ରାୟଗଡ଼, ୧୪ ଅଗଷ୍ଟ(ଭି ଗୌରୀଶଙ୍କର ରାଓ): ରାୟଗଡ଼ା ଜିଲ୍ଲା ପରିଷଦ ଭବନ ପରିସରରେ ନବନିର୍ମିତ OSWAN ସମ୍ମିଳନୀ କକ୍ଷ ଏବଂ ଓପନ୍ ଜିମ୍କୁ ମାନ୍ୟବର ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ଉଦ୍ଘାଟନ କରିଛନ୍ତି। ଜିଲ୍ଲାରେ ଡିଜିଟାଲ୍ ଯୋଗାଯୋଗ ଓ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଦୃଢ଼ ଏବଂ ଦକ୍ଷ କରିବା ଦିଗରେ OSWAN ସମ୍ମିଳନୀ କକ୍ଷ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗାଯୋଗ କେନ୍ଦ୍ର ଭାବେ କାର୍ଯ୍ୟ କରିବ। ଏଠାରେ ଭିଡିଓ କନଫରେନ୍ସ, ଅନଲାଇନ୍ ବୈଠକ, ସରକାରୀ କାର୍ଯ୍ୟକ୍ରମ ଓ ବିଭିନ୍ନ ପ୍ରଶାସନିକ ସମନ୍ୱୟ କାର୍ଯ୍ୟ ସୁବିଧାଜନକ ଭାବେ ସମ୍ପାଦନ କରାଯାଇପାରିବ। ଅନ୍ୟପକ୍ଷରେ, ଅଧିକାରୀ ଓ କର୍ମଚାରୀମାନଙ୍କ ନିୟମିତ ବ୍ୟାୟାମ ଏବଂ ଶାରୀରିକ ସୁସ୍ଥତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଓପନ୍ ଜିମ୍ ସ୍ଥାପନ କରାଯାଇଛି। ଏହି ଦୁଇଟି ନୂତନ ସୁବିଧା ଜିଲ୍ଲା ପ୍ରଶାସନର ଆଧୁନିକୀକରଣ ସହିତ କର୍ମଚାରୀଙ୍କ କାର୍ଯ୍ୟକୁଶଳତା ଓ କଲ୍ୟାଣରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିବ।



ଏହି ଅବସରରେ ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ବତୀ ମାଝୀ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡ, ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ଖିରାବ୍ଦି ତନୟା ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ରାୟଗଡ଼ ପୌରପାଳିକାର ନିର୍ବାହୀ ଅଧିକାରୀ, ରାୟଗଡ଼ ବିଡିଓଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଜିଲ୍ଲା ପରିଷଦର କର୍ମଚାରୀମାନେ ଉପସ୍ଥିତ ଥିଲେ।
ନୂତନ ସୁବିଧାଗୁଡ଼ିକ ଜିଲ୍ଲା ପ୍ରଶାସନର କାର୍ଯ୍ୟକୁ ଅଧିକ ଦକ୍ଷ, ସୁସଂଗଠିତ ଓ ଲୋକାଭିମୁଖୀ କରିବା ସହିତ କର୍ମଚାରୀଙ୍କ ଶାରୀରିକ ଓ ମାନସିକ ସୁସ୍ଥତାକୁ ପ୍ରୋତ୍ସାହିତ କରିବ ବୋଲି ଆଶା ପ୍ରକାଶ ପାଇଛି।