ଆମେ କେହିନୁହଁ ସବୁ ପ୍ରଭୁ ଶ୍ରୀରାମ

ଅର୍ଜୁନୀ ଚରଣ ବେହେରା

ଆମେ କେହିନୁହଁ ସବୁ ପ୍ରଭୁ ଶ୍ରୀରାମ
==================
ପ୍ରଭୁ ଶ୍ରୀରାମଙ୍କ ଲଙ୍କା ଅଭିଯାନ ସମୟର କଥା l ଲଙ୍କାକୁ ଯିବାପାଇଁ ବାନର ଓ ଭଲ୍ଲୁକ ମାନେ ବଡ଼ ବଡ଼ ପଥର ବୋହି ଆଣି ପାଞ୍ଚ ଦିନରେ ସେତୁବନ୍ଧ ନିର୍ମାଣ କରି ଦେଲେ l ନିର୍ମାଣ କାର୍ଯ୍ୟକୁ ତଦାରଖ କରୁଥିବା, ନଳ ନୀଳ ସେତୁବନ୍ଧକୁ ଦେଖି ଗର୍ବରେ ଫୁଲି ଉଠିଲେ l ସେମାନେ ଛାତି ଫୁଲାଇ ଭାଲୁ ଓ ବାନର ମାନଙ୍କୁ କହିଲେ, ଆମେ ନ ଥିଲେ ଏ ବନ୍ଧ ତିଆରି ହୋଇପାରି ନଥାନ୍ତା l ଏଣୁ ଆମକୁ ସାବାସି ମିଳିବା ଉଚିତ l ଭାଲୁ ଓ ବାନରମାନେ ଏହା ଶୁଣି କହିଲେ, ଏ ବନ୍ଧ ଆମରି ଯୋଗୁଁ ହିଁ ତିଆରି ହୋଇ ପାରିଲା l ଆମେ ସବୁ ପଥର ବୋହି ଆଣି ନଥିଲେ ନଳ ନୀଳ କୁଆଡୁ ବନ୍ଧ ନିର୍ମାଣ କରି ପାରି ଥାନ୍ତେ l ଏଣୁ ଆମକୁ ସାବାସି ମିଳିବା ଉଚିତ l ସଭିଙ୍କ କଳି ଦେଖି, ଜଣେ ବୁଢ଼ା ବାନର କହିଲେ, ଏତେ ଗୋଳ କାହିଁକି l ଚାଲ ବିଭୀଷଣଙ୍କୁ ପଚାରିବା,ସିଏ ଅସଲ କଥାଟା ନିଶ୍ଚୟ କହିଦେବେ l
ବିଭୀଷଣ ଏହିସମୟରେ ବନ୍ଧ ଦେଖିବାପାଇଁ ଆସି ସେଠାରେ ପହଁଚିଲେ l ତାଙ୍କୁ ଦେଖି, ସମସ୍ତେ ନିଜ ନିଜର ବାହାଦୂରୀ ବଖାଣିବାକୁ ଲାଗିଲେ l କାହାକୁ କିଛି ନକହି ବିଭୀଷଣ ସିଧା ବନ୍ଧପାଖକୁ ଚାଲିଲେ l ସେ ବନ୍ଧକୁ ଦେଖିବାକ୍ଷଣି ମୁଣ୍ଡରେ ହାତଦେଇ ଲଥ୍ କରି ବସି ପଡ଼ିଲେ l ଖୁବ୍ ଦୁଃଖରେ ସମସ୍ତଙ୍କୁ ଚାହିଁ ସେ କହିଲେ, ତୁମେମାନେ ସମସ୍ତେ ବନ୍ଧ ତ ତିଆରି କରିଦେଲ l କିନ୍ତୁ ଏତେ କମ୍ ଓସାର ବନ୍ଧ ଉପରେ ଆମର ଏ ବିରାଟ ସେନା ଯିବେ କିପରି? ସେମାନେ ଲଙ୍କାରେ ତ ପହଞ୍ଚୁ ପହଞ୍ଚୁ କାହିଁରେ କେତେ ସମୟ ଲାଗିଯିବ l ହାତରେ ଆଉମାତ୍ର ଦଶଟି ଦିନ ଆମର ସମୟ ଅଛି l ତାରି ଭିତରେ ଆମକୁ ଲଙ୍କା ଗଡ଼ରେ ଯାଇ ପହଞ୍ଚିବାକୁ ପଡ଼ିବ l ନ ହେଲେ, ଆମେ ଆଉ ସୀତାଙ୍କୁ ପାଇବା ନାହିଁ l
ଭାଲୁ ଓ ବାନରମାନଙ୍କ ଗର୍ବ ଭାଙ୍ଗିଗଲା l ସମସ୍ତେ ଚିନ୍ତିତ ହୋଇପଡ଼ିଲେ ଯେ ଆମେ ଯେଉଁ ବନ୍ଧପାଇଁ ଏତେ ଗର୍ବ କରୁଛୁ ତାହା ପ୍ରଭୁଙ୍କ କୌଣସି କାମରେ ଲାଗିବନାହିଁ l କାହାରିକୁ ଆଉକିଛି ଉପାୟ ଦିଶିଲା ନାହିଁ l ସମସ୍ତେ ବିଭୀଷଣଙ୍କ ସହ ଯାଇ ଶ୍ରୀରାମଙ୍କ ପାଖରେ ପହଁଚିଲେ l ବିଭୀଷଣ ପ୍ରଭୁଙ୍କୁ ସବୁ କଥା ବୁଝାଇ କହିଲେ l ପ୍ରଭୁ କହିଲେ,ହଉ ! ଏବେ ଆଉ ଚିନ୍ତା କରି ଲାଭ କଅଣ l ମୁଁ କାଲି ଯାଇ ସେତୁବନ୍ଧ ଦେଖି ନେଉଛି l ତା’ ପରେ କଅଣ କରାଯିବ ଚିନ୍ତା କରି କହିବି l ତୁମେମାନେ ବ୍ୟସ୍ତ ହୁଅନାହିଁ l
ସମୁଦ୍ର ଉପରେ ସେତୁବନ୍ଧ ନିର୍ମିତ ହୋଇଛି l ତାରି ଉପରେ କାଲି ପ୍ରଭୁ ଶ୍ରୀରାମ ଲଙ୍କା ଯାତ୍ରା କରିବେ l ଏକଥା ସାମୁଦ୍ରିକ ଜୀବ ମାନେ ଜାଣି ବହୁ ଉଲ୍ଲସିତ ହୋଇ ପଡ଼ିଲେ l ପ୍ରଭୁଙ୍କ ଦର୍ଶନ ପାଇଁ ଏହା ଅପୂର୍ବ ସୁଯୋଗ ମନେକରି ସାଗରବାସୀ ସମସ୍ତ ଜଳଚର ଜୀବ ଆସି, ସେତୁବନ୍ଧ ନିକଟରେ ଧାଡ଼ି ବାନ୍ଧି ପଡ଼ି ରହିଲେ l ବଡ଼ ଜୀବଙ୍କ ଉପରେ ସାନ ଜୀବମାନେ ସବୁ ଚଢ଼ି ବସିରହିଲେ l ସେମାନଙ୍କ ସଂଖ୍ୟା ଏତେ ଅଧିକ ହେଲା ଯେ ଅଣଓସାରିଆ ସେତୁବନ୍ଧ କ୍ରମେ ଖୁବ୍ ଓସାରିଆ ହୋଇଗଲା l
ରାତି ପାହିଲା,ବାନର ଓ ଭାଲୁମାନେ ବନ୍ଧ ପାଖକୁ ଯାଇ ଦେଖନ୍ତି ତ, ବନ୍ଧର ଓସାର କାହିଁରେ କେତେ ବଢ଼ି ଯାଇଛି l ସମସ୍ତେ ଚକିତ ହୋଇ ପ୍ରଭୁଙ୍କୁ ଯାଇ ଖବର ଦେଲେ l ପ୍ରଭୁ ଟିକିଏ ହସି ଦେଇ କହିଲେ, ତାହେଲେ ଆଉ ବିଳମ୍ୱ କାହିଁକି? ଏଥର ଅଭିଯାନ ଆରମ୍ଭ ହେଉ l ସମସ୍ତେ ଯାଇ ସେତୁବନ୍ଧ ପାଖରେ ପହଁଚିଲେ l ଶ୍ରୀରାମ କହିଲେ ତୁମେମାନେ ଆଗେ ଚାଲ l ମୁଁ ଓ ଲକ୍ଷ୍ମଣ ପଛରେ ଯିବୁ l ସମସ୍ତେ ସଞ୍ଜ ନଇଁଆସିଲା ବେଳକୁ ସମୁଦ୍ର ଆର ପାରିରେ ପହଞ୍ଚି ଗଲେ l ଶେଷରେ ରାମ ଓ ଲକ୍ଷ୍ମଣ ସେତୁବନ୍ଧ ପାରି ହେଲେ l ବନ୍ଧ କଡ଼େ କଡ଼େ ଉଦ୍ଵିଗ୍ରୀବ ହୋଇ ଚାହିଁ ରହିଥିବା ଜୀବ ମାନେ ପ୍ରଭୁଙ୍କ ଦର୍ଶନ ପାଇ ନୟନ ମନ ତୃପ୍ତ କରି ଗୋଟି ଗୋଟି କରି ସମୁଦ୍ରକୁ ଚାଲି ଗଲେ l ରାମ ଲକ୍ଷ୍ମଣ ବନ୍ଧ ପାରିହୋଇଗଲା ପରେ ଆର ପଟରେ ରୁଣ୍ଡ ହୋଇଥିବା ଭାଲୁ ବାନରମାନେ ଦେଖିଲେ, ସେତୁବନ୍ଧ ତା’ର ପୂର୍ବ ଆକୃତିକୁ ଫେରି ଆସିଛି l ଏସବୁ କ’ଣ ହେଲା କିପରି ହେଲା ତାହା ଆଉ କେହି ଜାଣିପାରିଲେ ନାହିଁ l ସଭିଏଁ ପରସ୍ପର ଭିତରେ କୁହାକୁହି ହେଲେ l ଆମେ କେହିନୁହଁ ସବୁ ହେଉଛନ୍ତି, ସେହି ପ୍ରଭୁ ଶ୍ରୀରାମ l ସିଏ ସ୍ରଷ୍ଟା l ସିଏ ସୃଷ୍ଟି l ଆମେ କେବଳ ନିମିତ୍ତ ମାତ୍ର l
!!! ଜୟ ଶ୍ରୀରାମ !!!
🙏🙏🙏
ଅର୍ଜୁନୀ
————-
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧

Comments are closed.