ଜାତୀୟ ପଲ୍ଲିଶ୍ରୀ ମେଳା ଉଦ୍‍ଯାପିତ,

କେନ୍ଦୁଝର: କାଳିପଡିଆ ଠାରେ ଚଳିତମାସ ୨୨ ତାରିଖ ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ‘ଗୋନାସିକା-କେନ୍ଦୁଝର ମହୋତ୍ସବ’ ପରିପ୍ରେକ୍ଷୀରେ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା-୨୦୨୩ ସୋମବାର ରାତିରେ ଉଦ୍‍ଯାପିତ ହୋଇଯାଇଛି। ଏହି ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳାର ଉଦଯାପନ ଉତ୍ସବରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍‍ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା ବିଶେଷକରି ସ୍ୱୟଂସହାୟିକା ଗୋଷ୍ଠୀ ସଦସ୍ୟାଙ୍କୁ ଆତ୍ମନିର୍ଭରଶୀଳ ଦିଗରେ ସହାୟକ ହେବ ବୋଲି ଆଶାବ୍ୟକ୍ତ କରିଥିଲେ।

ସୋମବାର ରାତିରେ ଜାତୀୟ ପଲ୍ଲିଶ୍ରୀ ମେଳା ଉଦ୍‍ଯାପିତ ହୋଇଯାଇଥିବା ବେଳେ ଦେଢ଼ କୋଟିରୁ ଅଧିକ ଟଙ୍କାର କାରବାର ହୋଇଥିବା ଓରମାସ ଯୁଗ୍ମ ମୁଖ୍ୟ କାର୍ଯ୍ୟନିର୍ବାହୀ ସପନ ଗୋସ୍ୱାମୀ କହିଛନ୍ତି। ଡିସେମ୍ବର ୧୮ରୁ ୨୫ ତାରିଖ ପର୍ଯ୍ୟନ୍ତ ସପ୍ତାହେବ୍ୟାପୀ ଅନୁଷ୍ଠିତ ଏହି ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳାରେ ମିଶନ ଶକ୍ତି, ରାଜ୍ୟ ବାହାରର ହସ୍ତଶିଳ୍ପ ଓ ହସ୍ତକଳା, ଖାଦ୍ୟମେଳା, ପୁସ୍ତକମେଳା, ଗୋପବନ୍ଧୁ ସାହିତ୍ୟ ମନ୍ଦିର ସାଙ୍ଗକୁ ପ୍ରତି ସନ୍ଧ୍ୟାରେ ଜିଲା ଓ ରାଜ୍ୟ ବାହାରର ବଛା ବଛା କଳାକାରଙ୍କ ଦ୍ୱାରା ଉଚ୍ଚକୋଟୀର କଳା ନୈପୁଣ୍ୟ ପ୍ରଦର୍ଶନକୁ ଜିଲାବାସୀ ମନଭରି ଉପଭୋଗ କରିଥିଲେ।

ପଲ୍ଲିଶ୍ରୀ ମେଳାରେ କେନ୍ଦୁଝର ଜିଲାର ୭୦ଟି, ବିଭିନ୍ନ ରାଜ୍ୟର ୪୦ଟି ଏବଂ ଓଡିଶାରୁ ୨୦ଟି ସ୍ୱୟଂ ସହାୟକ ଗୋଷ୍ଠୀ, ଶିଳ୍ପୀ, କାରିଗରଙ୍କ ଅଂଶଗ୍ରହଣ ସହ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ସମୁଦାୟ ୨୨୧ଟି ଷ୍ଟଲରେ ପ୍ରଦର୍ଶିତ ସହିତ ବିକ୍ରି ହୋଇ ସେମାନଙ୍କର ଆର୍ଥୀକ ଅଭିବୃଦ୍ଧିରେ ଏହା ବିଶେଷ ସହାୟକ ହୋଇଥିବା ଶ୍ରୀ ଗୋସ୍ୱାମୀ କହିଛନ୍ତି। ଓରମାସ୍‍ କର୍ମଚାରୀ ଚନ୍ଦ୍ରଶେଖର ପଟ୍ଟନାୟକ, ଦିବ୍ୟ ରାଜ ଓ ୟଙ୍ଗ ପ୍ରଫେସନାଲ ଦିବ୍ୟଦର୍ଶିନୀ ବେହେରା ପ୍ରମୁଖ ଯୋଗଦେଇ ମେଳା ସୁପରିଚାଳନାରେ ସହଯୋଗ କରିଥିଲେ।

Comments are closed.