହ ଚର୍ତୁଃପାଶ୍ୱର୍ରେ ଘେରି ରହିଥିବା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ ପାଇଁ ବହୁ ଦୂରଦୂରାନ୍ତରୁ ପିକ୍ନିକ୍ ପାର୍ଟି ଆସି ଭିଡ ଜମାଇଛନ୍ତି।

ଚଳିତବର୍ଷ ବଡଘାଗରା ଜଳପ୍ରପାତରେ ମଧ୍ୟ ବଡଦିନ ବଣଭୋଜି ପାଇଁ ପର୍ଯ୍ୟଟକଙ୍କ ବେଶ୍‍ ଭିଡ ଜମିଥିବା ଦେଖିବାକୁ ମିଳିଛି। ସେହିଭଳି ପର୍ଯ୍ୟଟନ ମାନ୍ୟତା ମିଳିନଥିଲେ ସୁଦ୍ଧା ଜିଲାର କାଣିଝରୀ, ରେମାଳ ଓ ଜଗଦଳା ଡ଼୍ୟାମ, ଚିକିଣିଆସ୍ଥିତ ଜିଲା ପାର୍କ, ବାରହାଟିପୁରା ଶୈବପୀଠ, ଅସନପାଟ, ଗିରିଡିବନ୍ଧ ଭଳି ଜିଲାର ପ୍ରମୁଖ ଦର୍ଶନୀୟ ସ୍ଥାନମାନଙ୍କରେ ମଧ୍ୟ ବଣଭୋଜି ପାଇଁ ପର୍ଯ୍ୟଟକଙ୍କ ବେଶ୍‍ ଭିଡ଼ ଜମିଥିବା ବେଳେ ସୁରକ୍ଷା ଦୃଷ୍ଟିର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମାନଙ୍କରେ ପୁଲିସ ମୁତୟନ କରାଯାଇଛି।

ପବିତ୍ର ଖ୍ରୀଷ୍ଟମାସ ଅବସରରେ ରବିବାର ମଧ୍ୟରାତ୍ରିରୁ ଜିଲାର ବିଭିନ୍ନ ଚର୍ଚ୍ଚମାନଙ୍କରେ କଡା ସୁରକ୍ଷା ମଧ୍ୟରେ ବଡ଼ଦିନ ଧୁମ୍‍ଧାମରେ ପାଳିତ ହୋଇଯାଇଛି । ଜିଲାରେ ବସବାସ କରୁଥିବା ଖ୍ରୀଷ୍ଟଧର୍ମ ଭାଇଭଉଣୀଙ୍କର ଏହି ଦିନରେ ଯେଭଳି କୌଣସି ଅଘଟଣ ନଘଟେ ସେଥିପ୍ରତି ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ଚର୍ଚ୍ଚମାନଙ୍କରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜିଲାର ଆନନ୍ଦପୁର ଥାନା ଅନ୍ତର୍ଗତ ମନୋହରପୁର ଚର୍ଚ୍ଚର ପୂର୍ବତନ ଫାଦର ବହୁଚର୍ଚ୍ଚିତ ଅଷ୍ଟ୍ରେଲୀୟ ଧର୍ମପ୍ରଚାରକ ଗ୍ରାହାମଷ୍ଟେନ୍ସ ଓ ତାଙ୍କ ଦୁଇ ଶିଶୁପୁତ୍ରଙ୍କୁ ଅତି ଅମାନୁଷିକ ଭାବେ ପୋଡ଼ି ହତ୍ୟା ଘଟଣା ପରଠାରୁ ପ୍ରତିବର୍ଷ ଏହି ଚର୍ଚ୍ଚରେ ଖ୍ରୀଷ୍ଟମାସ ଅବସରରେ ବଡ଼ଦିନ ଠାରୁ ନୂଆବର୍ଷ ପାଳନ ପର୍ଯ୍ୟନ୍ତ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇ ଆସୁଛି ।

ସେହିପରି ହରିଚନ୍ଦନପୁର ଥାନା ଅଧିନ ତାଳଡ଼ିହି, ପଣ୍ଡାପଡ଼ା ଥାନା ଅଧିନ ମିଶ୍ରମାଳ, ତେଲକୋଇ ଥାନା ଅଧିନ ଓରିୟା ଓ ରାମଚନ୍ଦ୍ରପୁର, ସଦରଥାନା ଅଧିନ ବଣୁଆଁ, ଚମ୍ପୁଆ ଥାନା ଅଧିନ ରାମଲା, କେନ୍ଦୁଝର ଟାଉନ ଥାନା ଅଧିନ ଜେଲରୋଡ଼ସ୍ଥିତ ଚର୍ଚ୍ଚ, ନିର୍ମଳା କନଭେଣ୍ଟ ସ୍କୁଲ ପରିସର କ୍ୟାଥୋଲିକ ଚର୍ଚ୍ଚ, ଆଶୀର୍ବାଦ ବଏଜ ହୋମ ଏବଂ ଯୋଡ଼ା ଓ ବଡ଼ବିଲ ସହରରେ ଥିବା ଚର୍ଚ୍ଚମାନଙ୍କରେ ବଡ଼ଦିନ ଅବସରରେ ସମୂହ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇ ଆନନ୍ଦଉଲ୍ଲାସର ସହ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ହୋଇଯାଇଛି।

Comments are closed.